ନୂଆଦିଲ୍ଲୀ, ୨୮।୪: ଭାରତୀୟ ଅର୍ଥନୀତି ପାଇଁ ଆଗକୁ ମାଡ଼ିଆସୁଛି ବିପତ୍ତି । ଏକାସାଙ୍ଗରେ ତିନୋଟି ବଡ଼ ସଙ୍କଟ ବା ‘ଟ୍ରିପଲ୍ ଆଟାକ୍’ ଭାରତର ଅଭିବୃଦ୍ଧିକୁ ବ୍ରେକ୍ ଲଗାଇବାକୁ ଯାଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଆକାଶଛୁଆଁ ଦର ପରେ ଏବେ ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ମୌସୁମୀ ବର୍ଷା କମ୍ ହେବାର ପୂର୍ବାନୁମାନ ନୀତି ନିର୍ଦ୍ଧାରକଙ୍କ ନିଦ ହଜାଇ ଦେଇଛି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଶକ୍ତି ସଙ୍କଟ ପରେ ଏବେ ‘ଖାଦ୍ୟ ମୁଦ୍ରାସ୍ଫୀତି’ ବା ଖାଦ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ଅର୍ଥବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ବିପଦ ଭାବେ ଉଭା ହୋଇଛି ।

୧. ବିଦ୍ୟୁତ୍ ଚାହିଦାରେ ରେକର୍ଡ ବୃଦ୍ଧି

ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଘରଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଏସି ଓ କୁଲରର ବ୍ୟବହାର ଅହେତୁକ ଭାବେ ବଢ଼ିଛି । ଫଳରେ ଦେଶରେ ବିଦ୍ୟୁତ ଚାହିଦା ସର୍ବକାଳୀନ ରେକର୍ଡ ସ୍ତର ୨୫୬ GWରେ ପହଞ୍ଚିଛି । ଏହା ଶକ୍ତି ସମ୍ପଦ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି ।

୨. କୃଷି କ୍ଷେତ୍ରରେ ମୌସୁମୀ ସଙ୍କଟ

ଭାରତୀୟ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ବର୍ଷା କୃଷି ପାଇଁ ଜୀବନରେଖା ସଦୃଶ । ମାତ୍ର ଚଳିତ ବର୍ଷ ବର୍ଷା ସ୍ୱାଭାବିକଠାରୁ କମ୍ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ବର୍ଷା କମ୍ ହୁଏ, ତେବେ ଧାନ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହେବ ।

୩. ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼

ଅର୍ଥଶାସ୍ତ୍ରୀଙ୍କ ଅନୁମାନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫% ଅତିକ୍ରମ କରିପାରେ । ଆରବିଆଇ ଏହାକୁ ୪.୬% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନର ସ୍ଥିତି ଏହି ଲକ୍ଷ୍ୟକୁ ବିଫଳ କରିପାରେ ।

ଅଷ୍ଟ୍ରେଲିଆ ଆଣ୍ଡ ନ୍ୟୁଜିଲ୍ୟାଣ୍ଡ (ANZ) ବ୍ୟାଙ୍କିଙ୍ଗ ଗ୍ରୁପର ବରିଷ୍ଠ ଅର୍ଥଶାସ୍ତ୍ରୀ ଧୀରଜ ନିମ୍ଙ୍କ କହିବା ଅନୁଯାୟୀ, ଭୀଷଣ ଗରମ ଏବଂ ଅନିଶ୍ଚିତ ମୌସୁମୀ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଁ ମୁଖ୍ୟ କାରଣ ସାଜିବ । ଗୋଟିଏ ପଟେ ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତି ପାଇଁ ଅଶୋଧିତ ତେଲ ବ୍ୟାରେଲ ପିଛା ୧୦୦ ଡଲାର ଟପିଥିବା ବେଳେ ଅନ୍ୟପଟେ ଚାଷ ଖର୍ଚ୍ଚ ବୃଦ୍ଧି ପାଉଛି । ଏହି ସମସ୍ତ କାରଣ ଏକାଠି ହୋଇ ଏକ ‘ପରଫେକ୍ଟ ଷ୍ଟର୍ମ’ ବା ମହାବିପତ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି ।

ସାଧାରଣ ଜନତାଙ୍କ ଉପରେ କି ପ୍ରଭାବ ପଡ଼ିବ ?

ଗ୍ରାହକ ମୂଲ୍ୟ ସୂଚକାଙ୍କ ବା ମୁଦ୍ରାସ୍ଫୀତି ଗଣନାରେ ଖାଦ୍ୟ ପଦାର୍ଥର ଅଂଶ ୩୭% ରହିଥାଏ । ପନିପରିବା, ଡାଲି ଓ ଶସ୍ୟର ଦାମ ବଢ଼ିଲେ ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟ୍ ବିଗିଡ଼ିଯିବ । ଭାରତର ୬୦% ରୁ ଅଧିକ ଜନସଂଖ୍ୟା ଗାଁରେ ରୁହନ୍ତି । ଫସଲ ଖରାପ ହେଲେ ଚାଷୀଙ୍କ ଆୟ କମିବ, ଯାହାଫଳରେ ଗ୍ରାମାଞ୍ଚଳରେ ଜିନିଷପତ୍ରର ଚାହିଦା ହ୍ରାସ ପାଇବ । ବର୍ଷା କମ୍ ହେଲେ ଚାଷୀଙ୍କୁ ଡିଜେଲ ପମ୍ପ ଉପରେ ନିର୍ଭର କରିବାକୁ ପଡ଼ିବ । ତେଲ ଦର ଅଧିକ ଥିବାରୁ ଚାଷ ଖର୍ଚ୍ଚ ବହୁଗୁଣିତ ହୋଇଯିବ । ଏତେ ସବୁ ନକାରାତ୍ମକ ପରିସ୍ଥିତି ମଧ୍ୟରେ କିଛି ଆଶାବାଦୀ ଖବର ମଧ୍ୟ ରହିଛି । ନୋମୁରା ହୋଲ୍ଡିଂସ ଅନୁଯାୟୀ, ଭାରତ ପାଖରେ ଏବେ ପର୍ଯ୍ୟାପ୍ତ ପରିମାଣର ଗହମ ଓ ଚାଉଳର ବଫର ଷ୍ଟକ୍ ଗଚ୍ଛିତ ଅଛି । ଏହା ଦରଦାମ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ଏହାସହ ଆଧୁନିକ ଜଳସେଚନ ବ୍ୟବସ୍ଥା ଏବଂ ଜଳବାୟୁ ସହନଶୀଳ ବିହନ ଯୋଗୁଁ ପୂର୍ବ ଅପେକ୍ଷା ‘ଏଲ୍ ନିନୋ’ର ପ୍ରଭାବ ଚାଷ ଉପରେ କମ୍ ପଡ଼ିବ ବୋଲି ଆଶା କରାଯାଉଛି । ତଥାପି, ଆଗାମୀ କିଛି ମାସ ଭାରତୀୟ ମଧ୍ୟବିତ୍ତ ପରିବାର ଏବଂ ସରକାରଙ୍କ ପାଇଁ ଏକ ବଡ଼ ପରୀକ୍ଷାର ସମୟ ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ... ବିପଦରେ ଭାରତୀୟ ଆଇଟି ସେକ୍ଟର, AI ଓ ଆର୍ଥିକ ମାନ୍ଦାବସ୍ଥା ଭାରତରୁ ପୋଛି ନେଲା ୧୧୫ ବିଲିୟନ ଡଲାର