​​​​​​​ନୂଆଦିଲ୍ଲୀ, ୨୦।୫: ବିଶ୍ୱ ପ୍ରତିରକ୍ଷା ବଜାରରେ ଏବେ 'ମେକ୍ ଇନ୍ ଇଣ୍ଡିଆ' ର ଦବ୍‌ଦବା ଦେଖିବାକୁ ମିଳୁଛି । ଭାରତରେ ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଚାହିଦା ଏବେ ଆନ୍ତର୍ଜାତୀୟ ସ୍ତରରେ ଗ୍ରାଫ୍‌ ଉପରକୁ ନେବାରେ ଲାଗିଛି । ଏହି କ୍ରମରେ ଭାରତ ପାଇଁ ଏକ ବଡ଼ ରଣନୀତିକ ସଫଳତା ସାମ୍ନାକୁ ଆସିଛି । ଭାରତର ସବୁଠାରୁ ଭରସାଯୋଗ୍ୟ ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ଆର୍ମେନିଆ ଏବେ କେବଳ ଭାରତରୁ ଅସ୍ତ୍ରଶସ୍ତ୍ର କିଣୁନାହିଁ, ବରଂ ଭାରତ ସହାୟତାରେ ନିଜ ଦେଶ ମାଟିରେ 'ଗାଇଡେଡ୍ ପିନାକା ରକେଟ୍' ଏବଂ '୧୫୫ ମିମି ଆର୍ଟିଲାରୀ ଗୋଳା'ର ସ୍ଥାନୀୟ ଉତ୍ପାଦନ କରିବାକୁ ସେଟ୍‌ଅପ୍‌ ପ୍ରସ୍ତୁତ କରୁଛି । ଏହି ମେଗା ପ୍ରୋଜେକ୍ଟକୁ ନେଇ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଯାଇଛି, ଯାହା ଆଗାମୀ ଦିନରେ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଭାରତ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

କ୍ରୟରୁ ସ୍ଥାନୀୟ ଉତ୍ପାଦନ: ଆର୍ମେନିଆର ବଡ଼ ରଣନୀତି

ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ନିର୍ମିତ 'ପିନାକା ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍' (MBRL) ସିଷ୍ଟମ୍ କିଣିବାରେ ଆର୍ମେନିଆ ଥିଲା ବିଶ୍ୱର ପ୍ରଥମ ବିଦେଶୀ ରାଷ୍ଟ୍ର । ପ୍ରାୟ ୨,୦୦୦ କୋଟି ଟଙ୍କାର ଏହି ବଡ଼ ଚୁକ୍ତି ପରେ, ଭାରତ ପକ୍ଷରୁ ଅତ୍ୟାଧୁନିକ ଗାଇଡେଡ୍ ପିନାକା ରକେଟ୍‌ର ପ୍ରଥମ ବ୍ୟାଚ୍‌ ସଫଳତାର ସହ ଆର୍ମେନିଆକୁ ହସ୍ତାନ୍ତର କରାଯାଇ ସାରିଛି । ତେବେ ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତିକୁ ଦେଖି ଆର୍ମେନିଆ ଏହି ବନ୍ଧୁତାକୁ କେବଳ କ୍ରେତା-ବିକ୍ରେତା ମଧ୍ୟରେ ସୀମିତ ରଖିବାକୁ ଚାହୁଁନାହିଁ ବରଂ, ଭାରତର ସହାୟତାରେ ନିଜ ଦେଶରେ ହିଁ ମେଡ୍‌ ଇନ୍‌ ଇଣ୍ଡିଆ ଟେକ୍ନୋଲୋଜି ବ୍ୟବହାର କରି ଅସ୍ତ୍ର ଉତ୍ପାଦନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଆର୍ମେନିଆ ଏଭଳି ପଦକ୍ଷେପ କାହିଁକି ନେଉଛି ?

ପଡ଼ୋଶୀ ଦେଶ ଅଜରବୈଜାନ ସହ ଦୀର୍ଘ ଦିନ ଧରି ଚାଲିଥିବା ସୀମା ବିବାଦ ଏବଂ କ୍ଷେତ୍ରୀୟ ଅଶାନ୍ତି ମଧ୍ୟରେ ଆର୍ମେନିଆ ନିଜର ସାମରିକ ଶକ୍ତିକୁ ସୁଦୃଢ଼ କରିବାକୁ ଚାହୁଁଛି । ଏହି ସ୍ଥାନୀୟ ଉତ୍ପାଦନ ପଛରେ ଦୁଇଟି ମୁଖ୍ୟ କାରଣ ରହିଛି:

ସପ୍ଲାଇ ଚେନ୍‌ର ସୁରକ୍ଷା: ଯୁଦ୍ଧ କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଯୋଗାଣରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ନିଜ ମାଟିରେ ଉତ୍ପାଦନ କରିବା ସବୁଠୁ ନିରାପଦ ମାଧ୍ୟମ ।

ଅନ୍ୟ ଦେଶ ଉପରୁ ନିର୍ଭରଶୀଳତା ହ୍ରାସ: ଆର୍ମେନିଆ ନିଜର ପୁରୁଣା ପାରମ୍ପରିକ ସହଯୋଗୀ ଯେପରିକି ରୁଷ ଉପରେ ଅଧିକ ନିର୍ଭର ନକରି, ଭାରତ ଭଳି ଏକ ନୂଆ ଏବଂ ଅତି ବିଶ୍ୱାସୀ ସାମରିକ ଅଂଶୀଦାର ସହ ସମ୍ପର୍କକୁ ଅତି ମଜଭୁତ କରିବାକୁ ଚାହୁଁଛି ।

କେବେ ସୁଦ୍ଧା ଆରମ୍ଭ ହେବ ପ୍ରକଳ୍ପ ?

ସୂତ୍ର ଅନୁଯାୟୀ, ଭାରତୀୟ ପ୍ରତିରକ୍ଷା କମ୍ପାନୀ ଏବଂ ଆର୍ମେନିଆର ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ମଧ୍ୟରେ ମାନୁଫ୍ୟାକ୍ଚରିଂ ଇନଫ୍ରାଷ୍ଟ୍ରକ୍ଚର, ବିନିଯୋଗ ମଡେଲ ଏବଂ ଟେକ୍ନୋଲୋଜି ସ୍ଥାନାନ୍ତରର ସର୍ତ୍ତାବଳୀକୁ ନେଇ କ୍ରମାଗତ ଭାବେ ଗମ୍ଭୀର ଆଲୋଚନା ଚାଲିଛି ।

ଦୁଇ ଦେଶ ମଧ୍ୟରେ ସବୁ ସର୍ତ୍ତ ଉପରେ ସହମତି ପ୍ରକାଶ ପାଇଲେ, ଚଳିତ ବର୍ଷ ଶେଷ ସୁଦ୍ଧା ଆଧିକାରିକ ଭାବେ ପ୍ରଥମ ପ୍ରାରମ୍ଭିକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇପାରେ । ୨୦୨୭ ଅର୍ଥାତ୍ ଆଗାମୀ ବର୍ଷରେ ଉତ୍ପାଦନ ୟୁନିଟ୍ ପାଇଁ ଜମି ଚୟନ, ଆଧୁନିକ ମେସିନାରୀ ସ୍ଥାପନ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରାୟଲ ଆସେମ୍ବଲି କାର୍ଯ୍ୟ ଆରମ୍ଭ ହେବାର ଆଶା ରହିଛି । ଯଦି ସବୁକିଛି ଯୋଜନା ମୁତାବକ ଚାଲେ, ତେବେ ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ ଆର୍ମେନିଆ ମାଟିରେ ଗାଇଡେଡ୍ ପିନାକା ରକେଟ୍ ଏବଂ ୧୫୫ ମିମି ଗୋଳାର ପୂର୍ଣ୍ଣ କମର୍ସିଆସଲ ପ୍ରଡକ୍ଟସନ ଆରମ୍ଭ ହୋଇଯିବ ।

​​​​​​​

ଏହି ୩ଟି ବଡ଼ ସର୍ତ୍ତ ଉପରେ ନିର୍ଭର କରେ ପ୍ରକଳ୍ପର ସଫଳତା:

ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ସଫଳ ରୂପାୟନ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନିର୍ଭର କରିବ:

୧. ଟେକ୍ନୋଲୋଜି ସ୍ଥାନାନ୍ତର (ToT): ଭାରତ ନିଜର ଏହି ସୁପରସୋନିକ୍ ଏବଂ ଅତ୍ୟାଧୁନିକ ଗାଇଡେଡ୍ ମିସାଇଲ୍ ଟେକ୍ନୋଲୋଜିର କେତେ ପ୍ରତିଶତ ଆର୍ମେନିଆକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛି, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

୨. ଭିତ୍ତିଭୂମି ଓ ପୁଞ୍ଜି ବିନିଯୋଗ: ଆର୍ମେନିଆ ସରକାର ନିଜ ଦେଶରେ ଏହି ପ୍ରତିରକ୍ଷା କାରଖାନା ଏବଂ ଏହାର ଭିତ୍ତିଭୂମି ପାଇଁ କେତେ ବଡ଼ ପରିମାଣର ଆର୍ଥିକ ବିନିଯୋଗ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

୩. କାକେସସ୍ ଅଞ୍ଚଳର ଭୂ-ରାଜନୀତି: କାକେସସ୍ କ୍ଷେତ୍ରରେ ବଦଳୁଥିବା ଆନ୍ତର୍ଜାତୀୟ ରାଜନୀତି ଏବଂ ଆଞ୍ଚଳିକ ସମୀକରଣ କେଉଁ ମୋଡ଼ ନେଉଛି, ତାହା ମଧ୍ୟ ଏହି ପ୍ରକଳ୍ପକୁ ପ୍ରଭାବିତ କରିପାରେ ।

ଯଦି ଏହି ଆଲୋଚନା ଏକ ଚୂଡ଼ାନ୍ତ ଚୁକ୍ତିରେ ପରିଣତ ହୁଏ, ତେବେ ଏହା କେବଳ ଭାରତ ଓ ଆର୍ମେନିଆର ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେବ ନାହିଁ, ବରଂ ଗ୍ଲୋବାଲ ଡିଫେନ୍ସ ଏକ୍ସପୋର୍ଟ କ୍ଷେତ୍ରରେ ଭାରତର ଇତିହାସରେ ଏକ ସ୍ୱର୍ଣ୍ଣିମ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ବିଶ୍ୱ ଏବେ ଦେଖିବ ଯେ, ଭାରତ କେବଳ ଅସ୍ତ୍ର ରପ୍ତାନି କରୁନାହିଁ, ବରଂ ଅନ୍ୟ ଦେଶକୁ ଆତ୍ମନିର୍ଭରଶୀଳ କରିବାର କ୍ଷମତା ମଧ୍ୟ ରଖୁଛି ।

ଆହୁରି ପଢ଼ନ୍ତୁ... ବେକାର ଯୁବକଙ୍କ ସ୍ୱର ‘କକ୍ରୋଚ୍‌ ଜନତା ପାର୍ଟି’, ୩ ଦିନରେ ୧ ଲକ୍ଷ ସଦସ୍ୟ