ନୂଆଦିଲ୍ଲୀ, ୨୭।୯: ମଖାନା ହବ୍ ଭାବେ ପରିଚିତ ଭାରତ । ଦେଶରେ ଉତ୍ପାଦିତ ହେଉଥିବା ଏହି ମଖାନା ଆଜି ସାରା ବିଶ୍ୱରେ ଏକ ସୁପରଫୁଡ୍ । ବଜେଟ୍-୨୦୨୫ରେ ମଖାନା ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଘୋଷଣା ମଧ୍ୟ କରିଥିଲେ ନିର୍ମଳା ସୀତାରମଣ । ମଖାନା ଚାଷୀଙ୍କୁ ତାଲିମ ଦେବା ସହ ଓ ସହଯୋଗ ପାଇଁ ମଖାନା ବୋର୍ଡ ପ୍ରସ୍ତୁତ କରିବାକୁ ଦେଇଥିଲେ ପ୍ରତିଶ୍ରୁତି । କେବଳ ଭାରତରେ ନୁହେଁ ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି ଏହି ସୁପରଫୁଡ ମଖାନା । ମଖାନାକୁ ନେଇ ପ୍ରସ୍ତୁତ ହୋଇଥିବା ଆମର ସ୍ୱତନ୍ତ୍ର ରିପୋର୍ଟ ଭାସମାନ ସୁନା ‘ମଖାନା’ ।
ମଖାନା, ଲୋଟସ ସିଡ ବା ଫକ୍ସ ନଟ ଭାବେ ମଧ୍ୟ ଜଣାଶୁଣା । ଗତ କିଛି ବର୍ଷ ମଧ୍ୟରେ, ସୁପରମାର୍କେଟରେ ମଖାନାର ବିକ୍ରି ବୃଦ୍ଧି ପାଇଛି । ଭାରତୀୟଙ୍କ ପ୍ରିୟ ପସନ୍ଦ ପାଲଟିଛି ପ୍ରୋଟିନରେ ଭରପୂର ଏହି ମଖାନା ସ୍ନାକ୍ସ । ଗ୍ଲୁଟନ ଫ୍ରି ସ୍ନାକ୍ସ ଭାବେ ପରିଚିତ ଏହି ମଖାନା କେଉଁଠି ଭାରତୀୟଙ୍କ ପୂଜା ଥାଳିରେ ଥାଏ ତ କେଉଁଠି କଫି ଟେବୁଲରେ । ଯାହା ବିହାରର କିଛି ଲୋକଙ୍କର ଜୀବନ ଜୀବିକା ସବୁକିଛି । ବିହାରର ମିଥିଲାଞ୍ଚଳ ଓ ସୀମାଞ୍ଚଳ । ଯାହା ମଖାନା ଚାଷ ପାଇଁ ବେଶ ପରିଚିତ । ମଖାନା ଉତ୍ପାଦନ ପଛରେ ୮୫% ଭାରତର ମତ୍ସଜୀବୀ ମଲ୍ଲାହ ସମ୍ପ୍ରଦାୟର ହାତ ରହିଛି । ଭାରତର ଅଧିକାଂଶ ମଖାନା ଚାଷ ଏବଂ ଅମଳ କରୁଥିବା ମଲ୍ଲାହ ସମ୍ପ୍ରଦାୟ ମାଛ ଏବଂ ମଖାନା ଉପରେ ନିର୍ଭରଶୀଳ । ମଖାନାର ଏ ଛୋଟିଆ ମଞ୍ଜିକୁ ପ୍ୟାକେଜିଂର ପ୍ରୋସେସ ପର୍ଯ୍ୟନ୍ତ ଆଣିବା ପଛରେ ରହିଛି ଚାଷୀ, ଶ୍ରମିକ, ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ କଠିନ ପରିଶ୍ରମ । ମଲ୍ଲାହ ସମ୍ପ୍ରଦାୟର ଅଧିକାଂଶ ପୁରୁଷଙ୍କର ବୃତ୍ତି ଆଉ ପେଶା ପାଲଟିଛି ମଖାନା ଚାଷ । ପାଣି ଭିତରର ଅନ୍ଧାରରେ "ଗୁରିଆ" ନାମକ ଏକ ଛୋଟ, ମସୃଣ ବିହନ ପାଇଁ କାମ କରନ୍ତି ଏମାନେ । କଳା ପଥର ଭଳି ଦେଖାଯାଉଥିବା ଏ ମଖାନା ତାଙ୍କ ପରିବାରର ପେଟ ପୋଷେ ।
ବିହାର ଦରଭଙ୍ଗାର କୋକଟ ଗାଁର ରାମ ନାରାୟଣ ମୁଖିଆ । ୫୫ ବର୍ଷରେ ବି ଲଗାତାର ୬ରୁ ୭ ଘଣ୍ଟା କାମ କରନ୍ତି ସେ । ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅଣ୍ଟା ଆଉ ବେକ ଯାଏ ପାଣିରେ ବୁଡ଼ି ରହି ମଖାନା ବିହନ କାଢ଼ନ୍ତି । ସେ କହନ୍ତି "ମେଁ ୪୦ ରୁପିୟା କିଲୋ କେ ହିସାବ ସେ କାମ୍ କାରତା ହୁଁ । କଭି ୨୫ ଭି ମିଲ୍ତା ହେ, ତୋ କଭି ୫୦ ଭି, ଅଗର ତାଲାବ ଛୋଟା ହୋ ତୋ ।" ଅର୍ଥାତ୍ "ମୁଁ କିଲୋ ପିଛା ୪୦ ଟଙ୍କା ପାଇଥାଏ । କେବେ ୨୫ ଟଙ୍କା ମିଳେ ତ କେତେବେଳେ ୫୦ ଟଙ୍କା, ଯଦି ପୋଖରୀ ଛୋଟ ଥାଏ ।" ରାମ ନାରାୟଣ କୁହନ୍ତି "କାହିଁ କେଉଁ କାଳରୁ ଆମ ବଂଶଧରମାନେ ବି ଏହି କାମ କରିଆସୁଛନ୍ତି । ଆମେ ମଲ୍ଲାହ ସମ୍ପ୍ରଦାୟର, ଏହା ହିଁ ଆମ ପରିଚୟ । ମୋ ପିଲାମାନେ ବି ଏହି କାମ କରିବେ । ଏଇଥିରେ ହିଁ ଆମେ ସମ୍ପୂର୍ଣ୍ଣ ଦକ୍ଷ । ଏମାନେ ଖାଦ୍ୟ ନ ଖାଇ ପାଣିକୁ ଯାଆନ୍ତି । କାରଣ ଖାଇ ସାରି ପାଣିକୁ ଗଲେ ପେଟ ଭାରି ଲାଗେ । କେବଳ ବିଡ଼ି ଟାଣି ପାଣିକୁ ଯାଆନ୍ତି ।
ଏ ବୃତ୍ତିକୁ ଆପଣେଇବାକୁ ହେଲେ ସ୍ୱାସ୍ଥ୍ୟ ଚିନ୍ତାକୁ ପୂରାପୂରି ପାଶୋରି ଦେବାକୁ ପଡ଼େ । ମହ୍ଲାହ ପୁରୁଷମାନଙ୍କ ଦେହରେ କ୍ଷତ ଚିହ୍ନ ଦେଖିବାକୁ ମିଳେ । ଦେହରେ ଦେଖାଯାଉଥିବା କଣ୍ଟା ଦାଗ ହେଉ କି ଚର୍ମ ଫୋଟକାକୁ କ୍ଷତ ଚିହ୍ନ ନୁହଁ ବରଂ ବୃତ୍ତିଗତ ଟାଟୁ ବୋଲି ମାନନ୍ତି ଏମାନେ । ଯେତେବେଳେ ପ୍ରବଳ ବର୍ଷା ହୁଏ ପୋଖରୀରେ ପାଣି ଭର୍ତ୍ତି ହୋଇଯାଏ । ଏହି ସମୟରେ ମଲ୍ଲାହମାନଙ୍କୁ ସିଂଘି ମାଛ ଏବଂ ସାପ ପ୍ରତି ସତର୍କ ରହିବାକୁ ପଡ଼େ । ପୋଖରୀରୁ ଏମାନେ କଳା ପଥର ସଂଗ୍ରହ କରନ୍ତି । ମଖାନା ମଞ୍ଜିକୁ ଏକ ଆଲୁମିନିୟମ ପାତ୍ରରେ ଏକାଠି କରି ଏଥିରୁ ବାଲି, କାଦୁଅ ଓ ପଥର ବାହାର କରିବା ଲାଗି ଏଗୁଡ଼ିକୁ ଗୋଡ଼ରେ ଦଳନ୍ତି ।
ଗାଁଠାରୁ ବହୁତ ଦୂରରେ ରହିଛି ଏ ଫାର୍ମ । ସବୁଜ ଧାନ କ୍ଷେତ ମଝିରେ ଥିବା ଏ ପୋଖରୀ ପାଖରେ ପହଞ୍ଚିବାକୁ ହେଲେ ଚାଲିବାକୁ ପଡ଼େ ମାଇଲ ମାଇଲ ରାସ୍ତା । ଏ ପୋଖରୀଗୁଡ଼ିକ ପ୍ରାୟତଃ ଜମିଦାର, ଠିକାଦାର କିମ୍ବା ସ୍ଥାନୀୟ ନେତାଙ୍କ ମାଲିକାନାରେ କିମ୍ବା ଲିଜ୍ ନିଆଯାଇଥାଏ । ସେମାନେ ଗୁରିଆ କିମ୍ବା ମଖାନା ବିହନକୁ କିଲୋ ପ୍ରତି ପ୍ରାୟ ୨୫୦ ଟଙ୍କାରେ ବିକ୍ରି କରନ୍ତି । ମଖାନାର ଗୋଟିଏ ଫଳ ଭିତରେ ୫୦ରୁ ୧୦୦ଟି ମଞ୍ଜି ଥାଏ । ଏ ଚାଷ କେବଳ ଯେ ଗାଁର ଅପାଠୁଆ ଲୋକ କରନ୍ତି ତା ନୁହେଁ, ଦରଭଙ୍ଗା ବଜାରର ଜଣେ ଶିକ୍ଷିତ ଯୁବକ ଶ୍ରବଣ କୁମାର ରାୟ ଯିଏ ନିଜକୁ ଏମବିଏ ମଖାନା ୱାଲା କୁହନ୍ତି । ବର୍ଷ ବର୍ଷ ଧରି ସେ ଏହି ବ୍ୟବସାୟ କରିଆସୁଛନ୍ତି । ଏ ମଖାନା ବିହାରରୁ ବହୁ ପରିମାଣରେ ପଞ୍ଜାବ ଏବଂ ହରିୟାଣାକୁ ପଠାଯାଏ । ସେଠାରେ ପ୍ୟାକେଜିଂ ହୁଏ ଏବଂ ପରେ ବିହାରର ବଡ଼ ବଡ଼ ମଲ୍ଗୁଡ଼ିକରେ ବିକ୍ରି କରାଯାଏ ।
ମଖାନାର ଚାହିଦା ଅଧିକ କାହିଁକି ?
ବର୍ତ୍ତମାନ ଭାରତର ମଖାନା ଶିଳ୍ପ ୩ ହଜାର କୋଟିର । ଆଗାମୀ ୩ରୁ ୬ ବର୍ଷ ମଧ୍ୟରେ ଏହା ୬ ହଜାର କୋଟିରୁ ବି ଅଧିକ ହୋଇଯିବ । ଏଥିସହ ବାର୍ଷିକ ରପ୍ତାନୀରେ ୨୫% ବୃଦ୍ଧି ହେବ । ମଖାନାରେ କାର୍ବୋହାଇଡ୍ରେଡ୍ସ, ଫାଇବର ଓ ପ୍ଲାଣ୍ଟ ବେସଡ ପ୍ରୋଟିନ ସହ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ଆଇରନ ଓ ଜିଙ୍କ ଭଳି ନ୍ୟୁଟ୍ରିଆଣ୍ଟ୍ସ ରହିଛି । ଏଥିରେ ଥିବା ପୋଷକତତ୍ତ୍ୱ ଉଚ୍ଚ ରକ୍ତଚାପ, ହୃଦଜନିତ ସମସ୍ୟା, ମଧୁମେହ ଓ ମେଦବହୁଳତା ଏହା ଖୁବ ଲାଭଦାୟକ । ଏକାଧିକ ଫାଇଦା ପାଇଁ ଏହି ଛୋଟ ମଞ୍ଜି ଆଜି ସାରା ବିଶ୍ୱରେ ପରିଚିତ । ୧୯୯୮ରେ ଭାରତରେ ମଖାନାର ଦାମ କିଲୋ ପିଛା ୮୦ରୁ ୯୦ ଟଙ୍କା ଥିଲା । ଯାହା ବର୍ତ୍ତମାନ କିଲୋ ପିଛା ୫୫୦ରୁ ୯୦୦ ଟଙ୍କାରେ ପହଞ୍ଚିଲାଣି ।
ସେହିଭଳି ଦଶନ୍ଧି ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ଏହାର ଦାମ କିଲୋ ପିଛା ହଜାରେ ଟଙ୍କା ଥିଲା, ଯାହା ବର୍ତ୍ତମାନ ୮ ଗୁଣା ବୃଦ୍ଧି ପାଇ କିଲୋ ପିଛା ୮ ହଜାର ଟଙ୍କାରେ ବିକ୍ରି ହେଉଛି । କିଛି ସ୍ଥାନରେ ଏହାର ଦାମ କିଲୋ ପିଛା ୧୩ ହଜାର ଟଙ୍କା । ଏହାର ଦାମ ଦେଖି ଆପଣ ଅନୁମାନ କରିପାରୁଥିବେ ଯେ, ଆଗାମୀ ବର୍ଷରେ ମଖାନାର ବ୍ୟବସାୟ କେତେ ମାତ୍ରାରେ ବୃଦ୍ଧି ପାଇବ । ମଖାନା ୟୁରେଲ ଫେରୋକ୍ସ ପ୍ଲାଣ୍ଟ(Euryale ferox plant)ରୁ ପ୍ରସ୍ତୁତ ହୁଏ । ଯାହା ୱାଟର ଲିଲିର ଏକ ପ୍ରଜାତି । ପୋଖରୀରେ ଏହି ଗଛର ମଞ୍ଜି ବୁଣାଯାଏ । ଏହି ମଞ୍ଜି ପାଣି ଭିତରେ ବଢ଼ିବାରେ ଲାଗେ । ଏହାପରେ ମଞ୍ଜିକୁ ସଂଗ୍ରହ କରି ଖରାରେ ଭଲ ଭାବେ ଶୁଖାଇ ଅଧିକ ତାପମାତ୍ରାରେ ଏହାକୁ ଭଜା ଯାଏ । ଯାହା ପରେ ଏହା ମଖାନାରେ ପରିଣତ ହୁଏ । କଳା ପଥରରୁ ଏହାକୁ କଳା ସୁନାରେ ପରିଣତ କରୁଛନ୍ତି ମହ୍ଲାହ ସମ୍ପ୍ରଦାୟର ଚାଷୀ, ଉଦ୍ୟୋଗୀ । ବିଶ୍ୱ ମଖାନାକୁ ଏକ ସୁପରଫୁଡ କହୁଥିବା ବେଳେ ବିହାରର ଦରଭଙ୍ଗାରେ ଏହା ଲୋକଙ୍କ ଜୀବିକା, ଚାଷ କରୁଥିବା ପୋଖରୀ ତାଙ୍କ ପାଇଁ ଦେବୀ ସଦୃଶ ।