ମୁମ୍ବାଇ, ୨୬/୦୭: ମହାରାଷ୍ଟ୍ରରେ ଭାରତର ପ୍ରଥମ AI ସ୍ମାର୍ଟ ଗାଁ । ସିଟି ଠାରୁ ଆହୁରି ହାଇଟେକ୍ ସୁବିଧା। ଓ୍ବାଇ-ଫାଇ ବ୍ୟତୀତ ରହିଛି କେତେ କ’ଣ । କୃତ୍ରିମ ବୁଦ୍ଧିମତା ଏବେ କେବଳ ମୋବାଇଲ୍, ଟାବଲେଟ୍, ଲାପଟପ୍ କିମ୍ବା ଡେସ୍କଟପ୍ ମଧ୍ୟରେ ସୀମିତ ନାହିଁ । କି ଆପଣଙ୍କ ଆଖପାଖରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ଇଲୋଟ୍ରୋନିକ୍ସ ସାମଗ୍ରୀରେ ରହିନାହିଁ । ବରଂ ଏହା ଧୀରେ ଧୀରେ ଗ୍ରାମୀଣ ଭାରତରେ ଏଣ୍ଟ୍ରି ମାରିଲାଣି । ଗାଁ ମାନଙ୍କରେ କୁତ୍ରିମ ବୁଦ୍ଧିମତାର ଉପଯୋଗୀତା ଆରମ୍ଭ ହୋଇଗଲାଣି । କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ପ୍ରଥମ AI ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିଲା । ଆଉ ଏବେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟିଲେଜେନ୍ସି ବିଶିଷ୍ଟ ଗାଁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ସୋମବାର ନାଗପୁର ଜିଲ୍ଲାରୁ ପ୍ରୟ ୩୫ କିଲୋମିଟର ଦୂର ସାତନଓ୍ବାରୀ ଗାଁକୁ ଦେଶର ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟିଲେଜେନ୍ସି ସ୍ମାର୍ଟ ଭିଲେଜ୍ ଭାବେ ଘୋଷିତ କରିଛନ୍ତି ।
AI ସ୍ମାର୍ଟ ଭିଲେଜ୍ କ’ଣ କ’ଣ ସୁବିଧା ମିଳିଥାଏ ? ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ମହାରାଷ୍ଟ୍ରର ସାତନଓ୍ବାରୀଙ୍କୁ ଉଦାହରଣ ସ୍ବରୂପ ନିଆଯାଇପାରିବ । ମହାରାଷ୍ଟ୍ରର ଏହି ପ୍ରକଳ୍ପକୁ ଭଏସ୍ ଅଫ୍ ଇଣ୍ଡିଆନ୍ କମ୍ୟୁନିକେସନ୍ ଟେକ୍ନୋଲୋଜି ଏଣ୍ଟରପ୍ରାଇଜେସ୍ ବା ଭଏସ୍ ଏବଂ ନାଗପୁର ଜିଲ୍ଲା ପ୍ରଶାସନ ମିଳିତ ଭାବେ ରୂପରେଖ ଦେଇଛନ୍ତି । ସାତନଓ୍ବାରୀ ଗାଁ ସମ୍ପୂର୍ଣ୍ଣ ଭାବେ ସ୍ମାର୍ଟ ଏବଂ Wi-Fi ସଂଯୁକ୍ତ । ଏନେଇ ନୂତନ ଟାୱାର ଏବଂ ଫାଇବର-ଅପ୍ଟିକ୍ ଇଣ୍ଟରନେଟ୍ ସଂଯୋଗ କରାଯାଇଛି । ପ୍ରଯୁକ୍ତିବିଦ୍ୟା ଲେସ୍ ସ୍ମାର୍ଟ ଭିଲେଜ୍ରେ ଅନେକ ପ୍ରକାରର AI ଆଧାରିତ ଅପ୍ଲିକେସନ୍ସ ଏବଂ ଉପକରଣ କାମ କରୁଛି ।
କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଗାଁରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ । ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ । ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ପ୍ରଯୁକ୍ତିବିଦ୍ୟାରେ ଲେସ୍ ରହିବ । AI ମାଧ୍ୟମରେ ଦୂରକୁ ଯାଞ୍ଚ ପାଇଁ ରିପୋର୍ଟ ପଠାଇ ଯାଇପାରିବ । କୃତ୍ରିମ ବୁଦ୍ଧିମତା ଦ୍ବାରା ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ମାନ ବଢ଼ିବ । ତେବେ AI ଭିଲେଜ୍ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ କହିଛନ୍ତି, କେବଳ ସତନଓ୍ବାରୀ ନୁହେଁ ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ଏହି ମଡେଲକୁ କାର୍ଯ୍ୟକାରୀ କରାଯିବ ।
ଭଏସ୍ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଏହି ନୂଆ ଆପ୍ ଲଞ୍ଚ କରାଯାଇଛି, ଯାହା ଦ୍ବାରା ପ୍ରାଣୀଧନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇପାରିବ । ଏହି ଆପ୍ ପଶୁପାଳନ କରୁଥିବା ମାଲିକଙ୍କୁ ତୁରନ୍ତ ସତର୍କ କରାଇବ । ଏହି ଆପ୍ ପଶୁପାଳନକୁ ଆହୁରି ସହଜ ଏବଂ ସରଳ କରିବ । ଏତିକି ନୁହେଁ, ସତନଓ୍ବାରୀ ଗାଁରେ ଅନେକ ଆଧୁନିକ ଏବଂ ହାଇଟେକ୍ ଉପକରଣ ସ୍ଥାପନ କରାଯାଇଛି । ଗାଁରେ ଲୋକମାନଙ୍କୁ ନୂତନ AI ବ୍ୟବହାର ପାଇଁ ତାଲିମ ମଧ୍ୟ ଦିଆଯାଇଛି । ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗାଁରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ଏହା ବ୍ୟତୀତ, ସ୍ମାର୍ଟ ଆଲୋକ ବ୍ୟବସ୍ଥା ଅର୍ଥାତ୍ ଘରେ କେହି ନଥିଲେ ବତୀ ବନ୍ଦ ହୋଇଯିବ । ଏହାଛଡ଼ା ସ୍ମାର୍ଟ ଭିଲେଜରେ ଡ୍ରୋନ୍ ଏବଂ ସୌର ପମ୍ପ ଭଳି ସୁବିଧା ମଧ୍ୟ ରହିଛି । ଆଗକୁ ସାରା ଦେଶରେ ଅନେକ AI ଭିଲେଜ୍ ସ୍ଥାପନ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି ।