ନୂଆଦିଲ୍ଲୀ,୦୪/୦୧: ଲଦାଖକୁ ନେଇ ଚୀନ୍‌ ପୁଣି ନୂଆ ଚାଲ୍‌ବାଜି ଆରମ୍ଭ କରିଛି । ହୋଟନ୍‌ ପ୍ରାନ୍ତରେ ଏହାର ଦୁଇ ନୂଆ ପ୍ରଦେଶ  ଗଠନ କରିବାକୁ ଘୋଷଣା କରିଛି । ଏଥିରେ ଲଦାଖର କିଛି ଅଂଶକୁ ନିଜର ବୋଲି ଦର୍ଶାଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । 

ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି, ଚୀନ୍‌ ଯେଉଁ କ୍ଷେତ୍ରକୁ ଯୋଡ଼ି  ନିଜର ନୂଆ ପ୍ରଦେଶ ଘୋଷଣା କରିଛି ସେଥିରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଅଂଶ ରହିଛି । ଏଥିସହ ତିବ୍ଦତ କ୍ଷେତ୍ରରେ ବ୍ରହ୍ମପୁତ୍ର ନଦୀରେ  ଡ୍ୟାମ୍‌ ନିର୍ମାଣ ପାଇଁ ଚୀନ୍‌ର ନିଷ୍ପତ୍ତି ଉପରେ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଛି । 

ମନ୍ତ୍ରଣାଳୟ  ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି,  ଭାରତ କେବେ ବି ଚୀନ୍‌ର ଏଭଳି ଏକପାଖିଆ  ଅବୈଧ କବ୍‌ଜାକୁ ସ୍ୱୀକାର କରିବ ନାହିଁ ।  ଚୀନ୍‌ ନୂଆ ପ୍ରଦେଶ ଗଠନ କରିଦେଲେ  ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ  ସମେତ ସୀମାରେ ଭାରତର ସ୍ଥିତିରେ  କୌଣସି ପରିବର୍ତ୍ତନ ଘଟିବ ନାହିଁ । ଚୀନ୍‌ର  ଜବରଦସ୍ତି କବ୍‌ଜା ମଧ୍ୟ ବୈଧ ହୋଇପାରିବ  ନାହିଁ । ଏହି ପ୍ରସଙ୍ଗରେ ଭାରତ କୂଟନୈତିକ  ଚ୍ୟାନେଲ ମାଧ୍ୟମରେ ଚୀନ୍‌ ଅଧିକାରୀଙ୍କ  ନିକଟରେ କଡ଼ା ଆପତ୍ତି ଉଠାଇଛି ।  

ରଣଧୀର ଆହୁରି କହିଥିଲେ, ୨୦୨୪  ଡିସେମ୍ବରରେ ଚୀନ୍‌ର ସରକାରୀ ଗଣମାଧ୍ୟମ  ଜରିଆରେ ବ୍ରହ୍ମପୁତ୍ର ନଦୀ (ଚୀନ୍‌ରେ  ୟାରଲୁଙ୍ଗ୍‌ ଜାଙ୍ଗ୍‌ବୋ ନଦୀ)ରେ ଏକ ହାଇଡ୍ରୋ  ପାୱାର ପ୍ରୋଜେକ୍ଟ ବନାଇବା ବାବଦରେ  ସୂଚନା ମିଳିଛି । ବ୍ରହ୍ମପୁତ୍ର ନଦୀ ପାଣି ଉପରେ  ଭାରତର ବି ଅଧିକାର ରହିଛି । ଏଥିସହ ନଦୀ  ତଟରେ ଭାରତର ଅନେକ ଅଞ୍ଚଳ ରହୁଥିବାରୁ ଡ୍ୟାମ୍‌ ନିର୍ମାଣ ଉପରେ ଚୀନ୍‌ ପ୍ରତିପକ୍ଷଙ୍କ ଆଗରେ ଚିନ୍ତା ବ୍ୟକ୍ତ କରାଯାଇଛି । ହେଲେ  ତିବ୍ଦତରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଦ୍ୱାରା  ସେଠାକାର ପରିବେଶ କିମ୍ବା ତଳୁଆ ଅଞ୍ଚଳ ପ୍ରତି କୌଣସି ବିପଦ ନାହିଁ ବୋଲି ଚୀନ୍‌  କହିଛି । ତେବେ ଭାରତ ସମେତ ବାଂଲାଦେଶ  ମଧ୍ୟ ଏହି ଡ୍ୟାମ୍‌କୁ ନେଇ ଚିନ୍ତା ବ୍ୟକ୍ତ କରିଛି ।

 ଏହା ପ୍ରଥମ ଥର ନୁହେଁ ଯେ ଚୀନ୍‌ ନିଜ  ମାନଚିତ୍ରରେ ଏକପାଖିଆ ଭାବେ ଭାରତୀୟ  କ୍ଷେତ୍ରକୁ ନିଜର ବୋଲି ଦାବି କରିଛି । ୨୦୧୭ରେ ଚୀନ୍‌ ଅରୁଣାଚଳ ପ୍ରଦେଶର  ୬ ସ୍ଥାନର ନାମକରଣ କରି ମାନଚିତ୍ର  ଜାରି କରିଥିଲା । ୨୦୨୧ରେ ଏଥିରେ ୧୫  ସ୍ଥାନକୁ ସାମିଲ କରି ଦ୍ୱିତୀୟ ମାନଚିତ୍ର ଜାରି କରିଥିଲା । ୨୦୨୩ରେ ମଧ୍ୟ ଚୀନ୍‌  ପୁନର୍ବାର ଏଭଳି କାରନାମା କରିଥିଲା ।