ନୂଆଦିଲ୍ଲୀ,୨୮/୧୧:ଭାରତ ଦିନକୁ ଦିନ ସାରା ବିଶ୍ୱରେ ନିଜର ପ୍ରଭାବ ବୃଦ୍ଧି କରୁଛି। ଏପରିକି ଆଇଏମ୍ଏଫ୍ ଭଳି ସଂଗଠନ ମଧ୍ୟ ଭାରତୀୟ ଅର୍ଥନୀତିର ଶକ୍ତିକୁ ସ୍ୱୀକାର କରୁଛନ୍ତି। ଶୁକ୍ରବାର ଦିନ, ଭାରତ ପୁଣି ଥରେ ନିଜକୁ ଏକ ପ୍ରମୁଖ ଶକ୍ତି ଭାବରେ ପ୍ରମାଣିତ କରିଛି। ଭାରତ ଏବେ ଆନୁଷ୍ଠାନିକ ଭାବରେ ଏସିଆର ଏକ ପ୍ରମୁଖ ଶକ୍ତି ପାଲଟିଛି। ଲୋଇ ଇନଷ୍ଟିଚ୍ୟୁଟ୍ ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଏହାର ବାର୍ଷିକ ତାଲିକାରେ ୪୦.୦ ସ୍କୋର ସହିତ ଭାରତକୁ ତୃତୀୟ ସ୍ଥାନରେ ରଖିଛି। ଏହି ସୂଚକାଙ୍କ ଅନୁସାରେ, ୪୦ କିମ୍ବା ତା’ଠାରୁ ଅଧିକ ସ୍କୋର ଥିବା ଦେଶକୁ ଏକ ପ୍ରମୁଖ ଶକ୍ତି ଭାବରେ ବିବେଚନା କରାଯାଏ।
ଭାରତ ପ୍ରଥମ ଥର ପାଇଁ "ମେଜର ପାଓ୍ବାର" ସୀମା ଅତିକ୍ରମ କରିଛି। ଆମେରିକା (୮୦.୪) ଏବଂ ଚୀନ୍ (୭୩.୩) ପରେ, ଭାରତ ଏବେ ଆର୍ଥିକ ସମ୍ଭାବନା, ଭବିଷ୍ୟତ ସମ୍ବଳ ଏବଂ କୂଟନୈତିକ ପ୍ରଭାବରେ ପ୍ରଥମ ସ୍ଥାନରେ ଅଛି। ଗତ ବର୍ଷ ପର୍ଯ୍ୟନ୍ତ, ଭାରତ ଏକ ଉଦୀୟମାନ ଶକ୍ତି ଥିଲା। ଏହି ସୂଚକାଙ୍କରେ ଆମେରିକାର ସର୍ବକାଳୀନ ସର୍ବନିମ୍ନ ସ୍କୋର ଏବଂ ଚୀନ୍ର ବର୍ଦ୍ଧିତ ସାମରିକ ଶକ୍ତି ସତ୍ତ୍ୱେ, ଭାରତର ସନ୍ତୁଳିତ ଏବଂ ସ୍ଥିର ଅଭିବୃଦ୍ଧି ଏସିଆରେ ଶକ୍ତି ଗତିଶୀଳତାକୁ ଏକ ନୂଆ ଆକାର ଦେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ମେ' ମାସରେ ଭାରତ ଅପରେସନ ସିନ୍ଦୁର ମାଧ୍ୟମରେ ପାକିସ୍ତାନକୁ ପରାସ୍ତ କରି ସାରା ବିଶ୍ବରେ ନିଜ ପ୍ରତିରକ୍ଷା ବାହିନୀର ପରାକାଷ୍ଠାକୁ ପ୍ରଦର୍ଶିତ କରିଥିଲା, ଫଳରେ ଆଜିର ଦିନରେ ଏପରି ସ୍ଥିତି ଏସିଆ ସମେତ ସାରା ବିଶ୍ବରେ ଭାରତକୁ ଏହି ସଫଳତା ଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୨୭ଟି ଦେଶର ସାମରିକ, ଅର୍ଥନୈତିକ, କୂଟନୈତିକ ଏବଂ ସାଂସ୍କୃତିକ ପ୍ରଭାବଶାଳୀତାର ଏକ ବିସ୍ତୃତ ମୂଲ୍ୟାଙ୍କନ କରାଯାଇଛି। ଏହି ସୂଚକାଙ୍କରେ ପାକିସ୍ତାନ ୧୬ତମ ସ୍ଥାନରେ ଅଛି। ସାଂସ୍କୃତିକ ଦୃଷ୍ଟିରୁ ପାକିସ୍ତାନ ବିଶେଷ ଭାବରେ ଦୁର୍ବଳ, ୨୨ତମ ସ୍ଥାନରେ ଅଛି। ଆତଙ୍କବାଦକୁ ଆଶ୍ରୟ ଦେଉଥିବା ହିଁ ପାକିସ୍ତାନର ଚରିତ୍ରକୁ ଏହି ରାକିଂରେ ପ୍ରତିଫଳିତ କରିଛି। ବିଶ୍ୱ ପାକିସ୍ତାନର ପ୍ରକୃତ ଚରିତ୍ର ବିଷୟରେ ଜାଣିସାରିଛି।