ନୂଆଦିଲ୍ଲୀ: ଗାଜା ଶାନ୍ତି ଯୋଜନା ଅଧୀନରେ ଭାରତ ମଧ୍ୟପ୍ରାଚ୍ୟରେ ବିକାଶ ଏବଂ ପୁନଃନିର୍ମାଣ ପ୍ରୟାସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବ। ଇସ୍ରାଏଲ ରାଷ୍ଟ୍ରଦୂତ ରୁବେନ ଆଜାର ମଙ୍ଗଳବାର ଦିନ କହିଛନ୍ତି ଯେ, ଭାରତ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାରେ ସକାରାତ୍ମକ ଭୂମିକା ଗ୍ରହଣ କରିଛି । ତେଣୁ ଗାଜାରେ ଆର୍ଥିକ ଏବଂ ନିର୍ମାଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନୂଆଦିଲ୍ଲୀକୁ ସ୍ୱାଗତ କରାଯିବ। ଇସ୍ରାଏଲ ରାଷ୍ଟ୍ରଦୂତ କହିଛନ୍ତି ଯେ, ଗାଜା ଏବଂ ଇସ୍ରାଏଲରେ ବିକାଶ ଓ ନିର୍ମାଣ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ଭାରତ। 

ସେ କହିଛନ୍ତି ଯେ, ଭାରତ ବିଶ୍ୱର ନୂତନ ନିର୍ମାତା । ଯେପରି ଭାରତକୁ ନିର୍ମାଣ କରୁଛନ୍ତି, ଆମେ ଚାହୁଁଛୁ ଯେ, ଭାରତ ଆମର ଅଞ୍ଚଳଗୁଡ଼ିକୁ ନିର୍ମାଣ କରୁ। ଆଜାର ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ବିକାଶରେ ଭାରତର ସକ୍ରିୟ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରଦୂତ ଏହା ମଧ୍ୟ କହିଛନ୍ତି ଯେ, ଶାନ୍ତି ଯୋଜନା ଚୂଡ଼ାନ୍ତ ହେବା ପୂର୍ବରୁ ଭାରତକୁ ଆନୁଷ୍ଠାନିକ ଭାବରେ ସୂଚନା ଦିଆଯାଇଥିଲା କି ନାହିଁ ସେ ଜାଣି ନାହାଁନ୍ତି । କିନ୍ତୁ ଅନେକ ଦେଶଙ୍କୁ ଅନୌପଚାରିକ ଭାବରେ ସୂଚନା ଦିଆଯାଇଛି। 

ସେ କହିଛନ୍ତି ଯେ, ଭାରତର ଅଂଶଗ୍ରହଣ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସାହାଯ୍ୟ କରିବ ।  ଆଞ୍ଚଳିକ ସ୍ଥିରତାକୁ ମଧ୍ୟ ସୁଦୃଢ଼ ​​କରିବ। ଆଜାର ସାଉଦି ଆରବ ଦ୍ୱାରା ପାକିସ୍ତାନ ସହିତ ସ୍ୱାକ୍ଷରିତ ପ୍ରତିରକ୍ଷା ଚୁକ୍ତି ଉପରେ କହିଛନ୍ତି ଯେ, ଏହା ଉପସାଗରୀୟ ଦେଶର ସାର୍ବଭୌମ ଉପରେ ନିଷ୍ପତ୍ତି । ଦେଶକୁ କିପରି ରକ୍ଷା କରାଯିବ ତାହା ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ନିଷ୍ପତ୍ତି। ଇସ୍ରାଏଲ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହା ସହିତ ଆଜାର ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଉଭୟ ଦେଶ ସୁରକ୍ଷା, ଅର୍ଥନୈତିକ ଏବଂ ବୈଷୟିକ ସହଯୋଗକୁ ଆହୁରି ବୃଦ୍ଧି କରିପାରିବେ। ଭାରତର ଅଂଶଗ୍ରହଣ ଗାଜାରେ ସ୍ଥାୟୀ ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କରିବ।