ନୂଆଦିଲ୍ଲୀ,୦୫/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାରିଫ୍ ଲଗାଇବା ପଡିବ ଭାରି । ନିଜେ ବିଛାଇଥିବା ଶୁଳ୍କ ଜାଲରେ ଫସିଯିବେ । ଟ୍ରମ୍ପଙ୍କ ଟାରିଫ୍ ନୀତି ପାଇଁ ଦୁନିଆରେ ପାୱାର ସେଣ୍ଟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ନିକଟରେ ଚୀନରେ ଅନୁଷ୍ଠିତ ଏସ୍ସିଓ ସମ୍ମିଳୀନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସମିଟ୍ରେ ଭାରତ-ଚୀନ ସମେତ ବିଶ୍ୱନେତା ଏକାଠୀ ହୋଇଥିଲେ । ବିବାଦକୁ ଏଡାଇ ଭାରତ-ଚୀନ ମଧ୍ୟରେ ସମ୍ପର୍କ ସୁଧାରିବା ସହିତ ଆମେରିକାକୁ ଜବାବ ଦେବାକୁ ସହମତି ହୋଇଛି । ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜୁଗଳବନ୍ଦୀର ଶକ୍ତିଶାଳୀ ଫଟୋ ସାମ୍ନାକୁ ଆସିଥିଲା । ବିଭିନ୍ନ ପ୍ରସଙ୍ଗରେ ବୁଝାମଣା ହୋଇଛି । ଯେଉଁଥିରେ ବ୍ୟବସାୟ ପାଇଁ ଡଲାର ମୁକାବିଲା କରିବାକୁ ନୂଆ ପେମେଣ୍ଟ ସିଷ୍ଟମ ଆଣିବାକୁ ଯୋଜନା ହୋଇଛି ।
ଆମେରିକାକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ-ଚୀନ୍- ଭାରତ ଏବଂ ଚୀନ୍ ଶତ୍ରୁତାକୁ ଭୁଲି ଆଗକୁ ବଢ଼ୁଛନ୍ତି । ଉଭୟ ଦେଶ ଆମେରିକାକୁ ଶୁଳ୍କ ଉପରେ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ରୁଷ ମଧ୍ୟ ଏଥିରେ ସେମାନଙ୍କୁ ସମର୍ଥନ କରିପାରେ । ଏସସିଓ ଶିଖର ସମ୍ମିଳନୀରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, ଯେଉଁଥିରେ ବାଣିଜ୍ୟ ପାଇଁ ଏକ ନୂତନ ଦେୟ ବ୍ୟବସ୍ଥା ଆଣିବା ବିଷୟରେ ଆଲୋଚନା ହୋଇଛି । ଭାରତ ଏବଂ ଚୀନ୍ ଡଲାର ବଦଳରେ ବାଣିଜ୍ୟ ପାଇଁ ଏକ ନୂତନ ବ୍ୟବସ୍ଥା ଆଣିବାକୁ ପ୍ଲାନ କରୁଛନ୍ତି । 'ଇକୋନୋମିକ୍ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜନେସର ପ୍ରଫେସର ମାଟେଓ ମାଜିଓରି ଯୋଜନା ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ଶକ୍ତିଶାଳୀ ଦେଶଗୁଡ଼ିକ ଏବେ ରାଜନୈତିକ ପ୍ରଭାବ ପକାଇବା ପାଇଁ ବାଣିଜ୍ୟ ଏବଂ ଆର୍ଥିକ ବ୍ୟବସ୍ଥାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ।
ଭାରତର ଭୂମିକା ଉପରେ କହିଲେ- ମାଟେଓ ମାଜିଓରି କହିଛନ୍ତି, ''ଭାରତର ଦ୍ରୁତ ଅର୍ଥନୈତିକ ବିକାଶ ହେଉଛି । ରୁଷରୁ ତେଲ କିଣିବା ଓ ଡିଜିଟାଲ ପେଣେଣ୍ଟ ସିଷ୍ଟମ ବିକଶିତ କରିବା ଭାରତର ଦୁଇଟି ବଡ ପଦକ୍ଷେପ । ଭାରତର ବ୍ୟବସାୟିକ ସମ୍ପର୍କ ପଡୋଶୀ ଦେଶ ଯାଏ ବ୍ୟାପିଛି । ଭାରତ ବୈଶ୍ବିକ ଶକ୍ତି ହେବାକୁ ସେମିକଣ୍ଟକ୍ଟର ପରି କ୍ଷେତ୍ରରେ କ୍ଷମତା ବିକଶିତ କରୁଛି ।''
ଆମେରିକାକୁ ଲାଗିପାରେ ଝଟକା-ମାଜିଓରି କହିଛନ୍ତି ଯେ, ''ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଟାରିଫ୍ ଯୁଦ୍ଧ ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି । ଗୋଟିଏ ପରେ ଗୋଟିଏ ଦେଶ ଉପରେ ଟାରିଫ୍ ବୋଝ ଲଦିଛି । ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଏବେ ବିକଳ୍ପ ପେମେଣ୍ଟ ବ୍ୟବସ୍ଥା ସୃଷ୍ଟି କରୁଛନ୍ତି । ଉଭୟ ଦେଶ ଆମେରିକୀୟ ଚାପକୁ ହ୍ରାସ କରିବାକୁ ଚାହାଁନ୍ତି ଯାହା ଦ୍ଵାରା ସେମାନେ ସେମାନଙ୍କର ପ୍ରଭାବ ବୃଦ୍ଧି କରିପାରିବେ । ଯଦି କୌଣସି ବିକଳ୍ପ ପ୍ରଣାଳୀ ୧୦ ପ୍ରତିଶତ ନେଣଦେଶ କରେ ତେବେ ଛୋଟ ଦେଶ ପାଇଁ ଏହା ପର୍ଯ୍ୟାପ୍ତ ହେବ । ଏହା ଆମେରିକାର ଶକ୍ତିକୁ ଗମ୍ଭୀର ଝଟକା ଲାଗିବ ।''