ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ। ନିଜେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ନେଇ ରଖିଛନ୍ତି ଉତ୍ତର। ସେ ସୋମବାର କହିଛନ୍ତି ଯେ , ଭାରତ ଓ ଆମେରିକା ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟର ଅଧିକାଂଶ ବ୍ୟବସ୍ଥାକୁ ଅନ୍ତିମ ରୂପ ଦେଇଛନ୍ତି। ବର୍ତ୍ତମାନ ଆଲୋଚନା କିଛି ଛୋଟ ପ୍ରସଙ୍ଗ ମଧ୍ୟରେ ସୀମିତ ରହିଛି। ଗୋୟଲ ଗଣମାଧ୍ୟମକୁ କହିଛନ୍ତି -ଏହି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଅନ୍ତିମ ରୂପ ଦେବାକୁ ଆମେରିକାର ପ୍ରତିନିଧିମଣ୍ଡଳ ଭାରତରେ ଅଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ଜୁନ୍ ୨ରୁ ୪ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ଦେଶ ୩ ଫେବ୍ରୁଆରୀରେ ଏହି ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ପାଇଁ ରୂପରେଖ ସ୍ପଷ୍ଟ ହେବାର ଘୋଷଣ କରିଥିଲେ।

ଗୋୟଲ କହିଛନ୍ତି – ପ୍ରାୟ ସବୁକିଛି ଚୂଡ଼ାନ୍ତ ହୋଇ ସାରିଛି। ଯେପରି ଆମେରିକାର ରାଷ୍ଟ୍ରଦୂତ ମଧ୍ୟ କହିଛନ୍ତି ଯେ, ୯୯ ପ୍ରତିଶତ ପ୍ରସଙ୍ଗରେ ସହମତି ହୋଇ ସାରିଛି। ଏବେ କେବଳ ଛୋଟ ଛୋଟ ପଏଣ୍ଟକୁ ନେଇ ଆଲୋଚନା କରାଯାଉଛି। ସେ କହିଛନ୍ତି ଯେ, ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ସମୟରେ, ଏହା ଉପରେ ମଧ୍ୟ ଆଲୋଚନା କରାଯାଉଛି ଯେ, ଆମେରିକାରେ ଆଇନଗତ ପରିବର୍ତ୍ତନ ଗୁଡ଼ିକୁ ଏଥିରେ କିପରି ସାମିଲ କରାଯିବ। ସେ ବିଶ୍ୱାସ କରିଛନ୍ତି ଯେ, ଏହି ସମସ୍ୟାଗୁଡ଼ିକର ସମାଧାନ ହେବା ପରେ, ଉଭୟ ଦେଶ BTAର ପ୍ରଥମ ପର୍ଯ୍ୟାୟକୁ ଅନ୍ତିମ ରୂପ ଦେବା ସହ ଶୀଘ୍ର ଏଥିରେ ଦସ୍ତଖତ କରିବେ। ଗୋୟଲ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ପରେ, ବ୍ୟାପକ ବାଣିଜ୍ୟ ଚୁକ୍ତିନାମା ପାଇଁ ଆହୁରି ଆଲୋଚନା ଆରମ୍ଭ ହେବ।

ଭାରତ ଓ ଆମେରିକା ଗତବର୍ଷ ପ୍ରାରମ୍ଭରେ ଏକ ଦ୍ଵିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ପ୍ରୟାସ ଆରମ୍ଭ କରି ଥିଲେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ଉତ୍ପାଦ ଉପରେ ଜବାବୀ ସୀମା ଶୁଳ୍କ ଲାଗୁ କରାଯିବା ପରେ, ଏହାର ପ୍ରଗତି ବାଧାପ୍ରାପ୍ତ ହୋଇ ଥିଲା। ଉଲ୍ଲେଖନୀୟ ଯେ, ଆମେରିକୀୟ ଦଳର ନେତୃତ୍ୱ ମୁଖ୍ୟ ଆଲୋଚନାକାରୀ ବ୍ରେଣ୍ଡନ ଲିଞ୍ଚ ନେଉଛନ୍ତି। ଅନ୍ୟପଟେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ତଥା ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ।

ଉଲ୍ଲେଖନୀୟ ଯେ, ଭାରତ - ଆମେରିକା ମଧ୍ୟରେ ଆଲୋଚନାରେ ଉଭୟ ପକ୍ଷର ଉଦ୍ଦେଶ୍ୟ ହେଉଛି, ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାର ବିବରଣୀକୁ ଚୂଡ଼ାନ୍ତ ରୂପ ଦେବା। ଏହି ଅନୁସାରେ ବ୍ୟାପକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଅଧୀନରେ ବଜାର ପ୍ରବେଶ, ଅଣ-ଶୁଳ୍କ ପଦକ୍ଷେପ, କଷ୍ଟମ୍ ଏବଂ ବାଣିଜ୍ୟ ସୁବିଧା, ନିବେଶ ପ୍ରୋତ୍ସାହନ ଏବଂ ଆର୍ଥିକ ସୁରକ୍ଷା ସମନ୍ୱୟ ଭଳି ଅନେକ କ୍ଷେତ୍ରରେ ଆଲୋଚନା ଆଗକୁ ବଢ଼ିବା। ଗତ ସପ୍ତାହରେ, ଭାରତ ବାଣିଜ୍ୟ ଚୁକ୍ତିନାମାର ଶେଷ ଏକ ପ୍ରତିଶତକୁ ଅନ୍ତିମ ରୂପ ଦେବା ପାଇଁ ୱାଶିଂଟନ ଡିସିକୁ ଏକ ଦଳ ପଠାଇ ଥିଲା ।

ଆହୁରି ମଧ୍ୟ ପଢନ୍ତୁ : Mamata Banerjee Allegation : ଏହି ଦଳର ବିଧାୟକଙ୍କୁ ଦଳ ଛାଡ଼ିବାକୁ ଧମକ ଦେଉଛି ପୁଲିସ