ନୂଆଦିଲ୍ଲୀ, ୧୧/୧୦ : ବିଶ୍ୱ କ୍ଷୁଧା ସୂଚୀ (ଜିଏଚ୍ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି । ଗତବର୍ଷ ତାଲିକାରେ ସ୍ଥାନ ପାଇଥିବା ୧୨୫ ଦେଶ ମଧ୍ୟରେ ଭାରତ ୧୧୧ତମ ସ୍ଥାନରେ ରହିଥିଲା । ସେହିଭଳି ୨୦୨୨ରେ ୧୨୧ ଦେଶ ଭିତରେ ଭାରତ ତାଲିକାର ୧୦୭ରେ ଥିଲା । ଭାରତର କ୍ଷୁଧା ତାଲିକା ସ୍କୋର ୨୭.୩ ରହିଛି । ଯାହାକି ଗମ୍ଭୀରରୁ ଅତିଗମ୍ଭୀର ଭିତରେ ରହିଛି । କେଉଁ ଦେଶରେ କ୍ଷୁଧା ସ୍ଥିତି କଣ ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଭାବେ ଜଣାପଡେ ।
କ୍ଷୁଧା ତାଲିକାର ସ୍କୋର ୯.୯ କିମ୍ବା ତା’ଠାରୁ କମ୍ ରହିଲେ ତାକୁ ସର୍ବନିମ୍ନ ବୋଲି ଧରାଯାଏ । ସେହିଭଳି ୧୦.୦ରୁ ୧୯.୯ ଭିତରେ ରହିଲେ ସ୍ୱାଭାବିକ କିମ୍ବା ନିୟନ୍ତ୍ରିତ, ୨୦.୦ରୁ ୩୪.୯ ଭିତରେ ରହିଲେ ଗମ୍ଭୀର, ୩୫.୦ରୁ ୪୯.୯ ରହିଲେ ବିପଜ୍ଜନକ ଏବଂ ୫୦.୦ କିମ୍ବା ତାଠାରୁ ଅଧିକ ରହିଛି ଅତିବିପଜ୍ଜନକ ଭାବେ ଗଣନା କରାଯାଏ । ପାକିସ୍ତାନ ଓ ଆଫଗାନିସ୍ତାନ ସ୍ଥିତି ଭାରତ ଠାରୁ ଖରାପ । କିନ୍ତୁ ନେପାଳ, ବାଂଲାଦେଶ, କାମ୍ବୋଡିଆ, ଫିଜି ଓ ଶ୍ରୀଲଙ୍କା ଭଳି ଦେଶ କ୍ଷୁଧାରୁ ନିଜ ଦେଶର ଲୋକଙ୍କୁ ବଞ୍ଚାଇବା ଲାଗି ଭାରତ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ଭାରତର ଜିଏଚ୍ଆଇ ସ୍କୋର ସାଧାରଣତଃ ୪ ମାନଦଣ୍ଡ ଆଧାରରେ ପ୍ରସ୍ତୁତ କରାଯାଇଛି । ତାହା ହେଉଛି ଜନସଂଖ୍ୟା ଅନୁସାରେ ଅପପୁଷ୍ଟି, ଅବିକଶିତ ଶିଶୁ, ଦୁର୍ବଳ ଶିଶୁ ଓ ଶିଶୁ ମୃତ୍ୟୁହାର । ପ୍ରତିବର୍ଷ କନସର୍ନ ୱାର୍ଲ୍ଡ ୱାଇଡ ଏବଂ ୱାର୍ଲ୍ଡ ହଙ୍ଗର ହେଲ୍ପ ନାମକ ୟୁରୋପୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ତାଲିକା ପ୍ରସ୍ତୁତ କରିଥାନ୍ତି । ଭାରତରେ ୧୩.୭% ଲୋକ ଅପପୁଷ୍ଟିର ଶିକାର । ଅର୍ଥାତ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦିନସାରା ଯେତିକି କ୍ୟାଲୋରି ଖାଦ୍ୟ ଦରକାର ସେତିକି ମିଳୁନାହିଁ । ସେହିଭଳି ୫ ବର୍ଷକୁ କମ୍ ୩୫.୫% ଶିଶୁ ଅବିକଶିତ ହୋଇଥାନ୍ତି । ଭାରତରେ ୫ ବର୍ଷରୁ କମ୍ ବୟସର ୧୮.୭% ଶିଶୁ ଦୁର୍ବଳ ହୋଇଥାନ୍ତି । ଶେଷ ମାନଦଣ୍ଡ ହେଉଛି ଶିଶୁ ମୃତ୍ୟୁହାର । ଭାରତରେ ନିଜର ପଞ୍ଚମ ଜନ୍ମଦିନ ପାଳନ କରିବା ପୂର୍ବରୁ ୨.୯% ଶିଶୁ ପ୍ରାଣ ହରାଇଥାନ୍ତି ।