ନୂଆଦିଲ୍ଲୀ,୨୦/୧୦: ଦେଶର ବର୍ଦ୍ଧିତ ପେଟ୍ରୋକେମିକାଲ ଚାହିଦା ପୂରଣ ଲାଗି ଆସନ୍ତା ଦଶନ୍ଧିରେ ଭାରତ ୮୭୦୦ କୋଟି ଡଲାର ନିବେଶ ସଂଗ୍ରହ କରିପାରେ। କେନ୍ଦ୍ର ତୈଳମନ୍ତ୍ରୀ ହରଦୀପ ସିଂହ ପୁରୀ ଏହା ପ୍ରକାଶ କରିଛନ୍ତି ।  

ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍‌-୨୦୨୪ରେ କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ, ଭାରତର ଅଧିକାଂଶ ନାଗରିକ ମଧ୍ୟବିତ୍ତ ବର୍ଗରେ ପ୍ରବେଶ କରିଛନ୍ତି । ଏଣୁ ପେଟ୍ରୋକେମିକାଲ ସମେତ ବହୁବିଧ ରେଞ୍ଜ୍‌  ଉତ୍ପାଦର ଚାହିଦାରେ ବଡ଼ ବୃଦ୍ଧି ଘଟିବାକୁ ଯାଉଛି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ମୁଣ୍ଡ ପିଛା ପେଟ୍ରୋକେମିକାଲ ବ୍ୟବହାର ଭାରତରେ କମ୍‌ ରହିଛି । ଫଳରେ  ଭାରତର ପେଟ୍ରୋକେମିକାଲ ଶିଳ୍ପରେ ଅଧିକ ନିବେଶ ସମ୍ଭାବନା ରହିଛି । 

ପୁରୀ ଆହୁରି କହିଛନ୍ତି, ଭାରତ ବର୍ଷକୁ ୨୫ରୁ ୩୦ ନିୟୁତ ମେଟ୍ରିକ୍‌ ଟନ୍‌ ପେଟ୍ରୋକେମିକାଲ ପ୍ରଡକ୍ଟ ବ୍ୟବହାର କରିଥାଏ । ଭାରତର କେମିକାଲ ଏବଂ  ପେଟ୍ରୋକେମିକାଲ ଶିଳ୍ପର ମୂଲ୍ୟ  ୨୨୦୦୦ କୋଟି ଡଲାର ରହିଛି । ଏହା ୨୦୨୫ ସୁଦ୍ଧା ୩୦୦୦୦ କୋଟି ଡଲାରକୁ ବଢ଼ିପାରେ।