ନୂଆଦିଲ୍ଲୀ୨୩/୦୧; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁବାର ସ୍ୱିଜରଲାଣ୍ଡର ଡାଭୋସରେ ‘ପିସ୍ ଅଫ୍ ବୋର୍ଡ’ ବା ଶାନ୍ତି ବୋର୍ଡ ଶୁଭାରମ୍ଭ କରିଛନ୍ତି । ଯୁଦ୍ଧ ରୋକି ଶାନ୍ତି ସ୍ଥାପନ କରିବା ଏହି ବୋର୍ଡର ଉଦ୍ଦେଶ୍ୟ ରହିଛି । ବୋର୍ଡ ଅଫ୍ ପିସ୍ ଚାର୍ଟରରେ ଟ୍ରମ୍ପ୍ ସ୍ୱାକ୍ଷର କରିଛନ୍ତି । ଏହି ବୋର୍ଡର ପ୍ରାରମ୍ଭିକ ଲକ୍ଷ୍ୟ ଗାଜାରେ ହୋଇଥିବା ଯୁଦ୍ଧବିରାମକୁ ମଜଭୁତ କରିବା । କିନ୍ତୁ ଆଗକୁ ଏହି ବୋର୍ଡ ଦୁନିଆର ଅନ୍ୟ ବିବାଦ ସମାଧାନ ଦିଗରେ ମଧ୍ୟ କାମ କରିପାରିବ ବୋଲି ଟ୍ରମ୍ପ୍ କହିଛନ୍ତି ।
ହ୍ୱାଇଟ ହାଉସ୍ ପକ୍ଷରୁ ଏହି ବୋର୍ଡରେ ସାମିଲ ହେବା ଲାଗି ୬୦ ଦେଶକୁ ନିମନ୍ତ୍ରଣ ପଠାଯାଇଥିଲା । କିନ୍ତୁ କେବଳ ୨୦ ଦେଶର ନେତା ହିଁ ସ୍ୱାକ୍ଷର ସମାରୋହରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ସମେତ ସାଉଦି ଆରବ, କାତାର, ୟୁଏଇ, ଆର୍ଜେଣ୍ଟିନା, ବାହାରିନ୍, ମରକ୍କୋ, ଆର୍ମେନିଆ, ଆଜରବୈଜାନ, ବେଲ୍ଜିୟମ, ବୁଲଗେରିଆ, ଇଜିପ୍ଟ, ହଙ୍ଗେରୀ, ଇଣ୍ଡୋନେସିଆ, ଜୋର୍ଡାନ, କାଜାଖସ୍ତାନ, ଉଜ୍ବେକିସ୍ତାନ, କୋସୋଭା, ମଙ୍ଗୋଲିଆ, ପାରାଗୁଏ ଆଦି ଦେଶର ପ୍ରତିନିଧି ଉପସ୍ଥିତ ଥିଲେ । ଭାରତ ପକ୍ଷରୁ କେହି ଏହି ସମାରୋହରେ ସାମିଲ ହୋଇ ନ ଥିଲେ । ଯାହା ଆମେରିକା ପାଇଁ ଏକ ଝଟ୍କା ହୋଇଛି । ଅଧିକାଂଶ ମୁସଲିମ ଦେଶ ଏହି ବୋର୍ଡରେ ସାମିଲ ହୋଇଛନ୍ତି । ଖାଲି ଭାରତ ନୁହେଁ ରୁଷ୍, ଚୀନ, ଗ୍ରୀସ ଏବଂ ଜର୍ମାନୀ ପରି ଦେଶ ସାମିଲ ହୋଇନାହାନ୍ତି । ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ଜି୭ ଦେଶର କୌଣସି ପ୍ରତିନିଧି ଉତ୍ସବରେ ଯୋଗ ଦେଇ ନଥିଲେ ।
ଆମେରିକାର ସହଯୋଗୀ ବିବେଚନା କରାଯାଉଥିବା ଅଧିକାଂଶ ୟୁରୋପୀୟ ଦେଶ ଏହି କାର୍ଯ୍ୟକ୍ରମରୁ ଗାଏବ ଥିଲେ । ଟ୍ରମ୍ପ୍ ୨୦୨୫ ସେପ୍ଟେମ୍ବରରେ ପ୍ରଥମ କରି ଗାଜାରେ ଇସ୍ରାଏଲ-ହମାସ୍ ଯୁଦ୍ଧ ଶେଷ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାବେଳେ ଏହି ବୋର୍ଡର ପ୍ରସ୍ତାବ ଦେଇଥିଲେ । ଡୋଭାସ୍ରେ ସମ୍ବୋଧନ କରି ଟ୍ରମ୍ପ୍ ଏହି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ । ବର୍ଷକ ପୂର୍ବରୁ ଦୁନିଆର ଯେଉଁ ସ୍ଥିତି ଥିଲା ତାହା ଏବେ ବଦଳୁଛି ବୋଲି କହିବା ସହ ସେ ୮ ଯୁଦ୍ଧ ରୋକିଥିବା ପୁଣି ଦାବି କରିଥିଲେ । ଅପରପକ୍ଷେ ବୋର୍ଡ ଅଫ୍ ପିସ୍କୁ ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚକିତ କଲା ଭଳି ପ୍ରସ୍ତାବ ରଖିଛନ୍ତି । ବୋର୍ଡର ଏକ ଚାର୍ଟରରେ କୁହାଯାଇଥିଲା ଯେ, ଯେଉଁ ଦେଶ ୩ ବର୍ଷରୁ ଅଧିକ ସମୟ ଏହି ବୋର୍ଡରେ ସଦସ୍ୟ ହୋଇ ରହିବାକୁ ଚାହିଁବେ ସେମାନଙ୍କୁ ୧ ଅରବ ଡଲାର ଯୋଗଦାନ କରିବାକୁ ପଡ଼ିବ ।