ନୂଆଦିଲ୍ଲୀ,୧୩/୦୯:  ଭାରତୀୟ ବାୟୁସେନା ଦେଶରେ ୧୧୪ଟି ରାଫେଲ ଲଢ଼ୁଆ ବିମାନ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ୨ ଲକ୍ଷ କୋଟି ଟଙ୍କାର ଏହି ଚୁକ୍ତି ମେକ ଇନ ଇଣ୍ଡିଆ ଅଧୀନରେ ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ହେବ, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିବ । ଯଦି ସରକାରଙ୍କଠାରୁ ଏହି ପ୍ରୋଜେକ୍ଟକୁ ଗ୍ରୀନ ସିଗନାଲ ମିଳୁଛି ତେବେ ଏହା ଦେଶର ଇତିହାସରେ ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ହେବ।

ସୂଚନା ଅନୁସାରେ, ଏହି ପ୍ରକଳ୍ପ ପାଇଁ, ଭାରତ ରାଫେଲ ନିର୍ମାଣକାରୀ ଦେଶ ଫ୍ରାନ୍ସ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବ। ଏହା ପରେ, ରାଫେଲ ନିର୍ମାଣକାରୀ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏକ ସ୍ୱଦେଶୀ କମ୍ପାନୀ ସହ ଭାରତରେ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବ। ଭାରତରେ ନିର୍ମିତ ହେବାକୁ ଥିବା ରାଫେଲ ଯୁଦ୍ଧ ବିମାନଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ରହିବ । ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ବିରୁଦ୍ଧରେ ଭାରତୀୟ ବାୟୁସେନାର ବର୍ତ୍ତମାନର ରାଫେଲ ଲଢ଼ୁଆ ବିମାନର କାର୍ଯ୍ୟକ୍ଷମ କ୍ଷମତାକୁ ଦୃଷ୍ଟିରେ ରଖି ମେକ୍ ଇନ୍ ଇଣ୍ଡିଆ ଅଧୀନରରେ ଫ୍ରାନ୍ସ ଲଢ଼ୁଆ ବିମାନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦୧୬ରେ ଭାରତ ଫ୍ରାନ୍ସରୁ ୩୬ଟି ରାଫେଲ ଲଢ଼ୁଆ ବିମାନ କ୍ରୟ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ଭାରତୀୟ ବାୟୁସେନା ବର୍ତ୍ତମାନ ବ୍ୟବହାର କରୁଥିଲା ୩୬ଟି ରାଫେଲ ଯୁଦ୍ଧ ବିମାନରେ ମେଟିଓର, ମିକା ଏବଂ ସ୍କେଲପ୍ କ୍ଷେପଣାସ୍ତ୍ର ରହିଛି । ଏଗୁଡ଼ିକ ଫ୍ରାନ୍ସ କ୍ଷେପଣାସ୍ତ୍ର। କିନ୍ତୁ ମେକ ଇନ ଇଣ୍ଡିଆ ରାଫେଲ ଯୁଦ୍ଧ ବିମାନରେ ସ୍ୱଦେଶୀ କ୍ଷେପଣାସ୍ତ୍ର ରହିବ ।