ନୂଆଦିଲ୍ଲୀ,୦୩/୦୪: ଭାରତର ସାମୁଦ୍ରିକ ଶକ୍ତି ହେବ ଆହୁରି ମଜଭୁତ। ନୌସେନାରେ ସାମିଲ ହେଲା ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ INS ଅରିଦମନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି INS ଅରିଦମନକୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି। ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଏହା ଭାରତ ପାଇଁ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଏହା ଭାରତର ତୃତୀୟ ସ୍ୱଦେଶୀ ନିର୍ମିତ ପରମାଣୁ ବାଲିଷ୍ଟିକ ବୁଡ଼ାଜାହାଜ ।

INS ଅରିଦମନକୁ ନୌସେନାରେ ସାମିଲ କରିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ 'ଏକ୍ସ' ରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ କହିଛନ୍ତି ଯେ, ‘ଶବ୍ଦ ନୁହେଁ ଶକ୍ତି ହେଉଛି ଅରିଦମନ’। ଘରୋଇ କମ୍ପାନୀ L&T ଦ୍ୱାରା ନିର୍ମିତ ଏବଂ ବିଶାଖାପାଟଣାର ଗୁପ୍ତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଥିବା ଏହି ବୁଡ଼ାଜାହାଜର କିଛି ମାସ ଧରି ସମୁଦ୍ରରେ ପରୀକ୍ଷଣ ଚାଲିଥିଲା । ନୌସେନାରେ ସାମିଲ ହେବା ପରେ ଏହା ଭାରତର ଟ୍ରାଇ-ସର୍ଭିସ୍ ନ୍ୟୁକ୍ଲିୟର ଡିଟରେଣ୍ଟ କମାଣ୍ଡ, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଅଧୀନରେ ନିଜର ଦୁଇଟି ସହଯୋଗୀ ବୁଡ଼ାଜାହାଜ ସହିତ ଯୋଗଦେବ ।

ଆହୁରି ପଢନ୍ତୁ- ବିହାରରେ ତାଣ୍ଡବ ରଚିଲା ବିଷାକ୍ତ ମଦ: ମୋତିହାରୀରେ ୪ ମୃତ, ୬ ଜଣ ହରାଇଲେ ଦୃଷ୍ଟିଶକ୍ତି

INS ଅରିଦମନ ଶେଷ ପର୍ଯ୍ୟାୟର ଟ୍ରାଏଲକୁ ସଫଳତାର ସହ ଶେଷ କରିବା ପରେ ଆଜି ନୌସେନାରେ ସାମିଲ ହେବ । ଏହାପୂର୍ବରୁ, ସମାନ ଶ୍ରେଣୀର INS ଅରିହନ୍ତକୁ ୨୦୧୬ରେ ଏବଂ INS ଅରିଘାତକୁ ୨୦୨୪ରେ ନୌସେନାରେ ସାମିଲ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉନ୍ନତ ଯୁଦ୍ଧ ଜାହାଜ ‘ତାରାଗିରି’କୁ ବିଶାଖାପାଟଣାରେ ନୌସେନାରେ ସାମିଲ କରିବାକୁ ଯାଉଛନ୍ତି । ପୂର୍ବ ନୌସେନା କମାଣ୍ଡର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୌସେନା ଡକୟାର୍ଡରେ ବରିଷ୍ଠ ନୌସେନା ଅଧିକାରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେ କହିଛନ୍ତି ଯେ ଏହାକୁ ନୌସେନାରେ ସାମିଲ କରିବା ଭାରତର ପୂର୍ବ ସାମୁଦ୍ରିକ ଉପକୂଳର ରଣନୈତିକ ଏବଂ ସାମୁଦ୍ରିକ ଗୁରୁତ୍ୱକୁ ଦର୍ଶାଉଛି । ଏହା ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା ଏବଂ କାର୍ଯ୍ୟକାରୀ ଶକ୍ତିକୁ ମଜବୁତ କରିବାରେ ସହାୟକ ହେବ ।