ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ରୁଷିଆରୁ ତୈଳ କ୍ରୟ ଓ ଏହାକୁ ଖୋଲା ବଜାରରେ ବିକ୍ରି କରି ଲାଭ କରୁଥିବା ଅଭିଯୋଗରେ ଭାରତ ଉପରେ ଉଚ୍ଚ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି। ଭାରତ ଏହାର ଜବାବରେ ଆମେରିକା ଓ ୟୁରୋପୀୟ ସଂଘର ଦ୍ୱିମୁଖୀ ନୀତି ଅଭିଯୋଗ ଆଣି କହିଛି ଯେ, ଆମେରିକା ନିଜେ ରୁଷିଆରୁ ଇଉରାନିୟମ, ପାଲାଡିୟମ ଓ ସାର ଆମଦାନୀ କରୁଛି, କିନ୍ତୁ ଭାରତର ତୈଳ କ୍ରୟକୁ ଟାର୍ଗେଟ କରୁଛି।
ଖବର ମୁତାବକ, ନିକଟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ରୁଷିଆଠାରୁ ବିପୁଳ ପରିମାଣରେ ତୈଳ କିଣୁଛି ଓ ଏହାକୁ ବିକ୍ରି କରି ଲାଭ କରୁଛି। ଯାହା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପରୋକ୍ଷରେ ସମର୍ଥନ କରୁଛି। ସେ ଅଗଷ୍ଟ ୧ ତାରିଖରୁ ଭାରତୀୟ ରପ୍ତାନୀ ଉପରେ ୨୫% ଟାରିଫ ଲଗାଇଛନ୍ତି ଓ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଏପରିକି ଆମ୍ରିକା ଭାରତ ଉପରେ ୧୦୦% ଟାରିଫ ଲଗାଇପାରେ ବୋଲି ସେ ଇଙ୍ଗିତ ଦେଇଛନ୍ତି।
ଭାରତର ବୈଦେଶିକ ମନ୍ତ୍ରାଳୟ ଏହି ଧମକକୁ “ଅନ୍ୟାୟ ଓ ଅଯୌକ୍ତିକ” ବୋଲି କହିଛି। ଭାରତ ପୂର୍ବରୁ ଏହା ସ୍ପଷ୍ଟ କରିଛି ଯେ, ତୈଳ କ୍ରୟ ରାଜନୈତିକ ନୁହେଁ, ବରଂ ଅର୍ଥନୈତିକ ଆବଶ୍ୟକତା ଓ ଜାତୀୟ ସ୍ୱାର୍ଥ ଉପରେ ଆଧାରିତ। ମନ୍ତ୍ରାଳୟ ଆହୁରି କହିଛି ଯେ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ନିଜେ ଭାରତକୁ ରୁଷିଆରୁ ତୈଳ କିଣିବାକୁ ଉତ୍ସାହିତ କରିଥିଲା ଯେପରି ବିଶ୍ୱ ଶକ୍ତି ବଜାର ସ୍ଥିର ରହିବ। କିନ୍ତୁ ଆମେରିକା ନିଜେ ବର୍ତ୍ତମାନ ଭାରତ ଉପରେ ଟାରିଫ ଲଗାଇବା କଥା କହୁଛି।
ଭାରତ ଆମେରିକା ଓ ୟୁରୋପୀୟ ସଂଘର ଦ୍ୱିମୁଖୀ ନୀତି ଉପରେ ଆଙ୍ଗୁଳି ଉଠାଇଛି। ୨୦୨୪ରେ ଆମେରିକା ରୁଷିଆ ସହ ୫.୨ ବିଲିୟନ ଡଲାରର ବାଣିଜ୍ୟ କରିଥିଲା, ଯେଉଁଥିରେ ୩ ବିଲିୟନ ଡଲାରର ଆମଦାନୀ ରହିଛି। ଯେଉଁଥିରେ ଆମେରିକା ରୁଷ୍ ନିକଟରୁ ଇଉରାନିୟମ, ପାଲାଡିୟମ ଓ ସାର ଆଦି ମଗାଇଥିଲା। ୟୁରୋପୀୟ ସଂଘ ମଧ୍ୟ ରୁଷ୍ ସହ ଗତ ବର୍ଷ ୬୭.୫ ବିଲିୟନ ୟୁରୋର ବାଣିଜ୍ୟ କରିଥିଲା, ଯେଉଁଥିରେ ୧୬.୫ ମିଲିୟନ ଟନ ଏଲଏନଜି ଆମଦାନୀ ସାମିଲ ରହିଛି।
ୟୁକ୍ରେନ ଯୁଦ୍ଧ ପରେ ରୁଷିଆ ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ୨୦୨୫ ଆରମ୍ଭରେ ଭାରତର ମୋଟ ତୈଳ ଆମଦାନୀର ୩୫-୩୬% ରୁଷିଆରୁ ଆସୁଛି, ଯାହା ଯୁଦ୍ଧ ପୂର୍ବରୁ ମାତ୍ର ୨% ଥିଲା। ଭାରତୀୟ ରିଫାଇନାରୀଗୁଡ଼ିକ ମୂଲ୍ୟ, ଯୋଗାଣ ନିର୍ଭରଯୋଗ୍ୟତା ଓ ବଜାର ଚାହିଦା ଆଧାରରେ ତୈଳ କ୍ରୟ କରୁଛନ୍ତି।
ଟ୍ରମ୍ପଙ୍କ ଟାରିଫ ନୀତିକୁ ଅନେକେ ରାଜନୈତିକ ପ୍ରଦର୍ଶନ ଭାବେ ଦେଖୁଛନ୍ତି। ଯାହା ତାଙ୍କ ‘MAGA’ ସମର୍ଥକଙ୍କୁ ଦେଖାଇବା ପାଇଁ କରାଯାଇଛି। ଏହା ଭାରତ-ଆମେରିକା ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ ଓ ଆମେରିକାରେ ମୂଲ୍ୟବୃଦ୍ଧିର ଆଶଙ୍କା ସୃଷ୍ଟି କରୁଛି।
ଭାରତ ନିଜର ଜାତୀୟ ସ୍ୱାର୍ଥ ଓ ଶକ୍ତି ସୁରକ୍ଷାକୁ ଅଗ୍ରାଧିକାର ଦେବ ବୋଲି ସ୍ପଷ୍ଟ କରିଛି। ରୁଷିଆ ସହ ଦୀର୍ଘକାଳୀନ ତୈଳ ଚୁକ୍ତି ରହିଛି, ଯାହାକୁ ରାତାରାତି ବନ୍ଦ କରାଯାଇପାରିବ ନାହିଁ। ଭାରତ ଆମେରିକାର ଚାପରେ ନଇଁବ ନାହିଁ ଓ “ସ୍ୱାଧୀନ କୂଟନୀତି” ନୀତି ଅନୁସରଣ କରିବ ବୋଲି ଘୋଷଣା କରିଛି। ଏହି ବିବାଦ ଭାରତ-ଆମେରିକା ସମ୍ପର୍କ ଓ ବିଶ୍ୱ ଶକ୍ତି ବଜାର ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।