ନୂଆଦିଲ୍ଲୀ: କାନାଡାରୁ ନିଜର ହାଇକମିଶନରଙ୍କୁ ଫେରାଇ ଆଣିବା ପରେ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି ଭାରତ ସରକାର । ସେମାନଙ୍କୁ ଅକ୍ଟୋବର ୧୯ (ଶନିବାର) ରାତି ୧୧.୫୯ ପୂର୍ବରୁ ଭାରତ ଛାଡ଼ିବାକୁ କୁହାଯାଇଛି । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭିତ୍ତିହୀନ ଅଭିଯୋଗ ଆଣିଥିବା କାନାଡା ସରକାର ବିରୋଧରେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଭାରତ ଯେଉଁ ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ସେମାନଙ୍କ ମଧ୍ୟରେ ଆକ୍ଟିଂ ହାଇକମିଶନର ଷ୍ଟିୱର୍ଟ ରସ୍ ହ୍ୱିଲର, ଡେପୁଟି ହାଇକମିଶନର ପ୍ୟାଟ୍ରିକ୍ ହେବର୍ଟ, ଫର୍ଷ୍ଟ ସେକେଟ୍ରାରୀ ମୈରୀ କୈଥରିନ୍ ଜୋଲି, ଫର୍ଷ୍ଟ ସେକ୍ରେଟାରୀ ଲୈନ ରସ୍ ଡେଭିଡ୍ ଟ୍ରାଇଟ୍ସ, ଫର୍ଷ୍ଟ ସେକ୍ରେଟାରୀ ପାଉଲ ଓରଜୁଏଲାଙ୍କ ନାଁ ସାମିଲ ରହିଛି ।
ଏହି ନିର୍ଦ୍ଦେଶର କିଛି ଘଣ୍ଟା ପୂର୍ବରୁ ଭାରତ ସରକାର କାନାଡାରେ ଅବସ୍ଥାପିତ ନିଜ ହାଇକମିଶନର ଏବଂ ଟାର୍ଗେଟ୍ କରାଯାଉଥିବା ଅନ୍ୟ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କୁ ସ୍ୱଦେଶ ଫେରାଇ ଆଣିବେ ବୋଲି ଘୋଷଣା କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଥିଲା । ଏହା ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ନୂଆ ଦିଲ୍ଲୀରେ କାନାଡା ହାଇକମିଶନରଙ୍କୁ ତଲବ କରିଥିଲା ।
ଏହାସହ କାନାଡା ଦ୍ୱାରା ଭାରତୀୟ ହାଇକମିଶନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ କୌଣସି ମାମଲାରେ ତଦନ୍ତ ପାଇଁ ତଲବ କରାଯିବାକୁ କଡ଼ା ଭର୍ତ୍ସନା କରିଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି ।
କାନାଡା ରବିବାର କହିଥିଲା ଯେ, ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି ଏବଂ ଏମାନଙ୍କୁ ପର୍ସନ ଅଫ୍ ଇନଟ୍ରେଷ୍ଟ ବୋଲି କହିଥିଲା । ସୋମବାର ଅପରାହ୍ଣରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ କାନାଡାର ବ୍ୟବହାର ଏହି ମାମଲାରେ ଅତ୍ୟନ୍ତ ଆପତ୍ତିଜନକ ଏବଂ ଦୁଇ ଦେଶର ସମ୍ପର୍କ ପାଇଁ ଠିକ୍ ନୁହେଁ ।