ନୂଆଦିଲ୍ଲୀ ୧୫/୦୪: ଆପଣଙ୍କ ଫୋନକୁ ଇଣ୍ଡିଆ ପୋଷ୍ଟ ତରଫରୁ ମେସେଜ୍‌ ଆସୁଛି କି? ସାବଧାନ! ଏହା ସାଇବର ଠକଙ୍କ ଚାଲ୍‌ ହୋଇପାରେ। ଟଙ୍କା ଲୁଟିବାକୁ ଏବେ ନୂଆ ଉପାୟ ଆପଣେଇଛନ୍ତି ଠକ। ଠିକଣା ଅପଡେଟ୍‌ କରିବାକୁ ଦେଉଛନ୍ତି ୨୪ ଘଣ୍ଟା ସମୟ। ଏଭଳି ମେସେଜ୍‌ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। 

ସାଇବର ଠକେଇ ଆଜିକାଲି ଏକ ବଡ଼ ସମସ୍ୟା ପାଲଟିଛି। ଲୋକମାନେ ଏହାର ଶିକାର ହେଉଛନ୍ତି ଏବଂ ଆଖି ପିଛୁଳାକେ ସେମାନଙ୍କର ସମସ୍ତ ଟଙ୍କା ଉଡିଯାଉଛି। ଏବେ ସାଇବର ଠକେଇ ପାଇଁ ନୂଆ ଉପାୟ ଆପଣେଇଛନ୍ତି ଠକ। ବାସ୍ତବରେ ଆଜିକାଲି ଅନେକ ଲୋକଙ୍କୁ ଇଣ୍ଡିଆ ପୋଷ୍ଟ ନାମରେ SMS ଆସୁଛି। SMS ରେ ଲେଖାଯାଇଛି ଯେ ଆପଣଙ୍କ ପ୍ୟାକେଜ ପହଞ୍ଚିଯାଇଛି। ଆମେ ଦୁଇଥର ଡେଲିଭରି କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସଠିକ୍ ଠିକଣା ଅଭାବରୁ ଡେଲିଭରି ହୋଇପାରିଲା ନାହିଁ।  ଦୟାକରି ୨୪ ଘଣ୍ଟା ମଧ୍ୟରେ ନିଜର ଠିକଣା ଅପଡେଟ୍ କରନ୍ତୁ। ଯଦି ଆପଣ ଏପରି ନକରନ୍ତି ତେବେ ପ୍ୟାକେଜଟି ଫେରସ୍ତ ହୋଇଯିବ। ଏହା ସହିତ, ଠକମାନେ ଏକ ଲିଙ୍କ୍ ମେସେଜ୍ ପଠାଉଛନ୍ତି, ଯେଉଁଥିରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କର ସମସ୍ତ ସୂଚନା ସେମାନଙ୍କ ପାଖକୁ ଯାଇଥାଏ।



ଏବେ ସରକାର ଏପରି ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ମେସେଜଗୁଡିକୁ ଠକଙ୍କ ଚାଲ ବୋଲି କୁହାଯାଇଛି। ସରକାର କହିଛନ୍ତି ଏହି ମେସେଜ ଏତେ ସତ୍ୟ ଲାଗୁଛି ଯେ  ଲୋକମାନେ ସହଜରେ ବିଶ୍ୱାସ କରିନେଉଛନ୍ତି ଯେ ଏହା ଇଣ୍ଡିଆ ପୋଷ୍ଟରୁ ଆସିଛି। କିନ୍ତୁ ଇଣ୍ଡିଆ ପୋଷ୍ଟ କେବେବି ଠିକଣା ଅପଡେଟ୍ କରିବାକୁ କୌଣସି ମେସେଜ୍ କିମ୍ବା ଲିଙ୍କ୍ ପଠାଏ ନାହିଁ।ଏଥିପ୍ରତି ସତର୍କ ରୁହନ୍ତୁ।