ଭୁବନେଶ୍ୱର,୧୪/୦୬(ଅମନ ଆୟୁଷ୍ମାନ୍‌ ଦାସ):  ବୟସ ୬୭ । ଏ ବୟସରେ ବି ଅନ୍ୟର ଜୀବନ ବଞ୍ଚାଇବାକୁ ନିଜ ଶରୀରରୁ ରକ୍ତ ନିଗାଡ଼ୁଛନ୍ତି ।  ଯେତିକି ବୟସ, ତାର ଦୁଇଗୁଣ ସଂଖ୍ୟକ ରକ୍ତଦାନ କରିସାରିଲେଣି । ଗତ ୫୨ବର୍ଷ  ମଧ୍ୟରେ ୧୭୫ଥର ରକ୍ତ ଦେଇସାରିଲେଣି । ଖାଲି ସିଏ ନୁହନ୍ତି, ଅନ୍ୟର ଜୀବନ ବଞ୍ଚାଇବାକୁ  ତାଙ୍କ ପତ୍ନୀ ବି ପଛରେ ପଡ଼ିନାହାନ୍ତି ।  ୫୭ବର୍ଷ ବୟସରେ ସେ ବି ୨୫ଥର ରକ୍ତ  ଦେଲୋଣି । ଇତିହାସ ସୃଷ୍ଟି କରିଥିବା ଏହି ରକ୍ତଦାତା ଦମ୍ପତିଙ୍କୁ ଅଜସ୍ର ପ୍ରଶଂସାପତ୍ର  ମିଳିଛି । ଏମାନେ ହେଲେ ଗୋପୀମୋହନ  ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ।

ପାରଳାଖେମୁଣ୍ଡିର ମୂଳବାସିନ୍ଦା ଶ୍ରୀ  ପଟ୍ଟନାୟକ ଏବେ ଭୁବନେଶ୍ୱର ଡୁମଡୁମାର  ସ୍ଥାୟୀ ବାସିନ୍ଦା । ସେ ଓଡ଼ିଶା କୃଷି ଓ  ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର  ଜଣେ ଅବସରପ୍ରାପ୍ତ ଖେଳ(ଶାରୀରିକ)  ଅଧିକାରୀ । ଏଥିସହ ହଷ୍ଟେଲର ଆଶିଷ୍ଟାଣ୍ଟ୍‌  ସୁପରିନଟେଣ୍ଡେଣ୍ଟ୍‌ ମଧ୍ୟ ଥିଲେ ।  ଗୋଟିଏ  ଦୁର୍ଘଟଣା ପାଇଁ ସେ ରକ୍ତଦାତା ବନିଥିଲେ । ଶ୍ରୀ ପଟ୍ଟନାୟକ କୁହନ୍ତି, ୧୯୭୩-୭୪ ମସିହାରେ  ସେ ୟୁନିଟ-୯ରେ ସେତେବେଳେ ଥିବା ରାଜ୍ୟ ନିୟୋଜନ କାର୍ଯ୍ୟାଳୟରୁ ଫେରୁଥିଲେ । ସେହି ସମୟରେ ଲୋକଭବନ(ରାଜଭବନ)  ଛକରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । ଶ୍ରୀ ପଟ୍ଟନାୟକ ଓ ତାଙ୍କ ସହ ଅନ୍ୟ ସହଯୋଗୀମାନେ ଏକ  ଠେଲାଗାଡିରେ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ସେ ସମୟରେ ହସ୍ପିଟାଲରେ ନିଜସ୍ୱ ରକ୍ତଭଣ୍ଡାର ନଥିଲା । ଜରୁରୀକାଳୀନ ୱାର୍ଡରେ  ହିଁ ରୋଗୀଙ୍କୁ ରକ୍ତ ଦିଆଯାଉଥିଲା । ଜଣେ  ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ଶ୍ରୀ ପଟ୍ଟନାୟକ ରକ୍ତ ଦେଇଥିଲେ । ସେ ରକ୍ତ ଦେବାରୁ ସଂପୃକ୍ତ ବ୍ୟକ୍ତି ସୁସ୍ଥ ହୋଇଥିଲେ । ସେହିଦିନଠୁ ଶ୍ରୀ  ପଟ୍ଟନାୟକ ରକ୍ତ ଦେଇଆସୁଛନ୍ତି ।  

ଅଧିକ ପଢ଼ନ୍ତୁ :-   Surya Pranam: କୋଣାର୍କରେ ୧୦୮ ‘ସୂର୍ଯ୍ୟ ପ୍ରଣାମ’ ଅଭ୍ୟାସ; କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଜ୍ୟପାଳ

ତାଙ୍କୁ ଡାକରା ପଡ଼ିଲେ, ସାଇକଲରେ ଶ୍ରୀ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଯାଇ ରୋଗୀଙ୍କୁ ରକ୍ତ ସହ ପ୍ଲେଟଲେଟ୍‌ ମଧ୍ୟ  ଦିଅନ୍ତି । ୨୦୧୭ରେ ସେ ଓୟୁଏଟିରୁ ଅବସର ନେଇଥିଲେ । ବିବାହ ପରେ ପ୍ରଥମେ ସ୍ତ୍ରୀ ଆଶାଲତା ତାଙ୍କୁ ରକ୍ତ ଦେବାକୁ ମନା କରୁଥିଲେ, ହେଲେ ଏବେ ସ୍ତ୍ରୀ ମଧ୍ୟ ରକ୍ତ ଦେଉଛନ୍ତି ।  

ନିୟମ କହୁଛି, ୬୫ବର୍ଷ ପରେ ଆଉ  ରକ୍ତ ଦେବା ଅନୁଚିତ । ହେଲେ ଶ୍ରୀ ପଟ୍ଟନାୟକ ଏହାର ବ୍ୟତିକ୍ରମ । ୬୭ବର୍ଷ ବୟସରେ ସେ  ରକ୍ତ ଦେବାକୁ ଆଗଭର । ଫୋନ୍‌ ଆସିଲେ,  ସେ ହସ୍ପିଟାଲ ଯାଇ ଜରୁରୀକାଳୀନ  ସମୟରେ ରୋଗୀଙ୍କୁ ରକ୍ତ ଦେଉଛନ୍ତି ।  ୨୧ଥର ପ୍ଲେଟଲେଟ୍‌ ମଧ୍ୟ ଦେଇସାରିଛନ୍ତି ।  ଏଥିପାଇଁ ତାଙ୍କୁ ଅନେକବାର ଗାଳି ଶୁଣିବାକୁ  ମିଳିଛି । ଲୁଚିଲୁଚି ସେ ହସ୍ପିଟାଲ ଯାଇ ରକ୍ତ  ଦେଉଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି, ରକ୍ତ  ଦେବା କିଛି ଖରାପ ନୁହେଁ । ସ୍ତ୍ରୀ ଆଶାଲତା  ତାଙ୍କୁ ଏଥିପାଇଁ ସମର୍ଥନ କରୁଛନ୍ତି । ସେ  ବି ରକ୍ତ ଦେଇଥାନ୍ତି । ଏପରିକି ତାଙ୍କ ପୁଅ  ଦିବ୍ୟମୋହନ ମଧ୍ୟ ଜଣେ ରକ୍ତଦାତା ।