ନୂଆଦିଲ୍ଲୀ,୧୨/୦୧: ରୁଷ ତେଲ କିଣାକୁ ନେଇ ଆମେରିକା ଭାରତ ଉପରେ ୫୦% ଟାରିଫ ଲାଗୁ କରିଛି । ରୁଷ ତେଲ କିଣୁଥିବା ଦେଶ ଗୁଡ଼ିକ ବିରୋଧରେ ୫୦୦% ଟାରିଫ ଲଗାଇବା ନେଇ ଆମେରିକା ପ୍ରସ୍ତାବ ରଖିଛି । ଉଚ୍ଚ ଟାରିଫ ଯୋଗୁ ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହୋଇଛି । ଟାରିଫ ଚାପ କମାଇବା ଲାଗି ଆମେରିକା ସହ ଟ୍ରେଡ ଡିଲ୍ ଏବେ ଯାଏ ଚୂଡାନ୍ତ ହୋଇ ପାରୁନି । ଏଭଳି ସ୍ଥିତିରେ ଭାରତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସମ୍ଭାବ୍ୟ ବିକଳ୍ପ ବଜାର ଗୁଡ଼ିକୁ ଖୋଜୁଛି । ଏହି ସବୁ ଦେଶ ଗୁଡ଼ିକୁ ଭାରତର ରପ୍ତାନି ବୃଦ୍ଧି ନେଇ ବିଭିନ୍ନ ଦେଶ ସହ ଭାରତ ବାଣିଜ୍ୟ ଚୁକ୍ତିରେ ସାମିଲ ହେଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟରେ ୫୦% ଟାରିଫ ଲଦିବା ପରେ ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ରହିଥିବା ସମ୍ପର୍କ ଭଟ୍ଟା ପଡିଛି । ରପ୍ତାନି ଶକ୍ତି କେନ୍ଦ୍ର ଏବଂ ବିନିର୍ମାଣ ହବ୍ ହେବା ଦିଗରେ ଏହା ଭାରତର ସ୍ୱପ୍ନକୁ ଝଟକା ଦେଇଛି । ସେହିଭଳି ଉଚ୍ଚ ଟାରିଫ ଯୋଗୁ ଆମେରିକା ବଜାରକୁ ରପ୍ତାନି କମିବା ଯୋଗୁ ଘରୋଇ ବଜାରର ନିଯୁକ୍ତି ଉପରେ ଏହାର ପ୍ରଭାବ ପଡିଛି । ଫଳରେ ନୂଆ ବଡ ପ୍ରମୁଖ ବଜାର ଗୁଡ଼ିକ ବାଦ ଅନ୍ୟ ବଜାର ଉପରେ ଧ୍ୟାନ ଦେଇଛି ।
୨୦୨୫ରେ ଭାରତ ୪ଟି ଦେଶ ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବା ଏହାକୁ କାର୍ଯ୍ୟକ୍ଷମ କରାଇଛି । ଏହା ମଧ୍ୟରେ ବ୍ରିଟେନ ସହ ବାଣିଜ୍ୟ ଚୁକ୍ତି ମଧ୍ୟ ସାମିଲ ହୋଇଛି । ଏବେ ଅଧିକ ଦେଶ ସହ ଟ୍ରେଡ ଡିଲ ଚାହୁଁଛି ଭାରତ । ଏବେ ୟୁରୋପୀୟ ସଂଘ ସହ ଆଲୋଚନା ଜାରି ରହିଛି । ସେହିଭଳି ୟୁରେସିଆନ ଇକୋନୋମିକ ୟୁନିଅନ, ଚିଲ୍ଲୀ, ଦକ୍ଷିଣ ଆମେରିକାର ପ୍ରମୁଖ ଟ୍ରେଡ୍ ବ୍ଲକ ସହ ମଧ୍ୟ ଆଲୋଚନା ହେଉଛି । ନୂଆ ଡିଲ୍ କିମ୍ବା ଡିଲ୍ର ସମ୍ପ୍ରସାରଣ ହେବ ।
ଏହି ପରିପ୍ରେକ୍ଷୀରେ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି, ଏହି ଡିଲ୍ ସଫଳ ହେଲେ ଭାରତ ପ୍ରାୟ ପ୍ରମୁଖ ଅର୍ଥନୀତି ଗୁଡ଼ିକ ସହ ଚୁକ୍ତିରେ ସାମିଲ ହୋଇପାରିବ । ରୁଷ ତେଲ କିଣା ନେଇ ଆମେରିକା ଭାରତ ଉପରେ ଲଗାଇଥିବା କଟକଣା ଯୋଗୁ ଘରୋଇ ବଜାର ବିକଳ୍ପ ବଜାର ସନ୍ଧାନ କରୁଛି । ବାଣିଜ୍ୟ ଅର୍ଥନୀତିଜ୍ଞ ବିଶ୍ୱଜିତ ଧର କହିଛନ୍ତି, ବିଭିନ୍ନ ବଜାର ଗୁଡ଼ିକୁ ସମ୍ପ୍ରସାରଣ କରିବା ଭାରତ ଲାଗି ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ।
ଆମେରିକା ଟାରିଫ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଶ୍ରମ କୈନ୍ଦ୍ରିକ କ୍ଷେତ୍ର ଗୁଡ଼ିକ ଲାଭବାନ ହୋଇ ପାରିବ । ବ୍ରିଟେନ ସହ ବାଣିଜ୍ୟ ସହ ଚୁକ୍ତି ଯୋଗୁ ଆଗାମୀ ୩ ବର୍ଷରେ ସେଠାକୁ ଭାରତର ଗାର୍ମେଣ୍ଟ ରପ୍ତାନି ଦ୍ୱିଗୁଣିତ ହେବ ବୋଲି ଆପାରେଲ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଆକଳନ କରିଛି । ସେହିଭଳି ୟୁରୋପୀୟ ୟୁନିୟନ ସହ ଟ୍ରେଡ ଡିଲ ଦ୍ୱାରା ମଧ୍ୟ ଭାରତ ଏହାଠାରୁ ବେଶୀ ଲାଭବାନ ହେବ ।
ଚଳିତ ମାସ ୟୁରୋପିଆନ କମିଶନର ସଭାପତି ଉର୍ସୁଲା ଭନ୍ ଡେର ଲେୟେନ ନୂଆଦିଲ୍ଲୀ ଗସ୍ତ କରିବେ । ଭାରତ ସହ ହେବାକୁ ଥିବା ଡିଲ୍ ବିଶ୍ୱରେ ସର୍ବବୃହତ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ୨୦୨୫ ସୁଦ୍ଧା ଏହି ଡିଲ୍କୁ ଚୂଡାନ୍ତ କରିବା ଲାଗି ଉଭୟ ପକ୍ଷ ଚେଷ୍ଟା କରିଥିଲେ । ତେବେ ଇସ୍ପାତ ଏବଂ ଅଟୋମୋବାଇଲ ରପ୍ତାନି ଭଳି କେତେକ ପ୍ରସଙ୍ଗରେ ସହମତି ହୋଇ ପାରିନ ଥିଲା ।
ଜର୍ମାନୀ ଚାନସେଲର ଫ୍ରେଡରିକ ମର୍ଜ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଓମାନ ସହ ଭାରତର ବାଣିଜ୍ୟ ଚୁକ୍ତି ଦ୍ୱାରା ଦେଶର ରପ୍ତାନି ଆହୁରି ଦୃଢ଼ ହେବ । ସେହିଭଳି ନ୍ୟୁଜିଲାଣ୍ଡ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ୨୦ ବିଲିୟନ ଡଲାରର ବିଦେଶୀ ନିବେଶ ଭାରତ ଲାଭ କରିବା ସମ୍ଭାବନା ରହିଛି ।
ଅକ୍ଟୋବରରେ ରପ୍ତାନି ହ୍ରାସ ପରେ ନଭେମ୍ବରରେ ଘରୋଇ ବଜାରର ରପ୍ତାନି ୧୯% ବୃଦ୍ଧି ହୋଇଛି । ବିଶେଷ କରି ଇଲେକଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ଉନ୍ନତ ରହିଛି । ଏହାବାଦ ସାମୁଦ୍ରିକ ଖାଦ୍ୟ ରପ୍ତାନି ମଧ୍ୟ ଉନ୍ନତ ସ୍ଥିତିରେ ରହିଛି । ଏବେ ୟୁରୋପୀୟ ସଂଘ ଏବଂ ଚୀନକୁ ରପ୍ତାନି କରାଯାଉଥିବା ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ସଂଘର କେଏନ୍ ରାଘବନ କହିଛନ୍ତି । କୌଣସି ଗୋଟିଏ ବଜାର ଉପରେ ରପ୍ତାନି ନିର୍ଭରତା ରହିବା ଅପେକ୍ଷା ଅନ୍ୟ ବଜାର ଗୁଡ଼ିକକୁ ଧ୍ୟାନ ଦେବା ଆବଶ୍ୟକ ବୋଲି ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋଶନ କାଉନସିଲର ଅଧ୍ୟକ୍ଷ ପଙ୍କଜ ଚଢ଼ା କହିଛନ୍ତି । ଡିସେମ୍ବରରେ ଭାରତର ରୁଷ ତେଲ କିଣା ୧.୨ ନିୟୁତ ଡଲାର ବ୍ୟାରେଲକୁ ଖସିଛି । ତେବେ ଟ୍ରମ୍ପ ଏବେ ମଧ୍ୟ ଭାରତ ଉପରେ ସନ୍ତୁଷ୍ଟ ନ ଥିବା କୁହାଯାଉଛି ।