ଆମ ମାତୃଭୂମି ଓଡ଼ିଶା କେବଳ ଏକ  ଭୂଖଣ୍ଡ ନୁହେଁ । କେବଳ ଏକ ଭୌଗୋଳିକ  ଅବସ୍ଥିତି ନୁହେଁ, ଏହା ୪.୫ କୋଟି  ଓଡ଼ିଆଙ୍କ ଭାବାବେଗର ଅଭିବ୍ୟକ୍ତି । ହଜାର-ହଜାର ବର୍ଷର ଆମ ଇତିହାସରୁ  ପ୍ରେରଣା ନେଇ ବିକାଶର ରାସ୍ତାରେ ଯିବା  ସତ, କିନ୍ତୁ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଜୀଙ୍କ “ବିକାଶ ଭି  ବିରାଶତ୍‌ ଭି’ ଏହି ମନ୍ତ୍ରରେ ଉଦ୍‌ବୁଦ୍ଧ  ହେବାପାଇଁ ମୁଁ ନୂଆ ଓଡ଼ିଶାର ନୂଆ ପିଢ଼ିକୁ  ସ୍ୱାଧୀନତା ଦିବସର ଏହି ଶୁଭ ଅବସରରେ  ଆହ୍ୱାନ ଜଣାଉଛି।


ଆଜି ପବିତ୍ର ସ୍ୱାଧୀନତା ଦିବସ । ପିଢ଼ି ପରେ  ପିଢ଼ିର ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳଦୁଆ  ଉପରେ ଠିଆ ହୋଇଛି ଆମ ସ୍ୱାଧୀନତା ଓ ଗଣତନ୍ତ୍ରର  ସୌଧ । ଆମର ବଳିଦାନୀ ସ୍ୱାଧୀନତା ସଂଗ୍ରାମୀ ଦିଲ୍ଲୀରୁ  ପଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ମୃତିରେ କୋଟି କୋଟି ପ୍ରଣାମ ।  ଆମର ସ୍ୱାଧୀନତା ସଂଗ୍ରାମ କେତୋଟି ହାତଗଣତି  ପରିବାରର ଅବଦାନ ନଥିଲା, ବରଂ ଏହା ଥିଲା ଗତ  ଶତାବ୍ଦୀର ସବୁଠାରୁ ବଡ଼ ଜନଆନ୍ଦୋଳନ।

ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ  ଓଡ଼ିଆ ଓ ଆଦିବାସୀ ଭାବରେ ମୁଁ ବି ସାରା ଦେଶ ଓ  ମୋ ପ୍ରିୟ ରାଜ୍ୟବାସୀଙ୍କ ସହ ଏହି ମହାନ ଉତ୍ସବରେ  ସାମିଲ । ଆଜି ରାଜଧାନୀର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ  ପ୍ୟାରେଡରେ ଯୋଗଦେବାର ଉତ୍ସାହ ଅଛି । ଏହି  ଅବସରରେ ମୁଁ ନିଶ୍ଚିତ ଭାବରେ ମୋ ସରକାର,  ଜନଆକାଂକ୍ଷା ଓ ବିକାଶର ଆଲୋଚନା କରିବି । କିନ୍ତୁ ତା’  ପୂର୍ବରୁ ମୋ ରାଜ୍ୟର ନୂଆ ଓଡ଼ିଶାର ନୂଆ ପିଢ଼ି ସହ  କିଛି କଥା- କିଛି ବ୍ୟଥା ବାଣ୍ଟିବାକୁ ଚାହୁଁଛି ।  

ଆମ ମାତୃଭୂମି ଓଡ଼ିଶା କେବଳ ଏକ ଭୂଖଣ୍ଡ  ନୁହେଁ । କେବଳ ଏକ ଭୌଗୋଳିକ ଅବସ୍ଥିତି ନୁହେଁ,  ଏହା ୪.୫ କୋଟି ଓଡ଼ିଆଙ୍କ ଭାବାବେଗର ଅଭିବ୍ୟକ୍ତି ।  ହଜାର-ହଜାର ବର୍ଷର ଆମ ଇତିହାସରୁ ପ୍ରେରଣା  ନେଇ ବିକାଶର ରାସ୍ତାରେ ଯିବା ସତ, କିନ୍ତୁ ଆମ ଯଶସ୍ୱୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ "ବିକାଶ ଭି ବିରାଶତ୍‌  ଭି' ଏହି ମନ୍ତ୍ରରେ ଉଦ୍‌ବୁଦ୍ଧ ହେବାପାଇଁ ମୁଁ ନୂଆ  ଓଡ଼ିଶାର ନୂଆ ପିଢ଼ିକୁ ସ୍ୱାଧୀନତା ଦିବସର ଏହି ଶୁଭ  ଅବସରରେ ଆହ୍ୱାନ ଜଣାଉଛି ।  

ସାରା ବିଶ୍ୱରେ ଅନେକ ସଭ୍ୟତା ଜନ୍ମ  ନେଇଛି । ଏହାର ବିଲୟ ବି ହୋଇଛି ।  ଭାରତୀୟ ସଭ୍ୟତା ଅନାଦି-ଅନନ୍ତ କାଳରୁ  ଅଛି ଏବଂ ଭାରତର ସନାତନୀ ବିଚାର  ଆହୁରି ଯୁଗ ଯୁଗ ଧରି ବଞ୍ଚିରହିବ, କାରଣ  ଆମେ ଭାରତୀୟ ଆମ ଐତିହ୍ୟ ପରମ୍ପରାକୁ  ସାଙ୍ଗରେ ନେଇ ହିଁ ଆଗକୁ ଯାଇଛୁ ।  

ମହମ୍ମଦ ଇକବାଲଙ୍କ ସାରେ ଜହାଁସେ  ଅଚ୍ଛା କବିତାର ପଦଟିଏ କହିବି "ୟୁନାନ୍‌-ଓ-ମିଶ୍ର-ଓରୋମା, ସବ୍‌ ମିଟ ଗୟେ ଜହାଁ ସେ, ଅବତକ୍‌ ମଗର  ହେ ବାକି, ନାମ ଔର ନିଶାନ୍‌ ହମାରା, କୁଛ୍‌ ବାତ୍‌ ହୈ  କି ହସ୍ତୀ ମିଟତି ନେହିଁ ହମାରି' । ସେଇ "କୁଛ୍‌ ବାତ୍‌ ହୈ  କୀ ହସ୍ତୀ' ହେଉଛି ଆମ ଭାରତୀୟ ସମାଜର ସଂସ୍କୃତି- ପରମ୍ପରା ଓ ଅସ୍ମିତା । 

୧୯୪୭ରେ ଆମର ସ୍ୱାଧୀନତା ଆନ୍ଦୋଳନ ପୂର୍ବରୁ  ଏ ଓଡ଼ିଆ ଜାତି ସମାନ୍ତରାଳ ଭାବେ ସ୍ୱତନ୍ତ୍ର ଉତ୍କଳ  ପ୍ରଦେଶ ଗଠନ ପାଇଁ ଭାରତରୁ ବିଲାତ ପର୍ଯ୍ୟନ୍ତ ସଂଘର୍ଷ  ଲଢ଼ିଥିଲା । ୧୯୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ  ଭାଷାଭିତ୍ତିକ ରାଜ୍ୟଭାବରେ ଗଠିତ ହେଲା । ଆମେ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ଲଢ଼େଇ  ଲଢ଼ିଲୁ । ଦେଶର ମୁକ୍ତି ଆନ୍ଦୋଳନ ବି ଲଢ଼ିଲୁ । ଗୋଟିଏ  ପଟେ ଆଞ୍ଚଳିକ ପରିଚୟ ପାଇଁ ଲଢ଼େଇ ସେପଟେ  ରାଷ୍ଟ୍ରୀୟ ସ୍ରୋତ । ଓଡ଼ିଶା ସାରା ଦେଶକୁ ରାଷ୍ଟ୍ରୀୟ  ଏକତାର ନୂଆ ସନ୍ଦେଶ ଦେଇଥିଲା । ଦୁଇଟି ଆନ୍ଦୋଳନ,  ଆଞ୍ଚଳିକ ସ୍ୱତନ୍ତ୍ର ପରିଚୟକୁ ସ୍ୱୀକୃତି ଓ ରାଷ୍ଟ୍ରୀୟ ମୁକ୍ତି  ସଂଗ୍ରାମ, ଏକ ଓ ଅଭିନ୍ନ, ଏହା ଓଡ଼ିଶା ହିଁ ସମ୍ଭବ କରି  ଦେଖାଇଥିଲା । 

ଆମ ଓଡ଼ିଆ ମାଟିର ଶକ୍ତି କିଛି ଅଲଗା । କିଏ  କହିଲା ଓଡ଼ିଶା କଳିଙ୍ଗ ଯୁଦ୍ଧ ହାରିଥିଲା? କଳିଙ୍ଗ ଯୁଦ୍ଧରେ  ଲକ୍ଷେ ଓଡ଼ିଆଙ୍କ ବଳିଦାନ ଦୟା ନଦୀକୁ ରକ୍ତରଞ୍ଜିତ  କରିନଥିଲା, ବରଂ ଓଡ଼ିଆଙ୍କ ବଳିଦାନ ସାରା ବିଶ୍ୱରେ  ବୌଦ୍ଧ ମତର ପ୍ରଚାର ମାଧ୍ୟମରେ ଶାନ୍ତିର ବିଜୟ  ବୈଜୟନ୍ତୀ ଉଡ଼ାଇଥିଲା । 

ରାଜ୍ୟ ଯୁଦ୍ଧ ଲଢ଼ୁଥିଲା । କିନ୍ତୁ ରାଜା ନଥିଲେ?  ବୋଧହୁଏ ଇତିହାସକାରମାନଙ୍କର ଏହା ମତ । କିନ୍ତୁ  ଆଜି ଦିନରେ ଭାରତୀୟ ଇହିହାସକାରମାନେ ସେ  ସମୟର ଯୁଦ୍ଧବ୍ୟବସ୍ଥା, ନାଗରିକ ସମାଜର ସାମୂହିକ  ନିର୍ଣ୍ଣୟ ଏବଂ ଯୁଦ୍ଧ ରଣନୀତି ଉପରେ ପୁଣି ଅନୁଧ୍ୟାନ ଓ ଗବେଷଣା କରି ଅନେକ ପରଦା ହଟାଇବାର ସମ୍ଭାବନା  ଅଛି । ଓଡ଼ିଶାରେ ଦୁଇ ହଜାର ବର୍ଷରୁ ଊଦ୍ଧ୍ୱର୍ ସମୟ  ପୂର୍ବରୁ ଗଣତନ୍ତ୍ରର ପଦଚିହ୍ନ ଖୋଜିବାକୁ ଆଜି ସମୟ  ଆସିଛି କି ନାହିଁ, ଥରେ ଚିନ୍ତା କରନ୍ତୁ? ରାଜା ନଥିଲେ,  ରାଜ୍ୟ ଓ ଯୁଦ୍ଧ ସୁପରିଚାଳନା ହେଉଥିଲା ଏହା ତ ବଡ଼ ଗବେଷଣାର ପ୍ରସଙ୍ଗ । ମାନେ, ଯଦି ଏହା ସତ ତେବେ  ଓଡ଼ିଶା ବିଶ୍ୱକୁ ନୂଆ ମ୍ୟାନେଜମେଣ୍ଟ ଥିଓରି ଶିଖାଇବାର  କ୍ଷମତା ରଖିଛି ବୋଲି କୁହାଯାଇପାରିବ ନା ନାହିଁ? 

ମୋର ଓଡ଼ିଶାର ନୂଆ ପିଢ଼ିଙ୍କୁ ଅନୁରୋଧ, ଥରେ  କୋଣାର୍କ ଯାଇ ଓଡ଼ିଶାର ବୈଜ୍ଞାନିକ ପରମ୍ପରାକୁ,  ଉଦ୍ୟମୀ ସମାଜ ତଥା ପ୍ରାଚୀନ ଯୁଗରେ ଆଧୁନିକତାର  ଛାପକୁ ଥରେ ଆଖିରେ ଦେଖନ୍ତୁ । ଆଉ ଥରେ କୋଣାର୍କ ବୁଲନ୍ତୁ, ଅନୁଭବ ଲେଖନ୍ତୁ ।  ଭଗବାନ ସୂର୍ଯ୍ୟନାରାୟଣଙ୍କ ଉଦୟରୁ ଅସ୍ତ, ଗ୍ରହମଣ୍ଡଳର  ଗତି, ପୃଥିବୀ-ସୂର୍ଯ୍ୟ-ଚନ୍ଦ୍ରର ସ୍ଥିତି-ଅବସ୍ଥିତିର ଗଭୀର  ଅଧ୍ୟୟନ ବିନା ସୂର୍ଯ୍ୟମନ୍ଦିର ସମ୍ଭବ କି? ଚତୁଃପାଶ୍ୱର୍ର ସୂର୍ଯ୍ୟମୂର୍ତ୍ତିମାନଙ୍କର ଅବସ୍ଥିତି, ଚକରେ ସମୟ ଗଣନାର  ନିର୍ଭୁଲ ପ୍ରକ୍ରିୟା ଓଡ଼ିଆ ଜାତିର ବୈଜ୍ଞାନିକ ଆଧାରର  ପ୍ରମାଣ ନା ନାହିଁ? 

ସୂର୍ଯ୍ୟମନ୍ଦିର ଆମ ପୂର୍ବପୁରୁଷମାନେ ଆଷ୍ଟ୍ରୋ  ଫିଜିକ୍ସରେ ପାରଙ୍ଗମ ଥିଲେ ବୋଲି ପ୍ରମାଣିତ କରୁନାହିଁ  କି? କୋଣାର୍କରେ ଜିରାଫର ମୂର୍ତ୍ତି ଓଡ଼ିଶାର ଆଫ୍ରିକା  ମହାଦେଶ ସହ ସମ୍ପର୍କର ସୂଚନା ଦେଉନାହିଁ କି? 

କୋଣାର୍କ କାନ୍ଥରେ ଭ୍ୟାନିଟି ବ୍ୟାଗଧାରୀ ମହିଳାଙ୍କ  ମୂର୍ତ୍ତିକୁ ଥରେ ଦେଖନ୍ତୁ । ତ୍ରୟୋଦଶ ଶତାବ୍ଦୀ ମହିଳାଙ୍କ  ହାତରେ ଭ୍ୟାନିଟି ବ୍ୟାଗ? ନୂଆ ଓଡ଼ିଶାର ନୂଆ ପିଢ଼ି  କୋଣାର୍କର ଏହି ମୂର୍ତ୍ତିକୁ ନିଜେ ଆଖିରେ ଦେଖିବା ଉଚିତ  କି ନାହିଁ? 

ଆମର ପୁଅ ପଠାଣି ସାମନ୍ତ କେତେ ଖଣ୍ଡ ବାଉଁଶ ନଳୀରେ ସୂର୍ଯ୍ୟ-ଚନ୍ଦ୍ର, ଗ୍ରହ-ନକ୍ଷତ୍ରଙ୍କ  ସ୍ଥିତି ଏବଂ ଅବସ୍ଥିତିର ନିର୍ଭୁଲ ଗଣନା କରିଥିଲେ  ନା ନାହିଁ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ପ୍ରକାଶିତ  ହେଉଥିବା ପଞ୍ଜିକାର ଗଣନାରେ କେବେ  ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣର ଗଣନା ଭୁଲ୍‌ ହୋଇଛି? ବିଜ୍ଞାନର ସୃଷ୍ଟିର କାହିଁ କେଉଁ ଶତାବ୍ଦୀ  ପୂର୍ବରୁ ଓଡ଼ିଆ ଜାତି ବିଜ୍ଞାନରେ ପାରଙ୍ଗମ ଥିଲା,  ଏହା ପ୍ରମାଣ ଦେବାର ଆବଶ୍ୟକତା ଅଛି କି? 

ଆମ ସନ୍ଥକବି ଭୀମ ଭୋଇଙ୍କର କାଳଜୟୀ କବିତା  "ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା  ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ  ଉଦ୍ଧାର ହେଉ' । ବୋଧହୁଏ ପୃଥିବୀର ସବୁଠୁ ବଡ଼  ଦାର୍ଶନିକମାନଙ୍କ ଠାରୁ ଆମ ଭୀମ ଭୋଇଙ୍କ ବିଚାର ବହୁ ଉଚ୍ଚକୋଟୀର, ଏଥିରେ ସନ୍ଦେହ କରିବାର କିଛି  ଅଛି? ଓଡ଼ିଆ ହେଉଛି ଏହି ଜାତି । ଯେଉଁଠି ସଂସ୍କୃତ  ପରେ ପ୍ରଥମେ ଓଡ଼ିଆ ଭାଷାରେ ସାରଳା ଦାସ  ମହାଭାରତ ରଚନା କରିଥିଲେ । ମହାକବି କାଳିଦାସ  ଓଡ଼ିଶାର ରାଜାଙ୍କୁ "ମହୋଦଧିପତି' ଅର୍ଥାତ୍‌ ସମୁଦ୍ରର  ରାଜା ଭାବେ ସମ୍ବୋଧିତ କରିଛନ୍ତି । 

ଆମର ସାଧବପୁଅ ପୂରା ଦକ୍ଷିଣ-ପୂର୍ବ ଏସୀୟ  ଦେଶସମୂହରେ ବେପାର ବଣିଜ କରି ଓଡ଼ିଶାକୁ  ସମ୍ପନ୍ନ କରିନଥିଲେ, ବରଂ ସମଗ୍ର ବିଶ୍ୱରେ ଓଡ଼ିଶାକୁ  ଆର୍ଥିକ ଦୃଷ୍ଟିରୁ ଏକ ଆଗୁଆ ଭୂଖଣ୍ଡ କରିଥିଲେ । ଏ  ଜାତିର ଗୌରବର ଗାଥା ଗଙ୍ଗାରୁ ଗୋଦାବରୀ ବିଜୟର  ସଫଳତା ପଛରେ ଲୁଚିଛି । 

ଆଜି ପବିତ୍ର ସ୍ୱାଧୀନତା ଦିବସରେ ନୂଆ ଓଡ଼ିଶାର  ନୂଆ ପିଢ଼ିଙ୍କୁ ଓଡ଼ିଶାର ଐତିହ୍ୟ-ପରମ୍ପରା ଏବଂ ମହାନ  ଇତିହାସର ଅଧ୍ୟୟନ କରିବା ସହ ସେଥିରେ ଗର୍ବିତ  ହେବାକୁ ଆହ୍ୱାନ ଜଣାଉଛି । 

୨୦୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦  ବର୍ଷ ପୂର୍ତ୍ତି ହେବ । ୨୦୪୭ ଦେଶ ସ୍ୱାଧୀନତାର ୧୦୦ ବର୍ଷ  ପୂର୍ତ୍ତି ହେବ । ୨୦୨୫ରୁ ୨୦୩୬ ଆଉ ୧୦-୧୧ ବର୍ଷର  ସମୟ । ୨୦୨୫ରୁ ୨୦୪୭ ଆଉ ୨୦-୨୨ ବର୍ଷ ସମୟ ।  ହାତରେ ମୋଟ୍‌ ୨ ଦଶନ୍ଧିର ସମୟ ଏବଂ ସେଥିରେ  ପ୍ରଥମ ଦଶନ୍ଧି ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।

 ଆସନ୍ତୁ, ପବିତ୍ର ସ୍ୱାଧୀନତା ଦିବସରେ ଗଣତନ୍ତ୍ରର  ଜୟ ଜୟକାର କରିବା । ତା'ସହ ବିକାଶ ପାଇଁ ହିଁ  ଗଣତନ୍ତ୍ର ଏହାର ମହତ୍ତ୍ୱକୁ ବୁଝି ବିକଶିତ ଭାରତର  ମୂଳଦୁଆ ଆମ ଜନ୍ମମାଟି ଓଡ଼ିଶାରୁ ପକାଇବା ।  ସେଥିପାଇଁ ସୁଚିନ୍ତିତ ଯୋଜନା ସହ ସମୟବଦ୍ଧ ଲକ୍ଷ୍ୟ  ଆଧାରିତ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ମୋ ସରକାର  ବଦ୍ଧପରିକର । 

ସାମ୍ନାରେ ଆମର ଭିଜନ୍‌-୨୦୩୬ ଅଛି । ୨୦୨୯  ମସିହା ସୁଦ୍ଧା ଆମର ଲକ୍ଷ୍ୟ ସଂକଳ୍ପ ପତ୍ର ମାଧ୍ୟମରେ  ଉପଲବ୍ଧ । ଗଣତନ୍ତ୍ରରେ ବିତର୍କ ଓ ଆଲୋଚନା  ମାଧ୍ୟମରେ ସବୁ ମତ, ମତ ପାର୍ଥକ୍ୟକୁ ଗୋଟିଏ  ମଞ୍ଚରେ ଏକାଠି କରି ଆସନ୍ତୁ ଆମର ଭବିଷ୍ୟତ ପାଇଁ  ଏକମତ ହେବା । 

ମୋର ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀମାନେ  ଆମର ନିଷ୍ଠାପର ଉଦ୍ୟମ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ଆର୍ଶୀବାଦ ଆମକୁ ସଫଳତାର ଶୀର୍ଷକୁ ନେଇପାରିବ  ବୋଲି ଓଡ଼ିଆ ଜାତିର ଏହା ଦୃଢ଼ ବିଶ୍ୱାସ । 

ଦିନେ ମହାପ୍ରଭୁ ବଡ଼ଭାଇଙ୍କ ସହ କଳା-ଧଳା  ଘୋଡ଼ାରେ ଚଢ଼ି ଆମ ରାଜା ଓ ରାଜ୍ୟବାସୀଙ୍କ ମାନ  ରଖିବା ପାଇଁ କାଞ୍ଚି ବିଜୟରେ ବାହାରିଥିଲେ । ଓଡ଼ିଆଙ୍କ  ଏହି ଅଖଣ୍ଡ ଜନବିଶ୍ୱାସରେ ଜଣେ ସାଧାରଣ ଓଡ଼ିଆ ଓ  ଆଦିବାସୀ ଭାବରେ ମୁଁ ବି ସାମିଲ । ଆସନ୍ତୁ, ପୁଣି ଆମ ରାଜ୍ୟ ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବାପାଇଁ ଆଜି  ଦିନରେ ଶପଥ ନେବା । 

ବନ୍ଦେ ଉତ୍କଳ ଜନନୀ । ଭାରତ ମାତା କୀ ଜୟ ।