ଭୁବନେଶ୍ୱର,୦୫/୦୮: ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ । ସୋମବାର ଅପରାହ୍ଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୫ ସମାରୋହର ରୂପରେଖ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବୈଠକରେ ଅଧ୍ୟକ୍ଷତା କରି ଉତ୍ସବ ଆୟୋଜନର ସମସ୍ତ ବିଷୟ ପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ ।
ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ମହାତ୍ମା ଗାନ୍ଧି ମାର୍ଗଠାରେ ଅଭ୍ୟାସ୍ ପରେଡ୍ ସୁପରିଚାଳନା କରାଯିବ । ୧୫ ତାରିଖ ଦିନ ରାଜ୍ୟସ୍ତରୀୟ ଉତ୍ସବ ପାଳନ ହେବ । ଏହି ଅବସରରେ ପରେଡ୍ ଓ ପତାକା ଉତ୍ତୋଳନ ସ୍ଥାନଠାରେ ସମସ୍ତ ବ୍ୟବସ୍ଥା ସହ ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ୍ ପରିବେଷଣ, ମୁଖ୍ୟ ମଞ୍ଚ ଓ ପରେଡ୍ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ଉତ୍ସବର ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ବିଶିଷ୍ଟ ଅତିଥି, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉପବେଶନ ବ୍ୟବସ୍ଥା, ଉତ୍ସବ ସ୍ଥଳର ସାଜସଜ୍ଜା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସାଧାରଣତନ୍ତ୍ର ଦିବସ ୨୦୨୫ରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ରଜ୍ଞାପନ ମେଢ଼ ଓ ପରେଡ୍ ଦଳଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିବେ । ଏଥିସହ ରାଜଭବନରୁ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ଆକର୍ଷଣୀୟ ଭାବେ ସଜାଇବା ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ ।
ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଉତ୍ସବର ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ ପାଇଁ ପଦକ୍ଷେପ ନିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇଠାରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ହେବ । ଆର୍ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ମଧ୍ୟ ମହାସମାରୋହରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ । ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।