ନୂଆଦିଲ୍ଲୀ,୨୬/୦୮:ଭାରତ ଦ୍ରୁତ ଗତିରେ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ସ୍ୱଦେଶୀ ଉପକରଣ ମାଧ୍ୟମରେ ପ୍ରତିରକ୍ଷା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ଏହି କ୍ରମରେ, ଭାରତ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ ବା IADWS ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଉପରେ ବିଶ୍ୱର ନଜର ଥିବା ବେଳେ ଚୀନ୍ ମଧ୍ୟ IADWSକୁ ପ୍ରଶଂସା କରିଛି ଏବଂ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରିଛି। IADWSକୁ ଡି଼ଆରଡ଼ିଓ, ରିସର୍ଚ୍ଚ ସେଣ୍ଟର ଇମାରତ , ସେଣ୍ଟର ଫର ହାଇ ଏନର୍ଜି ସିଷ୍ଟମ୍ସ ଆଣ୍ଡ ସାଇନ୍ସେସ୍ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି ।
ତେବେ IADWS ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଯାହା ଦ୍ରୁତ ପ୍ରତିକ୍ରିୟା ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ,ଅତି କ୍ଷୁଦ୍ର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ର ଏବଂ ଉଚ୍ଚ-ଶକ୍ତିଶାଳୀ ଲେଜର-ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ପ୍ରଣାଳୀକୁ ନେଇ ଗଠିତ। ଶନିବାର ଦିନ ଓଡ଼ିଶା ଉପକୂଳରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ଉଚ୍ଚ-ଶକ୍ତିସମ୍ପନ୍ନ ଲେଜର-ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ପ୍ରଣାଳୀ ଚୀନ୍ ବିଶେଷଜ୍ଞଙ୍କ ସର୍ବାଧିକ ଦୃଷ୍ଟି ଆକର୍ଷଣ କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରଣାଳୀ କେବଳ କିଛି ଦେଶ, ଯେପରିକି ଆମେରିକା, ରୁଷ, ଚୀନ୍, ବ୍ରିଟେନ, ଜର୍ମାନୀ ଏବଂ ଇସ୍ରାଏଲ ପାଖରେ ଅଛି।ବେଜିଂସ୍ଥିତ ଏରୋସ୍ପେସ୍ ନଲେଜ୍ ପତ୍ରିକାର ମୁଖ୍ୟ ସମ୍ପାଦକ ୱାଙ୍ଗ ୟାନାନ୍ ଚୀନ୍ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, 'ଭାରତର IADWS ସିଷ୍ଟମକୁ କ୍ରୁଜ୍ ମିସାଇଲ୍, ଡ୍ରୋନ୍ ଏବଂ ହେଲିକପ୍ଟର ଏବଂ କମ୍ ଉଡ଼ୁଥିବା ବିମାନ ଭଳି କମ୍ ଏବଂ ମଧ୍ୟମ ଉଚ୍ଚତାରେ ଉଡ଼ୁଥିବା ବସ୍ତୁଗୁଡ଼ିକୁ ଅଟକାଇବା ପାଇଁ ବିକଶିତ କରାଯାଇଛି।'
ଚୀନ୍ ବିଶେଷଜ୍ଞ ୱାଙ୍ଗ ଆହୁରି କହିଛନ୍ତି ଯେ, IADWS ଭଳି ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବଶାଳୀ କରିବା ପାଇଁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ସୂଚନା ପ୍ରଣାଳୀ ରହିବା ଆବଶ୍ୟକ। ଯାହା ଦ୍ଵାରା ସମସ୍ତ ତଥ୍ୟ ଏକାଠି ସଂଗ୍ରହ କରାଯାଇ ସମ୍ପୃକ୍ତ ଅସ୍ତ୍ରଶସ୍ତ୍ରକୁ ପଠାଯାଇପାରିବ। ନଚେତ୍, ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କେବଳ ନିଜସ୍ୱ ଭାବରେ କାମ କରିବ ଏବଂ ସ୍ୱାଧୀନ ଭାବରେ ବହୁତ ପ୍ରଭାବଶାଳୀ ହେବ ନାହିଁ। ସେ କହିଥିଲେ ଯେ, QRSAM ଏବଂ VSHORADS ବୈଷୟିକ ଭାବରେ ବିଶେଷ କିଛି ନୁହେଁ କିନ୍ତୁ ଲେଜର ସିଷ୍ଟମ ପ୍ରକୃତରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି। ଚୀନ୍ ବିଶେଷଜ୍ଞଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଚୀନ୍ ସମ୍ପ୍ରତି ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ବହୁଳ ପରିମାଣରେ ନିବେଶ କରୁଛି। ଚୀନ୍ ପାକିସ୍ତାନକୁ ମଧ୍ୟ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି।