ନୂଆଦିଲ୍ଲୀ, ୨୮/୦୧: ଚଳିତ ବର୍ଷ ଗ୍ରୀଷ୍ମରେ ପୁଣି  କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ । ଭାରତ ଏବଂ  ଚୀନ୍‌ ମଧ୍ୟରେ ୨୦୨୦ରେ ଡୋକଲାମ ବିବାଦ ପରେ ଏହି  ଯାତ୍ରାକୁ ବନ୍ଦ କରାଯାଇଥିଲା । ଦୁଇ ଦେଶର ବିଦେଶ ସଚିବଙ୍କ  ମଧ୍ୟରେ ସଦ୍ୟ ଆଲୋଚନା ପରେ କୈଳାସ ମାନସରୋବର  ଯାତ୍ରା ପୁଣି ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି । ସେହିପରି  ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ବିମାନ ସେବା ଆରମ୍ଭ କରାଯିବା  ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି । 

କୋଭିଡ୍‌ ପରଠାରୁ ଏହି ସେବା ବନ୍ଦ ଥିଲା । ଭାରତର ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ବେଜିଂ ଗସ୍ତ ଅବସରରେ ଉପରୋକ୍ତ ଆଲୋଚନା ହୋଇଛି । କୈଳାସ ମାନସରୋବରର ଅଧିକାଂଶ ଭାଗ ତିବ୍ୱତରେ  ରହିଛି । ତିବ୍ୱତକୁ ଚୀନ୍‌ ନିଜର ବୋଲି ଦାବି କରିଥାଏ । ତେଣୁ  ଏଠାକୁ ଯିବା ଲାଗି ଚୀନ୍‌ର ଅନୁମତି ଆବଶ୍ୟକ ପଡ଼ିଥାଏ।