ନୂଆଦିଲ୍ଲୀ,୩୧/୦୫: ତୁର୍କୀ ଅର୍ଥବ୍ୟବସ୍ଥା ପୂର୍ବରୁ ହିଁ ଭେଣ୍ଟିଲେଟରରେ ଥିଲା । ଏବେ ଭାରତର ବୟକଟ୍‌ ଏହାର ଯନ୍ତ୍ରଣାକୁ  ଆହୁରି ବଢ଼ାଇଦେଇଛି । ୨୦୨୫ର ପ୍ରଥମ  ତ୍ରୟମାସରେ ତୁର୍କୀର ଅର୍ଥନୈତିକ ଅଭିବୃଦ୍ଧି  ମାତ୍ର ୨% ରହିଛି, ଯାହା ଆଶାଠାରୁ ଅନେକ  ମାତ୍ରାରେ କମ୍‌ । ରୟଟର୍ସ ପକ୍ଷରୁ କରାଯାଇଥିବା  ଏକ ସର୍ଭେରେ ୨.୩% ଅନୁମାନ ରହିଥିଲା ।  ଭାରତରେ ତୁର୍କୀ ସାମଗ୍ରୀ ଏବଂ ସେବାର ବର୍ଜନ  ବଢ଼ିଚାଲିଛି । ଏହା ତୁର୍କୀର ଆର୍ଥିକ ସଂକଟକୁ  ଆହୁରି ଭୟଙ୍କର କରିପାରେ ।  

ଭାରତ ଏବଂ ତୁର୍କୀ ମଧ୍ୟରେ ରାଜନୈତିକ  ଓ ଆର୍ଥିକ ସମ୍ପର୍କ ଖରାପ ହୋଇଚାଲିଛି ।  ଅପରେଶନ ସିନ୍ଦୁର ବେଳେ ପାକିସ୍ତାନକୁ  ସମର୍ଥନ ଏହାକୁ ମହଙ୍ଗା ପଡ଼ିଛି । ଭାରତରେ  ଲୋକେ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକ ତୁର୍କୀ  ସହ ସମସ୍ତ ସମ୍ପର୍କ ଶେଷ କରିବାକୁ ଦାବି  କରୁଛନ୍ତି । ତୁର୍କୀ ସେବା ଓ ସାମଗ୍ରୀକୁ ବଡ଼  ଆକାରରେ ବର୍ଜନ କରାଯାଉଛି । ଏହାଦ୍ୱାରା  ସେଠାକାର ଦୁର୍ବଳ ଅର୍ଥବ୍ୟବସ୍ଥା ଉପରେ  ଭୟଙ୍କର ପ୍ରଭାବ ପଡ଼ିପାରେ । 

ଭାରତ ତୁର୍କୀ  ସହ ଏକ ବଡ଼ ଜାହାଜ ନିର୍ମାଣ ଚୁକ୍ତିକୁ  ରଦ୍ଦ କରିଦେଇଛି । ଆହୁରି ଅନେକ ଆର୍ଥିକ  ପଦକ୍ଷେପ ମଧ୍ୟ ନେଇଛି । ଭାରତରେ ଲୋକେ  ତୁର୍କୀ ସାମଗ୍ରୀକୁ ବର୍ଜନ କରିବା ସହ ସେଠାକୁ  ବୁଲିବା ପାଇଁ ଯାଉନାହାନ୍ତି । ଫଳରେ ସେଠାକାର  ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇଛି ।  ସେଠାକାର ଅର୍ଥବ୍ୟବସ୍ଥା ଏବଂ ରାଜନୈତିକ  ସ୍ଥିତି ଆହୁରି ବିକୃତ ହୋଇଛି । ଭାରତ  ଆଗରେ ମୁଣ୍ଡ ନ ନୁଆଁଇଲେ ତୁର୍କୀ ଦେବାଳିଆ  ହେବା ଥୟ । ଏହା ଉପରେ ଋଣ ଖିଲାପୀ  ଟ୍ୟାଗ୍‌ ଲାଗିପାରେ । ଇଣ୍ଡିଆନ୍‌ ବ୍ରାଣ୍ଡ୍‌ ଇକ୍ୱିଟି  ଫାଉଣ୍ଡେସନ ଅନୁସାରେ, ଆର୍ଥିକବର୍ଷ ୨୦୨୩- ୨୪ରେ ଭାରତ ତୁର୍କୀରୁ ୩.୭୮ ବିଲିୟନ  ଡଲାରର ସାମଗ୍ରୀ ଆମଦାନି କରିଥିଲା । ଏବେ  ଭାରତ ସରକାର ତୁର୍କୀର କଣ୍ଟ୍ରାକ୍ଟର୍ସମାନଙ୍କ ସହ  ୨.୩ ବିଲିୟନ ଡଲାରର ଜାହାଜ ନିର୍ମାଣ ଚୁକ୍ତିକୁ  ରଦ୍ଦ କରି ଦେଇଛନ୍ତି । 

ଏଥିରୁ ଜଣାପଡୁଛି  ଯେ, ରାଜନୈତିକ ସ୍ତରରେ ପରିଣାମ ଗମ୍ଭୀର  ହୋଇପାରେ । ସେଲେବି ଆଭିଏସନ୍‌ ଭଳି  ତୁର୍କୀ କମ୍ପାନି, ଯାହା ଭାରତର ପ୍ରମୁଖ ବିମାନ ବନ୍ଦରରେ ଗ୍ରାଉଣ୍ଡ୍‌ ହ୍ୟାଣ୍ଡ୍‌ଲିଂ କାର୍ଯ୍ୟ କରୁଛି  ତାହା ସହ ଚୁକ୍ତିକୁ ରଦ୍ଧ କରାଯାଉଛି । ଏବେ  ଭାରତୀୟ କିମ୍ବା ଅନ୍ୟ ଅନ୍ତର୍ଜାତୀୟ କମ୍ପାନିଙ୍କୁ ଏହା ସ୍ଥାନରେ ଅବସ୍ଥାପିତ କରାଯିବ ।  

ଭାରତର ବିରୋଧ କେବଳ ବ୍ୟାପାର ଏବଂ  ପ୍ରତିରକ୍ଷା ପର୍ଯ୍ୟନ୍ତ ସୀମିତ ନାହିଁ । ଏହା ଶିକ୍ଷା  ଏବଂ ସଂସ୍କୃତି ପର୍ଯ୍ୟନ୍ତ ବି ପ୍ରସାରିତ ହୋଇଛି ।  ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ  ଜାମିଆ ମିଲିୟା ଇସ୍‌ଲାମିଆ ଭଳି ଭାରତୀୟ  ସଂସ୍ଥା ଏବଂ ତୁର୍କୀର ସଂସ୍ଥାନଗୁଡ଼ିକ ମଧ୍ୟରେ  ସହଯୋଗିତା ଏବେ ବିପଦରେ ।  

ଏହାମଧ୍ୟରେ ତୁର୍କୀ ଅର୍ଥବ୍ୟବସ୍ଥା  ଦଶନ୍ଧିର ସବୁଠାରୁ ଖରାପ ସମୟ ଦେଇ  ଗତି କରୁଛି । ୨୦୨୫ ମାର୍ଚ୍ଚରେ ଏଠାରେ  ମୁଦ୍ରାସ୍ଫୀତି ୩୮.୦୧% ଥିଲା, ଯାହା ପୂର୍ବବର୍ଷ  ୭୫% ରହିଥିଲା । କିନ୍ତୁ ଅର୍ଥନୀତି ଉପରେ  ଲୋକଙ୍କ ଭରସା କମିଯାଇଛି । ସାଧାରଣ  ଲୋକଙ୍କ କହିବାନୁସାରେ, ବାସ୍ତବ ମୁଦ୍ରାସ୍ଫୀତି  ଏହାଠାରୁ ଅଧିକ । 

ତୁର୍କୀର ଆର୍ଥିକ ସ୍ଥିତି ରାଷ୍ଟ୍ରପତି  ଏର୍ଦୋଗନ୍‌ଙ୍କ ବିବାଦୀୟ ମୁଦ୍ରାନୀତି ଯୋଗୁ ଖରାପ  ହୋଇଛି । ସେ ସୁଧ ହାର ବଢ଼ାଇନାହାନ୍ତି,  ସାର୍ବଜନୀକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିନାହାନ୍ତି  ଏବଂ ରାଜନୈତିକ ସହଯୋଗୀମାନଙ୍କୁ ହିଁ ମେଗା  ପ୍ରୋଜେକ୍ଟ ଦେଇଛନ୍ତି । ଏହାଦ୍ୱାରା ବିଦେଶୀ  ଭଣ୍ଡାର ଖାଲି ହୋଇଯାଇଛି । ସରକାରୀ ଭଣ୍ଡାର  ବି ଖାଲି । ତୁର୍କୀର ମୁଦ୍ରା ଲିରା ଲଗାତର ଦୁର୍ବଳ  ହେଉଛି । ୨୦୨୫ ମେ’ରେ ଏହା ଆମେରିକା  ଡଲାର ତୁଳନାରେ ୩୮.୭ର ରେକର୍ଡ ନିମ୍ନ  ସ୍ତରକୁ ଖସିଆସିଛି । ଏଭଳି ସ୍ଥିତିରେ ଅର୍ଥନୀତି  ଭୁଷୁଡ଼ିବା ଆଶଙ୍କା ରହିଛି ।