ନୂଆଦିଲ୍ଲୀ,୩୧/୦୫: ତୁର୍କୀ ଅର୍ଥବ୍ୟବସ୍ଥା ପୂର୍ବରୁ ହିଁ ଭେଣ୍ଟିଲେଟରରେ ଥିଲା । ଏବେ ଭାରତର ବୟକଟ୍ ଏହାର ଯନ୍ତ୍ରଣାକୁ ଆହୁରି ବଢ଼ାଇଦେଇଛି । ୨୦୨୫ର ପ୍ରଥମ ତ୍ରୟମାସରେ ତୁର୍କୀର ଅର୍ଥନୈତିକ ଅଭିବୃଦ୍ଧି ମାତ୍ର ୨% ରହିଛି, ଯାହା ଆଶାଠାରୁ ଅନେକ ମାତ୍ରାରେ କମ୍ । ରୟଟର୍ସ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ୨.୩% ଅନୁମାନ ରହିଥିଲା । ଭାରତରେ ତୁର୍କୀ ସାମଗ୍ରୀ ଏବଂ ସେବାର ବର୍ଜନ ବଢ଼ିଚାଲିଛି । ଏହା ତୁର୍କୀର ଆର୍ଥିକ ସଂକଟକୁ ଆହୁରି ଭୟଙ୍କର କରିପାରେ ।
ଭାରତ ଏବଂ ତୁର୍କୀ ମଧ୍ୟରେ ରାଜନୈତିକ ଓ ଆର୍ଥିକ ସମ୍ପର୍କ ଖରାପ ହୋଇଚାଲିଛି । ଅପରେଶନ ସିନ୍ଦୁର ବେଳେ ପାକିସ୍ତାନକୁ ସମର୍ଥନ ଏହାକୁ ମହଙ୍ଗା ପଡ଼ିଛି । ଭାରତରେ ଲୋକେ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକ ତୁର୍କୀ ସହ ସମସ୍ତ ସମ୍ପର୍କ ଶେଷ କରିବାକୁ ଦାବି କରୁଛନ୍ତି । ତୁର୍କୀ ସେବା ଓ ସାମଗ୍ରୀକୁ ବଡ଼ ଆକାରରେ ବର୍ଜନ କରାଯାଉଛି । ଏହାଦ୍ୱାରା ସେଠାକାର ଦୁର୍ବଳ ଅର୍ଥବ୍ୟବସ୍ଥା ଉପରେ ଭୟଙ୍କର ପ୍ରଭାବ ପଡ଼ିପାରେ ।
ଭାରତ ତୁର୍କୀ ସହ ଏକ ବଡ଼ ଜାହାଜ ନିର୍ମାଣ ଚୁକ୍ତିକୁ ରଦ୍ଦ କରିଦେଇଛି । ଆହୁରି ଅନେକ ଆର୍ଥିକ ପଦକ୍ଷେପ ମଧ୍ୟ ନେଇଛି । ଭାରତରେ ଲୋକେ ତୁର୍କୀ ସାମଗ୍ରୀକୁ ବର୍ଜନ କରିବା ସହ ସେଠାକୁ ବୁଲିବା ପାଇଁ ଯାଉନାହାନ୍ତି । ଫଳରେ ସେଠାକାର ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇଛି । ସେଠାକାର ଅର୍ଥବ୍ୟବସ୍ଥା ଏବଂ ରାଜନୈତିକ ସ୍ଥିତି ଆହୁରି ବିକୃତ ହୋଇଛି । ଭାରତ ଆଗରେ ମୁଣ୍ଡ ନ ନୁଆଁଇଲେ ତୁର୍କୀ ଦେବାଳିଆ ହେବା ଥୟ । ଏହା ଉପରେ ଋଣ ଖିଲାପୀ ଟ୍ୟାଗ୍ ଲାଗିପାରେ । ଇଣ୍ଡିଆନ୍ ବ୍ରାଣ୍ଡ୍ ଇକ୍ୱିଟି ଫାଉଣ୍ଡେସନ ଅନୁସାରେ, ଆର୍ଥିକବର୍ଷ ୨୦୨୩- ୨୪ରେ ଭାରତ ତୁର୍କୀରୁ ୩.୭୮ ବିଲିୟନ ଡଲାରର ସାମଗ୍ରୀ ଆମଦାନି କରିଥିଲା । ଏବେ ଭାରତ ସରକାର ତୁର୍କୀର କଣ୍ଟ୍ରାକ୍ଟର୍ସମାନଙ୍କ ସହ ୨.୩ ବିଲିୟନ ଡଲାରର ଜାହାଜ ନିର୍ମାଣ ଚୁକ୍ତିକୁ ରଦ୍ଦ କରି ଦେଇଛନ୍ତି ।
ଏଥିରୁ ଜଣାପଡୁଛି ଯେ, ରାଜନୈତିକ ସ୍ତରରେ ପରିଣାମ ଗମ୍ଭୀର ହୋଇପାରେ । ସେଲେବି ଆଭିଏସନ୍ ଭଳି ତୁର୍କୀ କମ୍ପାନି, ଯାହା ଭାରତର ପ୍ରମୁଖ ବିମାନ ବନ୍ଦରରେ ଗ୍ରାଉଣ୍ଡ୍ ହ୍ୟାଣ୍ଡ୍ଲିଂ କାର୍ଯ୍ୟ କରୁଛି ତାହା ସହ ଚୁକ୍ତିକୁ ରଦ୍ଧ କରାଯାଉଛି । ଏବେ ଭାରତୀୟ କିମ୍ବା ଅନ୍ୟ ଅନ୍ତର୍ଜାତୀୟ କମ୍ପାନିଙ୍କୁ ଏହା ସ୍ଥାନରେ ଅବସ୍ଥାପିତ କରାଯିବ ।
ଭାରତର ବିରୋଧ କେବଳ ବ୍ୟାପାର ଏବଂ ପ୍ରତିରକ୍ଷା ପର୍ଯ୍ୟନ୍ତ ସୀମିତ ନାହିଁ । ଏହା ଶିକ୍ଷା ଏବଂ ସଂସ୍କୃତି ପର୍ଯ୍ୟନ୍ତ ବି ପ୍ରସାରିତ ହୋଇଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଜାମିଆ ମିଲିୟା ଇସ୍ଲାମିଆ ଭଳି ଭାରତୀୟ ସଂସ୍ଥା ଏବଂ ତୁର୍କୀର ସଂସ୍ଥାନଗୁଡ଼ିକ ମଧ୍ୟରେ ସହଯୋଗିତା ଏବେ ବିପଦରେ ।
ଏହାମଧ୍ୟରେ ତୁର୍କୀ ଅର୍ଥବ୍ୟବସ୍ଥା ଦଶନ୍ଧିର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ୨୦୨୫ ମାର୍ଚ୍ଚରେ ଏଠାରେ ମୁଦ୍ରାସ୍ଫୀତି ୩୮.୦୧% ଥିଲା, ଯାହା ପୂର୍ବବର୍ଷ ୭୫% ରହିଥିଲା । କିନ୍ତୁ ଅର୍ଥନୀତି ଉପରେ ଲୋକଙ୍କ ଭରସା କମିଯାଇଛି । ସାଧାରଣ ଲୋକଙ୍କ କହିବାନୁସାରେ, ବାସ୍ତବ ମୁଦ୍ରାସ୍ଫୀତି ଏହାଠାରୁ ଅଧିକ ।
ତୁର୍କୀର ଆର୍ଥିକ ସ୍ଥିତି ରାଷ୍ଟ୍ରପତି ଏର୍ଦୋଗନ୍ଙ୍କ ବିବାଦୀୟ ମୁଦ୍ରାନୀତି ଯୋଗୁ ଖରାପ ହୋଇଛି । ସେ ସୁଧ ହାର ବଢ଼ାଇନାହାନ୍ତି, ସାର୍ବଜନୀକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିନାହାନ୍ତି ଏବଂ ରାଜନୈତିକ ସହଯୋଗୀମାନଙ୍କୁ ହିଁ ମେଗା ପ୍ରୋଜେକ୍ଟ ଦେଇଛନ୍ତି । ଏହାଦ୍ୱାରା ବିଦେଶୀ ଭଣ୍ଡାର ଖାଲି ହୋଇଯାଇଛି । ସରକାରୀ ଭଣ୍ଡାର ବି ଖାଲି । ତୁର୍କୀର ମୁଦ୍ରା ଲିରା ଲଗାତର ଦୁର୍ବଳ ହେଉଛି । ୨୦୨୫ ମେ’ରେ ଏହା ଆମେରିକା ଡଲାର ତୁଳନାରେ ୩୮.୭ର ରେକର୍ଡ ନିମ୍ନ ସ୍ତରକୁ ଖସିଆସିଛି । ଏଭଳି ସ୍ଥିତିରେ ଅର୍ଥନୀତି ଭୁଷୁଡ଼ିବା ଆଶଙ୍କା ରହିଛି ।