ନୂଆଦିଲ୍ଲୀ,୨୬।୧୧: ଭାରତକୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନର ଅଧିକାର ମିଳିଛି। ସ୍କଟଲାଣ୍ଡର ଗ୍ଲାସଗୋରେ କମନଓ୍ବେଲଥ୍ ସ୍ପୋର୍ଟସ୍ ଜେନେରାଲ ଆସେମ୍ବଲିରେ ହୋଇଥିବା ବୈଠକରେ ଭାରତର ଅହମ୍ମଦାବାଦ ସହର ନାମରେ ଔପଚାରିକ ମଞ୍ଜୁରୀ ମିଳିଛି। ଏହା ଭାରତକୁ ବଡ଼ ସଫଳତା ଭାବରେ ଦେଖାଯାଉଛି। ଏହା ଅନୁସାରେ, ଏକ ଗ୍ଲୋବାଲ ମଲ୍ଟି ସ୍ପୋର୍ଟସ୍ ହବ୍ ତିଆରି ହେବ।

ଭାରତ ଶେଷ ଥର ପାଇଁ ୨୦୧୦ ରେ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ କରିଥିଲା। ଏଥର ଏହି ଆୟୋଜନ ଅହମ୍ମଦାବାଦରେ ହେବ, ଯେଉଁଠି ଗତ କିଛି ଦଶକ ଧରି ସ୍ପୋଟର୍ସ ଇନଫ୍ରାକୁ ଦୃତ ଗତିରେ ବିକଶିତ କରାଯାଇଛି। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ନିଲାମୀରେ ଭାରତର ମୁକାବିଲା ନାଇଜେରିଆର ସହର ଅବୁଜା ସହ ଥିଲା, କିନ୍ତୁ କମନଓ୍ବେଲଥ୍ ସ୍ପୋର୍ଟ ଆଫ୍ରିକୀୟ ଦେଶକୁ ୨୦୩୪ ଏଡିସନ୍ ପାଇଁ ବିଚାରରେ ରଖିବାର ନିଷ୍ପତ୍ତି ନେଇଥିଲା।

୨୦୧୦ ରେ ଦିଲ୍ଲୀରେ ହୋଇଥିବା କମନଓ୍ବେଲଥ୍ ଗେମ୍ସରେ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା,ଯାହାକି ପ୍ରାରମ୍ଭିକ ଅନୁମାନ ୧,୬୦୦ କୋଟି ଟଙ୍କାଠାରୁ ବହୁ ଗୁଣା ଅଧିକ ଥିଲା। କମନଓ୍ବେଲଥ୍ ଗେମ୍ସକୁ ଗତ କିଛି ବର୍ଷ ହେବ ପ୍ରାସଙ୍ଗିକ କରି ରଖିବା ଓ ଆୟୋଜକ ଖୋଜିବା ଖୁବ୍ ଚ୍ୟାଲେଞ୍ଜିଂ ରହିଥିଲା। ଏହି ଆୟୋଜନରେ ୭୨ ଦେଶର ଖେଳାଳି ଭାଗ ନେଇଥାନ୍ତି।

ନିକଟରେ ଅହମ୍ମଦାବାଦ କମନଓ୍ବେଲଥ୍ ଓ୍ବେଟଲିଫ୍ଟିଙ୍ଗ ଚାମ୍ପିଆନସିପ୍, ଏସିଆନ ଏକ୍ବାଟିକ୍ସ ଚାମ୍ପିଆନସିପ୍ ଓ AFC U-17 ଏସିଆନ୍ କପ୍ କ୍ବାଲିଫାଏର୍ସ ଭଳି ଆୟୋଜନ କରିଛି। ଆଗାମୀ ସମୟରେ ଏହା ଏସିଆନ୍ ଓ୍ବେଟଲିଫ୍ଟିଙ୍ଗ ଚାମ୍ପିଆନସିପ୍,ଏସିଆ ପାରା-ଆର୍ଚରୀ କପ୍ ଓ ୨୦୨୯ ଓ୍ବାର୍ଲ୍ଡ ପୁଲିସ ଆଣ୍ଡ ଫାୟର ଗେମ୍ ମଧ୍ୟ ହେବ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ୍ ଏନ୍‌କ୍ଲେଭରେ ଏକ ବିଶାଳ ପରିସରକୁ ବିକଶିତ କରାଯାଇଛି, ଯେଉଁଥିରେ ବିଶ୍ବର ସବୁଠାରୁ ବଡ଼ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ସହିତ ଆକ୍ବାଟିକ୍ ସେଣ୍ଟର, ଫୁଟବଲ ଷ୍ଟାଡିୟମ୍ ଓ ଇନଡୋର ଏରିନାଜ ପ୍ରସ୍ତୁତ ହେବ। ୩୦୦୦ ଖେଳାଳିଙ୍କ ପାଇଁ ଆଥଲେଟ୍ ଭିଲେଜ ମଧ୍ୟ ତିଆରି କରାଯିବ।

୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାର ବଜେଟ୍ ସୀମିତ ରଖାଯାଇଛି। କେବଳ ୧୦ଟି ଖେଳ ସାମିଲ କରାଯାଇଛି। ଏଥିରେ କୁସ୍ତୀ, ସୁଟିଂ, ବ୍ୟାଡମିଣ୍ଟନ ଓ ହକି ଭଳି ଖେଳକୁ ହଟାଇ ଦିଆଯଇଛି, ଯାହାକୁ ଭାରତ କଡା ବିରୋଧ କରିଥିଲା। କିନ୍ତୁ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନ୍ ସ୍ପଷ୍ଟ କରିଛି, ଭାରତ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ସବୁ ପଦକ ଦେଉଥିବା ଖେଳକୁ ସାମିଲ କରିବ। ଆଇଓଏର ଜଏଣ୍ଟ ସେକ୍ରେଟରୀ କଲ୍ୟାଣ ଚୌବେ କହିଛନ୍ତି, ସୁଟିଂ, କୁସ୍ତୀ, ତୀରନ୍ଦାଜ ଭଳି ଖେଳ ସହ କବାହି ଓ ଖୋ ଖୋ ଭଳି ପାରମ୍ପରିକ ଖେଳ ମଧ୍ୟ ଯୋଡିବାର ଯୋଜନା ରଖିଛି।