ଦାରିଙ୍ଗବାଡ଼ି, ୧୦/୦୨ : ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍। ଶିକ୍ଷକଙ୍କୁ ବିଦ୍ୟାଳୟରୁ ଟେକି ନେଇ ବାହାରେ ଛାଡ଼ିଲେ ସ୍ଥାନୀୟ ଯୁବକ। ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସୁକାଲାଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ବିଦ୍ୟାଳୟର ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ସବୁବେଳେ ମଦ ପିଇ ସ୍କୁଲକୁ ଆସିଥିବା ଅଭିଯୋଗ ହୋଇଛି। ଘଟଣା ବେଳର ଭିଡିଓ ଭାଇରାଲ୍ ହେଉଛି। 

ସୂଚନାନୁଯାୟୀ, ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସୁକାଲାଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ସବୁବେଳେ ମଦ ପିଇ ସ୍କୁଲକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ବଦଳରେ ଚୌକିରେ ନିଘୋଡ଼ ନିଦ୍ରାରେ ଶୋଇ ପଡୁଛନ୍ତି। ଗାଁରେ ଏନେଇ ମିଟିଂ କରି ଶିକ୍ଷକଙ୍କୁ ତାଗିଦ୍ କରିବା ସତ୍ତ୍ଵେ ଧନୁଞ୍ଜୟ ସୁଧୁରୁ ନାହାଁନ୍ତି। ପୁଣି ଥରେ ମଦ ପିଇ ସ୍କୁଲକୁ ଆସିଛନ୍ତି। ଯେଉଁଥିପାଇଁ ଗ୍ରାମର ଜଣେ ଯୁବକ ତାଙ୍କୁ ଠେଲି ଠେଲି ସ୍କୁଲ ପରିସରରୁ ବାହାର କରି ରାସ୍ତାରେ ଛାଡ଼ିଛନ୍ତି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଆଗାମୀ ଦିନରେ ଯଦି ମଦ୍ୟପ ଶିକ୍ଷକକୁ ବଦଳି ନକରାଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ଲ।ଇବା ପାଇଁ ଚେତାବନୀ ଦେଇଛନ୍ତି।

ସୁକାଲାଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ୪୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଦୁଇଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଆଦିବାସୀ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ତାହାର ବ୍ୟତିକ୍ରମ ଦେଖିବିବାକୁ ମିଳୁଛି। ଶିକ୍ଷା ଯେମିତି ଏଠି ଅପହଞ୍ଚ ହୋଇ ପଡିଛି । ଯେଉଁ ଶିକ୍ଷକ ଉପରେ ଭରସା କରି ବାପା ମାଆମାନେ ବିଦ୍ୟାଳୟକୁ ପିଲାଙ୍କୁ ପାଠ ପଢିବା ପାଇଁ ଛାଡ଼ୁଛନ୍ତି ସେହି ଶିକ୍ଷକ ପାଠ ପଢ଼ାଇବା ପରିବର୍ତ୍ତେ ନିଜେ ନିଶା ଖୋର ହୋଇ ବିଦ୍ୟାଳୟକୁ ଆସୁଛନ୍ତି । ପ୍ରଧାନ ଶିକ୍ଷକ ଦାଇତ୍ୱରେ ଥିବା ଶିକ୍ଷକ ପ୍ରଦୀପ ପ୍ରଧାନ କୌଣସି ଅଫିସ କାମରେ ବାହାରକୁ ଗଲା ଦିନ ସହକାରୀ ଶିକ୍ଷକ ସେହିଦିନ ମାତାଲ୍ ହୋଇ ବୁଲୁଛନ୍ତି। ଏହି ମଦ୍ୟପ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟ ବଦନାମ ହେଉଛି ବୋଲି ଗ୍ରମବାସୀ କହିଛନ୍ତି। ତୁରନ୍ତ ଏଭଳି ଶିକ୍ଷକକୁ ଏଠାରୁ ବଦଳି କରି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ପାରିବାରିକ କଳହର କରୁଣ ପରିଣତି, ଫ୍ୟାନରେ ଝୁଲି ପଡ଼ିଲେ ଦମ୍ପତି