ନୂଆଦିଲ୍ଲୀ, ୨୪।୩: ଜୀବନ ଓ ମୃତ୍ୟୁ ମଧ୍ୟରେ କେତେ ଯେ ଦୂରତା, ତାହା ରବିବାର ବିଳମ୍ବିତ ରାତିରେ ନ୍ୟୁୟର୍କର ଲାଗୁଆର୍ଡିଆ ବିମାନ ବନ୍ଦରରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି । ଏୟାର କାନାଡ଼ାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣେ ମହିଳା ଫ୍ଲାଇଟ୍ ଆଟେଣ୍ଡାଣ୍ଟ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାକୁ ଏବେ ସାରା ବିଶ୍ୱରେ ଏକ ‘ଅଲୌକିକ ଚମତ୍କାର’ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ମୁଖ୍ୟ ବିମାନ ସହାୟିକା ସୋଲାଞ୍ଜ ଟ୍ରେମ୍ବଲେ ନିଜର ‘ଜମ୍ପ ସିଟ୍’ରେ ବସି ସୁରକ୍ଷା ବେଲ୍ଟ ବାନ୍ଧିଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ଏହାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ସୋଲାଞ୍ଜ ସିଟ୍ ସହିତ ବିମାନରୁ ବାହାରକୁ ଛିଟିକି ପଡ଼ିଥିଲେ । ସେ ବିମାନର ଭଗ୍ନାବଶେଷଠାରୁ ପ୍ରାୟ ୩୩୦ ଫୁଟ୍ ଦୂରରେ ଯାଇ ପଡ଼ିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବଡ଼ ଝଟକା ସତ୍ତ୍ୱେ ତାଙ୍କର ପ୍ରାଣହାନି ହୋଇନାହିଁ ।
ଏହା ବି ପଢ଼ନ୍ତୁ... ଲୋକସଭାରେ ୪୦୯ ହେବ ବହୁମତ ସଂଖ୍ୟା, ମହିଳାଙ୍କ ପାଇଁ ୨୭୩ ଆସନ ! ସରକାରଙ୍କ ପ୍ଲାନ୍ କ'ଣ ?
ଉଦ୍ଧାରକାରୀ ଦଳ ବି ହୋଇଗଲେ ଆଶ୍ଚର୍ଯ୍ୟ:
ସୋଲାଞ୍ଜଙ୍କ ଝିଅ ସାରା ଲେପିନ୍ କାନାଡ଼ାର ନ୍ୟୁଜ୍ ଚ୍ୟାନେଲ୍ ‘ଟିଭିଏ ନୌଭେଲ୍ସ’କୁ ଏହି ରୋମାଞ୍ଚକର କାହାଣୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ, “ଯେତେବେଳେ ଉଦ୍ଧାରକାରୀ ଦଳ ମୋ ମା’ଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ବି ସେ ନିଜ ସିଟ୍ ସହିତ ବନ୍ଧା ହୋଇ ରହିଥିଲେ । ଏତେ ଭୟଙ୍କର ଦୁର୍ଘଟଣା ପରେ ସେ ଜୀବିତ ଥିବା ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।” ସାରାଙ୍କ କହିବା ଅନୁଯାୟୀ, ନିଶ୍ଚିତ ଭାବେ କୌଣସି ଦେବଦୂତ ସେଦିନ ତାଙ୍କ ମା’ଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଛନ୍ତି । ଏହି ଦୁର୍ଘଟଣାରେ ସୋଲାଞ୍ଜ ଗୁରୁତର ଆହତ ହୋଇଛନ୍ତି । ଉପରୁ ତଳକୁ କଡ଼ ମାଡ଼ି ପଡ଼ିବା କାରଣରୁ ତାଙ୍କର ଗୋଟିଏ ଗୋଡ଼ରେ ଏକାଧିକ ହାଡ଼ ଭାଙ୍ଗି ଯାଇଛି । ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ବା ସର୍ଜରୀ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ତଏ ଘଟଣା ଦେଖି କହୁଛନ୍ତି ‘ଜାକୋ ରଖେ ସାଇଁଆ ମାର୍ ସକେ ନା କୋଇ’ ଅର୍ଥାତ୍ ଭଗବାନ ଯାହାର ଜୀବନ ବଞ୍ଚାଇବାକୁ ଚାହୁଁଥିବେ ତାକୁ କେହି ମାରିପାରିବେ ନାହିଁ ।