ନୂଆଦିଲ୍ଲୀ,୧୧।୯:  ଭାରତ ଗୁରୁବାର ଦିନ ରୁଷକୁ ନିଜ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତି ତୁରନ୍ତ ବନ୍ଦ କରିବାକୁ ଅପିଲ କରିଛି। ଏହା ସହ ରୁଷ ସେନାରେ ସହାୟକ କର୍ମଚାରୀ ଭଳି ଭୂମିକାରେ ନିୟୋଜିତ ସମସ୍ତ ଭାରତୀୟଙ୍କୁ ମୁକ୍ତ କରିବାକୁ ଦାବି କରିଛି। ରୁଷ ସାମରିକ ୟୁନିଟ୍ ଦ୍ୱାରା ଭାରତୀୟ ନାଗରିକଙ୍କୁ ନିଯୁକ୍ତି ଦିଆଯିବାର ସଦ୍ୟ ରିପୋର୍ଟ ପରେ ବୈଦେଶିକ ମନ୍ତ୍ରଣାଳୟ ଏକ କଡ଼ା ବାର୍ତ୍ତା ଜାରି କରିଛି। MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଆମେ ନିକଟେର ରୁଷ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତି ବିଷୟରେ ଜାଣିବାକୁ ପାଇଛୁ, ଯାହା ଖୁବ୍ ଚିନ୍ତାଜନକ। ଗତ ଏକ ବର୍ଷରେ ସରକାର ଅନେକ ଥର ଏପରି କାର୍ଯ୍ୟରେ ଥିବା ବିପଦକୁ ପ୍ରତି ଭାରତୀୟ ନାଗରିକଙ୍କୁ ସତର୍କ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ,ଭାରତ ନୂଆଦିଲ୍ଲୀ ଏବଂ ମସ୍କୋ ଉଭୟ ସ୍ଥାନରେ ରୁଷ ଅଧିକାରୀଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଛି। ସେ ଆହୁରି କହିଛନ୍ତି ଯେ ଆମେ ଏହି ଅଭ୍ୟାସ ବନ୍ଦ କରିବା ଏବଂ ଆମର ନାଗରିକମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛୁ। ଆମେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପରିବାର ସହିତ ମଧ୍ୟ ଯୋଗାଯୋଗରେ ଅଛୁ। ଭାରତ ନିଜ ନାଗରିକଙ୍କୁ ପୁଣିଥରେ ଚେତାବନୀ ଦେଉଛି ଯେ, ସେମାନେ ରୁଷ ସେନାରେ ଚାକିରି ପ୍ରସ୍ତାବର ଶିକାର ନହୁଅନ୍ତୁ। ଏହା ବିପଦରେ ପରିପୂର୍ଣ୍ଣ ଏକ ପଥ। କିଛି ଭାରତୀୟ ଗତ ୬ ମାସରେ ଟୁଡେଣ୍ଟ ଭିସାରେ ମସ୍କୋ ଯାଇଥିଲେ। କିନ୍ତୁ ଜଣେ ଏଜେଣ୍ଟ ତାଙ୍କୁ କାମ ଦେବାର ପ୍ରଲୋଭନ ଦେଖାଇ ନେଇ ଯାଇଥିଲା।ତାଙ୍କୁ ଯୁଦ୍ଧ କ୍ଷେତ୍ରରେ ପହଁଞ୍ଚାଇ ଦେଇଥିଲା। ଉଭୟ ବ୍ୟକ୍ତି ୟୁକ୍ରେନର ସେଲିଡୋଭଙ୍କଠାରୁ ଫୋନ୍ ମାଧ୍ୟମରେ ନିଜର ପରିଚୟ ଦେଇଛନ୍ତି। ସେମାନେ ସେଠାରେ ଏକ କୋଠାରେ ରହୁଛନ୍ତି। ରୁଷ ନଭେମ୍ବର ୨୦୨୪ ରେ ୟୁକ୍ରେନର ଡୋନେଷ୍ଟକ୍ ଅଞ୍ଚଳର ଏକ ପ୍ରମୁଖ ସହର ସେଲିଡୋଭ ଉପରେ ନିୟନ୍ତ୍ରଣ ଦାବି କରିଥିଲା।

ଗତ ବର୍ଷ, ରୁଷ ଦୂତାବାସ ଏକ ବିବୃତ୍ତି ଜାରି କରି କହିଥିଲେ, ସେମାନେ ଆଉ ଭାରତୀୟ ଲୋକଙ୍କୁ ସେମାନଙ୍କ ସେନାରେ ନିଯୁକ୍ତି ଦେଉ ନାହାନ୍ତି। ସେହି ସମୟରେ, ଜୁଲାଇ ୨୦୨୪ରେ, ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ। ତା'ପରେ ସେ ଏହି ବିଷୟରେ କଥା ହୋଇଥିଲେ। ଏହା ପରେ, ରୁଷ ଭାରତକୁ ଆଶ୍ୱାସନା ଦେଇଥିଲା ଯେ  ଆଉ ଭାରତୀୟମାନଙ୍କୁ ତାଙ୍କ ସେନାରେ ନିଯୁକ୍ତି ଦେବ ନାହିଁ। ସେହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟଙ୍କୁ ଏପରି କାମରେ ଫସିବାରୁ ବଞ୍ଚିବାକୁ ପରାମର୍ଶ ଦେଇଛି। ତଥାପି, ପୁଣିଥରେ ସୂଚନା ସାମ୍ନାକୁ ଆସିଛି ଯେ ଭାରତୀୟଙ୍କୁ ରୁଷ ସେନାରେ ନିଯୁକ୍ତି ଦିଆଯାଇ ଯୁଦ୍ଧକ୍ଷେତ୍ରକୁ ପଠାଯାଇଥିଲା। ଏହା ପରେ ବୈଦେଶିକ ମନ୍ତ୍ରଣାଳୟ କଠୋର ମନୋଭାବ ଗ୍ରହଣ କରିଛି।