ନୂଆଦିଲ୍ଲୀ,୨୩/୦୫: ୨୦୨୬ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବେ । ମୋଟ୍‌ ୨୦ଟି ଦଳ ୫୫ଟି  ମ୍ୟାଚ୍‌ ଖେଳିବେ । ଆସନ୍ତା ଜୁଲାଇ ୧୭ରୁ ୨୦ ତାରିଖ  ପର୍ଯ୍ୟନ୍ତ ସିଙ୍ଗାପୁରରେ ଆଇସିସିର ବାର୍ଷିକ ବୈଠକ  ବସିବ । ବୈଠକରେ ବିଶ୍ୱକପ୍‌ର ଗ୍ରୁପ୍‌ ଓ କ୍ରୀଡ଼ାସୂଚୀ  ସଂପର୍କରେ ଆଲୋଚନା ହେବ । ଭାରତ ଓ ପାକିସ୍ତାନକୁ  ଗୋଟିଏ ଗ୍ରୁପ୍‌ରେ ନରଖିବା ପାଇଁ ବିସିସିଆଇ ଆପତ୍ତି କରିବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । 

ଦୀର୍ଘ ବର୍ଷ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ  ଦ୍ୱିପାକ୍ଷିକ ସିରିଜ ଆୟୋଜନ ବନ୍ଦ ରହିଛି । ତେଣୁ  ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତି । ଟୁର୍ଣ୍ଣାମେଣ୍ଟକୁ ଅଧିକ  ରୋମାଞ୍ଚକର କରିବା ନେଇ ଆଇସିସି ଭାରତ ଓ  ପାକିସ୍ତାନକୁ ସର୍ବଦା ଗୋଟିଏ ଗ୍ରୁପ୍‌ରେ ରଖିଥାଏ ।  କିନ୍ତୁ ଏପ୍ରିଲ ୨୨ ତାରିଖରେ ପହଲଗାମରେ  ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ-ପାକିସ୍ତାନ  ସୀମାନ୍ତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।  ତେଣୁ ବିସିସିଆଇ ପାକିସ୍ତାନ ସହ ଗୋଟିଏ ଗ୍ରୁପ୍‌ରେ  ରହିବାକୁ ଚାହୁଁ ନାହିଁ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି,  ‘ଆଗାମୀ ବୈଠକରେ ଏ ବିଷୟରେ ଆଲୋଚନା  ହେବ । ଭାରତ-ପାକିସ୍ତାନ ଯେମିତି ଗୋଟିଏ ଗ୍ରୁପ୍‌ରେ  ରହିବେ ନାହିଁ ସେ ବିଷୟରେ ଆମର ଦାବି ରହିବ ।’ ହୁଏତ ଭାରତର ଏ ଦାବି ରହିପାରେ ।

ଜୟ ଶାହ ଏବେ ଆଇସିସିର ଅଧ୍ୟକ୍ଷ ରହିଛନ୍ତି । ଗତ ଡିସେମ୍ବରରେ ସେ ଆଇସିସି ଅଧ୍ୟକ୍ଷ ପଦ ଗ୍ରହଣ  କରିଥିଲେ । ପ୍ରଥମ ଥର ଶାହ ଆଇସିସିର ବାର୍ଷିକ ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ଗତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସୁରକ୍ଷା କାରଣରୁ  ପାକିସ୍ତାନ ଗସ୍ତ କରି ନଥିଲା । ଯାହାକୁ ନେଇ ପାକିସ୍ତାନ ସେତେବେଳେ ଦୃଢ଼ ବିରୋଧ କରିଥିଲା । ଶେଷରେ  ଆଇସିସି ଉଭୟ ବୋର୍ଡକୁ ବୁଝାଇ ସମାଧାନର  ସୂତ୍ର ବାହାର କରିଥିଲା । ୨୦୨୭ ପର୍ଯ୍ୟନ୍ତ ଦୁଇ ଦଳ  ହାଇବ୍ରିଡ୍‌ ମଡେଲରେ ଖେଳିବେ । ଅର୍ଥାତ ଭାରତ  ଟୁର୍ଣ୍ଣାମେଣ୍ଟ ଆୟୋଜନ କଲେ ପାକିସ୍ତାନ ଆସିବ ନାହିଁ  ଏବଂ ପାକିସ୍ତାନ ଆୟୋଜନ କଲେ ଭାରତ ଯିବ ନାହିଁ । ଦୁହେଁ ନିରପେକ୍ଷ ଭେନ୍ୟୁରେ ଖେଳିବେ । 

ଗତ ଚାମ୍ପିଅନ୍ସ  ଟ୍ରଫିରେ ଭାରତ ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିଥିଲା ଏବଂ ଚାମ୍ପିଅନ ହୋଇଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟର ୧୦୦ ଦିନ ପୂର୍ବରୁ କ୍ରୀଡ଼ାସୂଚୀ ଘୋଷଣା ହୋଇଥାଏ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଆସନ୍ତା ବର୍ଷ ଫେବ୍ରୁଆରୀ ୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ । ତେଣୁ ଆସନ୍ତା ନଭେମ୍ବର କିମ୍ବା ତା’ପୂର୍ବରୁ ବିଶ୍ୱକପ୍‌ ସୂଚୀ ଘୋଷଣା  ହୋଇପାରେ । ଭାରତ ୨୦୨୪ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚାମ୍ପିଅନ ହୋଇଥିଲା । ଆଶା ଏଥର ଘରୋଇ ମାଟିରେ ଦଳ ଟାଇଟଲ ବଜାୟ ରଖିବ ।