ନୂଆଦିଲ୍ଲୀ, ୨୩/୦୩: ଭାରତର  ଅଭିବୃଦ୍ଧିରୁ ସମଗ୍ର ବିଶ୍ୱକୁ ଫାଇଦା ହେବ ।  ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ  ଏହା କହିଛନ୍ତି । ମୁମ୍ବାଇରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା  ପ୍ରକାଶ କରିଛନ୍ତି । ଗେଟ୍‌ସ ଆହୁରି ଭାରତର ଦ୍ରୁତ  ନବସୃଜନକୁ ପ୍ରଶଂସା କରିଛନ୍ତି ।

ସେ  କହିଲେ ଯେ, ୨୦୪୭ ସୁଦ୍ଧା ଭାରତ  ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଏହା  କେବଳ ଭାରତରେ ପରିବର୍ତ୍ତନ ଆଣିବ  ନାହିଁ ବରଂ ବିଶ୍ୱ ଉପରେ ବି ଏହାର  ସକାରାତ୍ମକ ପ୍ରଭାବ ପଡ଼ିବ । 

ଗେଟ୍‌ସ କହିଲେ ଯେ, ଭାରତରେ  ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ପ୍ରମୁଖ କ୍ଷେତ୍ରକୁ  ପ୍ରାଥମିକତା ଦିଆଯାଉଛି । ଏହାର  ସକାରାତ୍ମକ ଗତିଶୀଳତା ଦେଖିବାକୁ  ମିଳୁଛି । ଭାରତର ଅର୍ଥନୈତିକ ଅଭିବୃଦ୍ଧି  ଦୃଶ୍ୟପଟକୁ ଆଶାଜନକ କହିବା ସହ  ଗେଟ୍‌ସ କହିଲେ ଯେ, ଭାରତରେ ବିକାଶ  ହାର ୫% ରହିବ କି ୧୦%, ତାହାକୁ ନେଇ  ତର୍କ ହେଉଛି । କିନ୍ତୁ ମୋତେ ଅନୁଭବ  ହେଉଛି ଯେ, ଅଭିବୃଦ୍ଧି ୧୦% ପର୍ଯ୍ୟନ୍ତ  ପହଞ୍ଚି ନ ପାରେ କିନ୍ତୁ ୫% ତଳକୁ ବି  ଖସିବ ନାହିଁ ।  

ଅର୍ଥନୈତିକ ଅଭିବୃଦ୍ଧି ସ୍ୱାସ୍ଥ୍ୟ ଏବଂ  ଶିକ୍ଷାରେ ଅଧିକ ସରକାରୀ ନିବେଶକୁ  ସକ୍ଷମ କରିବ, ଯାହାଦ୍ୱାରା ମହତ୍ୱପୂର୍ଣ୍ଣ  ଅବସର ସୃଷ୍ଟି ହେବ । ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଗେଟ୍‌ସ  କହିଲେ ଯେ, ଏହି ପ୍ରଯୁକ୍ତି ବିରାଟ  ପରିବର୍ତ୍ତନ ଆଣିବ । ସେ ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ଯେ, ଏଆଇ ଦ୍ୱାରା ବଡ଼  ଆକାରରେ ଚାକିରି ଚାଲିଯିବ । 

ଗେଟ୍‌ସ ଭାରତର ଏଆଇ  ଡେଭଲପ୍‌ମେଣ୍ଟ ଆପ୍ରୋଚ୍‌କୁ ପ୍ରଶଂସା  କରିଛନ୍ତି । ସେ କହିଲେ ଯେ, ସ୍ଥାନୀୟ  ଆବଶ୍ୟକତା ଅନୁସାରେ ଭାରତ ଓପନ୍‌-ସୋର୍ସ ଫାଉଣ୍ଡେସନ ମଡେଲ୍‌କୁ  ଆପଣାଇଛି । ଏହା ପ୍ରଶଂସନୀୟ । ଏହାଦ୍ୱାରା  ଭାରତୀୟ ଭାଷାଗୁଡ଼ିକୁ ସପୋର୍ଟ ମିଳିବ । ଆଧାର ଏବଂ ୟୁପିଆଇ ସମେତ ଭାରତର  ଡିଜିଟାଲ ପବ୍ଲିକ୍‌ ଭିତ୍ତିଭୂମିକୁ ପ୍ରଶଂସା  କରିଛନ୍ତି ବିଲ୍‌ ଗେଟ୍‌ସ । ଏହା ବିଶ୍ୱ ପାଇଁ  ଦେଶର ଅନ୍ୟତମ ମହତ୍ୱପୂର୍ଣ୍ଣ ଯୋଗଦାନ  ବୋଲି ସେ କହିଛନ୍ତି । ଗେଟ୍‌ସ କହିଲେ  ଯେ, ଯେତେଥର ଭାରତ ଆସିଛି ଅନେକ  କମ୍ପାନି ଏହି ଡିଜିଟାଲ ଭିତ୍ତିଭୂମିର ଲାଭ  ଉଠାଉଥିବା ଦେଖିଆସୁଛି । ସେ ବ୍ୟାଙ୍କିଙ୍ଗ୍‌  ହେଉ କିମ୍ବା ଷ୍ଟକ୍‌ ଟ୍ରେଡିଂ, ଭାରତର  ନବସୃଜନ ଦ୍ରୁତ ବେଗରେ ଆଗକୁ ବଢୁଛି।  

ପ୍ରକାଶଯୋଗ୍ୟ, ମାଇକ୍ରୋସଫ୍ଟର  ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବିଶ୍ୱର  ୧୧ତମ ଧନୀ ବ୍ୟକ୍ତି । ଫୋର୍ବସ ଅନୁସାରେ,  ତାଙ୍କ ନେଟ୍‌ ସମ୍ପତ୍ତି ୧୦୭୧୦ କୋଟି ଡଲାର  ବା ପାଖାପାଖି ୯.୨୧ ଲକ୍ଷ କୋଟି ଟଙ୍କା ।  ସେ ୧୯୭୫ରେ ମାଇକ୍ରୋସଫ୍ଟର ସ୍ଥାପନା  କରିଥିଲେ । ୨୦୦୦ ମସିହା ଯାଏ ସେ  କମ୍ପାନିରେ ସିଇଓ ପଦରେ ଥିଲେ ।