ନୂଆଦିଲ୍ଲୀ : ହୋର୍ମୁଜ ପ୍ରଣାଳୀରେ ସଙ୍କଟ ମଧ୍ୟରେ ଭାରତ ଶକ୍ତି ସପ୍ଲାଇ ପାଇଁ ବିଦେଶୀ ନିର୍ଭରତାକୁ ଲଗାତାର ହ୍ରାସ କରିବାକୁ ପ୍ରୟାସ ଦ୍ରୁତ କରି ଦେଇଛି। ପ୍ରଥମେ ଭାରତ କ୍ରୁଡ୍ ଅଏଲ , ଏଲଏନଜି ଓ ଏଲପିଜି ଭଳି ଶକ୍ତି ଆବଶ୍ୟକତା ପାଇଁ ୨୭ଟି ଦେଶ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ଆଜି ଏହି ସଂଖ୍ୟା ବଢି ୪୧ଟି ଦେଶ ଯାଏ ପହଞ୍ଚି ଯାଇଛି। ଏଥିରେ ସପ୍ଲାଇ ଉତ୍ସରେ ବିବିଧତା ଆସିଛି ଏବଂ କୌଣସି ଗୋଟିଏ କ୍ଷେତ୍ର କିମ୍ୱା ସାରା ଦେଶରେ ଅତ୍ୟଧିକ ନିର୍ଭରତା ହ୍ରାସ ପାଇଛି। ସରକାର ଘରୋଇ ଗ୍ୟାସ୍ ସପ୍ଲାଇକୁ ମଜବୁତ କରିବା ପାଇଁ ଏଲିପିଜି ସହ ପିଏନଜିକୁ ପ୍ରାଧ୍ୟାନ୍ୟ ଦେଇଛନ୍ତି। ଏହାସହ , ସାମୁଦ୍ରିକ ପରିବହନରେ ଆତ୍ମନିର୍ଭରତା ପାଇଁ ବିଦେଶୀ ଜାହାଜ ଗୁଡ଼ିକ ଉପରେ ନିର୍ଭରତା କମାଇବାର ସଂକଳ୍ପ ନିଆଯାଇଛି, କାରଣ ବର୍ତ୍ତମାନରେ ଭାରତର ୯୦ ପ୍ରତିଶତରୁ ଅଧିକ ବ୍ୟାପାର ବିଦେଶୀ ଜାହାଜ ଦ୍ୱାରା ହୋଇଥାଏ।
ଏହି ସଙ୍କଟ ବେଳେ ଭାରତର ଆର୍ଥିକ ଶକ୍ତି ଏବଂ ପ୍ରସ୍ତୁତି ଆତ୍ମବିଶ୍ବାସ ବୃଦ୍ଧି କରିଛି। ଗତ ଦଶନ୍ଧି ଧରି, ଶକ୍ତି ସଙ୍କଟକୁ ସମାଧାନ କରିବା ପାଇଁ ଅଶୋଧିତ ତୈଳ ସଂରକ୍ଷଣକୁ ପ୍ରାଥମିକତା ଦିଆଯାଇଛି। ବର୍ତ୍ତମାନ, ଦେଶରେ ତିନୋଟି ସ୍ଥାନରେ (ବିଶାଖାପାଟଣା, ମାଙ୍ଗାଲୁରୁ ଏବଂ ପାଦୁର) ୫.୩ ନିୟୁତ ମେଟ୍ରିକ୍ ଟନରୁ ଅଧିକ ପେଟ୍ରୋଲିୟମ୍ ଭଣ୍ଡାର ରହିଛି । ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖିଛନ୍ତି। ସରକାର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସ୍ୱଦେଶୀ ଜାହାଜ ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୭୦ ହଜାକ କୋଟି ଟଙ୍କାର ଏକ ଯୋଜନା ଅଧୀନରେ ଭାରତରେ ନିର୍ମିତ ଜାହାଜ ନିର୍ମାଣ କରାଯାଉଛି, ଯାହା ବିଶ୍ୱ ସଙ୍କଟ ସମୟରେ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବ।
ବର୍ତ୍ତମାନର ପଶ୍ଚିମ ଏସିଆ ସଙ୍କଟ ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଛି । ହୋର୍ମୁଜ୍ ପ୍ରଣାଳୀ ଭଳି ଅନ୍ତର୍ଜାତୀୟ ଜଳପଥ ଅବରୋଧ ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ । ଭାରତ ନାଗରିକ, ନାଗରିକ ଭିତ୍ତିଭୂମି, ଶକ୍ତି ଏବଂ ପରିବହନ ସୁବିଧା ଉପରେ ଯେକୌଣସି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୂଟନୀତି ମାଧ୍ୟମରେ, ଭାରତ ଏହାର ଜାହାଜର ନିରାପଦ ଯାତାୟାତ ପାଇଁ ନିରନ୍ତର ପ୍ରୟାସ ଚଳାଇଛି। ଆଲୋଚନା ପାଇଁ ସମର୍ଥନ କରୁଛି।