ବ୍ରହ୍ମଗିରି, ୧୦/୦୨ : ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ପୀଠରେ ଦିନକୁ ଦିନ ବଢ଼ି ଚାଲିଛି ଅନୀତି କାର୍ଯ୍ୟ। ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ମୋବାଇଲ୍‌ ବାରଣ ହୋଇଥିବା ବେଳେ ଶ୍ରୀଅଲାରନାଥ ମନ୍ଦିରକୁ ମଧ୍ୟ ମୋବାଇଲ୍‌ ପ୍ରବେଶ ନିଷେଧ ନିମନ୍ତେ ବାରମ୍ବାର ବୈଠକରେ ଆଲୋଚନା ହେଉଛି। ବାହାରେ ଜୋତା ଓ ମୋବାଇଲ୍‌ ରଖିବା ପାଇଁ ନିଲାମ ଦିଆଯାଇ ଷ୍ଟାଣ୍ଡ ନିର୍ମାଣ ହୋଇଛି । ହେଲେ ସେବକମାନେ ସବୁ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି । ଭକ୍ତଙ୍କଠାରୁ କିଛି ଟଙ୍କା ନେଇ ମନ୍ଦିର ଭିତରକୁ ମୋବାଇଲ୍‌ ପ୍ରବେଶ ପାଇଁ ପ୍ରଶୟ ଦେଉଛନ୍ତି । ଲୋକେ ମୋବାଇଲ୍‌ ନେଇ ମନ୍ଦିର ଓ ବିଗ୍ରହଙ୍କ ଫଟୋ ଉତ୍ତୋଳନ କରିବା ସହିତ ପରିସରରେ ଅଶାଳୀନ ରିଲ୍ସ ସୁଟିଂ କରୁଛନ୍ତି । ଏହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯାଉଛି। 

ଆଧ୍ୟାତ୍ମିକ ଚେତନାର ପୀଠ ଅଲାରନାଥ ମନ୍ଦିର ପରିସରରେ ଏଭଳି କାର୍ଯ୍ୟକୁ ନେଇ ଭକ୍ତଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ମଧ୍ୟରେ ପହରା ଦେଉଥିବା ସୁରକ୍ଷାକର୍ମୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ କେହି ଏହାକୁ ବାରଣ କରୁନାହାନ୍ତି । ଅନ୍ୟପକ୍ଷରେ ମନ୍ଦିରରେ ଥିବା କିଛି ସେବାୟତ ମୋଟା ଅଙ୍କର ଅର୍ଥ ପାଇବା ଆଶାରେ ଏଭଳି ଘୃଣ୍ୟ ଘଟଣାକୁ ପ୍ରସୟ ଦେଉଥିବା ସାଧାରଣରେ ଆଲୋଚନା ହେଉଛି । ମନ୍ଦିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍, ଟେକି ନେଇ ବାହାରେ ଛାଡ଼ିଲେ ଯୁବକ