ନୂଆଦିଲ୍ଲୀ, ୦୮/୦୧: ଆସନ୍ତା ୧୪ରୁ ୧୯ ତାରିଖ ମଧ୍ୟରେ ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ନୂଆଦିଲ୍ଲୀ ସ୍ଥିତ କେଡି ଯାଦବ ଇନ୍‌ଡୋର ହଲ୍‌, ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଖେଳାଯିବ । ଭାରତରୁ ମୋଟ ୨୧ଜଣ ଖେଳାଳି କୋର୍ଟକୁ ଓହ୍ଲାଇବେ । 

ଏଥିରେ ଅଲିମ୍ପିକ୍‌ ଚାମ୍ପିଅନ୍‌ ଡେନମାର୍କର ଭିକ୍ଟର ଆକ୍ସେଲସେନ୍‌, ବିଶ୍ୱର ଏକ ନମ୍ବର ଖେଳାଳି ଚୀନର ଶି ୟୁକି ଏବଂ ଏକ ନମ୍ବର ମହିଳା ଖେଳାଳି ଦକ୍ଷିଣ କୋରିଆର ଆନ୍‌ ସିୟଙ୍ଗ୍‌ ମୁଖ୍ୟ ଆକର୍ଷଣ ହେବେ । ଭାରତରୁ ମୋଟ ୨୧ଜଣ ଖେଳାଳି ଭାଗ ନେବେ  । ପୁରୁଷ ସିଙ୍ଗଲ୍ସରେ ଭାରତର ଲକ୍ଷ୍ୟ ସେନ୍‌ ପ୍ରଥମ ରାଉଣ୍ଡ୍‌ରେ ଚୀନର ୱେଙ୍ଗ୍‌ ହଙ୍ଗ୍‌ୟାଙ୍ଗ୍‌ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ୨୦୨୨ରେ ସେ ଚାମ୍ପିଅନ୍‌ ହୋଇଥିଲେ । ଅନ୍ୟ ପଟରେ ପ୍ରିୟାଂଶୁ ରାଜାୱତ ବିଶ୍ୱର ୮ନଂ ଖେଳାଳି ଜାପାନର କୋଡାଇ ନାରାଓକାଙ୍କୁ ଏବଂ ଏସ୍‌ଏସ୍‌ ପ୍ରଣୟ ଚାଇନିଜ୍‌ ତାଇପେ’ର ସୁ ଲିୟାଙ୍ଗ୍‌ଙ୍କୁ ସାମ୍ନା କରିବେ । 

ମହିଳା ବର୍ଗରେ ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡ୍‌ରେ ଅନୁପମା ଉପାଧ୍ୟାୟଙ୍କୁ ଭେଟିବାକୁ ଥିବାବେଳେ ମାଳବିକା ବାନସୋଦ, ଆକର୍ଷୀ କଶ୍ୟପ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ । ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଉଭୟ ମାଲେସିଆର ଟି କାଇ ଉନ୍‌-ମାନ୍‌ ଚୋଙ୍ଗ ୱେଇ ଯୋଡ଼ିଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଗତ ସିଜନରେ ସାତ୍ତ୍ୱିକଚିରାଗ ଯୋଡ଼ି ଫାଇନାଲ୍‌ରେ ପରାଜିତ ହୋଇ ଟାଇଟଲ୍‌ ହାତଛଡ଼ା କରିଥିଲେ । ସେହିପରି ମହିଳା ଡବଲ୍ସରେ ଭାରତରୁ ୮ଟି ଯୋଡ଼ି ଏବଂ ମିକ୍ସଡ୍‌ ଡବଲ୍ସରେ ୪ଟି ଯୋଡ଼ି ଅବତୀର୍ଣ୍ଣ ହେବେ ।