ନୂଆଦିଲ୍ଲୀ,୧୯/୧୧; ଡରି ଡରି ବଞ୍ଚୁଛି ଆତଙ୍କୀସ୍ଥାନ । ପହଲଗାମ ପରେ ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ଭୟ ପୁଣି ଘାରିଛି । ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ୮୮ ଘଣ୍ଟା ଟ୍ରେଲର ବୟାନ ପରେ ଛାନିଆ ହୋଇଛି ଆତଙ୍କୀସ୍ଥାନ । ଭାରତ ପୁଣି ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି କହିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍ । ଭାରତର ଆର୍ମି ଚିଫ୍‌ଙ୍କ ବୟାନକୁ ପାକିସ୍ତାନ ଅଣଦେଖା କରିବ ନାହିଁ । ଭାରତ ସୀମା ପାର କରି ଆକ୍ରମଣ କରିପାରେ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

​​​​​​​
ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ମିଥ୍ୟା ଏବଂ ଅଧାରହୀନ ତଥ୍ୟ ଦେଇ କହିଛନ୍ତି, ଆଫଗାନିସ୍ତାନ ଅନୁପ୍ରବେଶକୁ ସଂଗଠିତ କରେ । ଏଥିରେ ଭାରତ ଭୂମିକା ଗ୍ରହଣ କରେ ।  ଆଫଗାନିସ୍ତାନ ଆତଙ୍କବାଦୀଙ୍କ ପାଇଁ ଏକ କେନ୍ଦ୍ର ପାଲଟିଛି । ଭାରତ ଚାହୁଁନାହିଁ ପାକିସ୍ତାନ-ଆଫଗାନିସ୍ତାନ ସେମାନଙ୍କ ସମସ୍ୟାର ସମାଧାନ କରୁ । କାବୁଲ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲିଟିଛି । ପାକିସ୍ତାନ କୌଣସି ପ୍ରକାରେ ଭାରତକୁ ବିଶ୍ୱାସ କରିପାରିବ ନାହିଁ । ଭାରତ ସୀମାପାର ଆକ୍ରମଣ ପାଇଁ ଚେଷ୍ଟା କରିବ ।

​​​​​​​''୮୮ ଘଣ୍ଟାର ଏକ ଟ୍ରେଲର ଥିଲା''- ସୋମବାର ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ କଡ଼ା ଚେତାବନୀ ଦେଇଥିଲେ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକ୍ ଉପରେ ବର୍ଷିଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ସେ କହିଲେ ''ଅପରେସନ ସିନ୍ଦୂର ଥିଲା ୮୮ ଘଣ୍ଟାର ଟ୍ରେଲର, ପୂରା ଫିଲ୍ମ ଏବେ ବାକି ଅଛି। ଯଦି ପାକିସ୍ତାନ ସୁଯୋଗ ଦିଏ, ପଡ଼ୋଶୀଙ୍କ ସହ କପରି ବ୍ୟବହାର କରାଯାଏ ଆମେ ଶିଖେଇ ଦେବୁ। ଭାରତୀୟ ସେନା ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ଏବେ ଯୁଦ୍ଧ ଖାଲି ସ୍ଥଳଭାଗରେ ନୁହେଁ ବରଂ ଆକାଶ, ସମୁଦ୍ର, ସାଇବର ଓ ଅନ୍ତରୀକ୍ଷରେ ହେଉଛି। କେତେ ସମୟ ଯୁଦ୍ଧ ଚାଲିବ ତାହା କେହି କହି ପାରିବେ ନାହିଁ। ଏଥିପାଇଁ ଆମକୁ ଲମ୍ଵା ଅବଧି ଯାଏଁ ପ୍ରସ୍ତୁତ ରହିବାକୁ ପଡ଼ିବ।''