ନୂଆଦିଲ୍ଲୀ,୨୮।୪: ‘ଅପରେସନ୍ ସିନ୍ଦୁର’ର ପ୍ରଥମ ବାର୍ଷିକୀର ଠିକ୍ ପୂର୍ବରୁ ଭାରତର ବିମାନ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମନାକୁ ଆସିଛି। ରୁଷରୁ ବହୁ ପ୍ରତିକ୍ଷୀତ ଚତୁର୍ଥ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତ ଅଭିମୁଖେ ବାହାରିଛି। ଏହା ମଇ ମଧ୍ୟ ଭାଗ ପର୍ଯ୍ୟନ୍ତ ଭାରତୀୟ ବନ୍ଦରରେ ପହଁଞ୍ଚିବାର ଆଶା ରହିଛି। ସେଭଳି ‘ଅପରେସନ୍ ସିନ୍ଦୁର’ରେ ଗେମ୍ଚେଞ୍ଜର ପାଲଟିଥିବା ଏସ୍-୪୦୦ ସିଷ୍ଟମ ଚଳିତ ବର୍ଷ ନଭେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି।
ବିଶ୍ବାସନୀୟ ସୁତ୍ର ଅନୁସାରେ, ଭାରତୀୟ ବାୟୁସେନାର ଅଧିକାରୀ ୧୮ ଏପ୍ରଲରେ ହିଁ ଭାରତ ଆସୁଥିବା ଏହି ଚତୁର୍ଥ ସିଷ୍ଟମର ପ୍ରି-ଡିସପାଚ୍ ନୀରିକ୍ଷଣ ପୁରା କରି ନେଇଥିଲା। ଏହାପରେ ଗତ ସପ୍ତାହ ଏହାକୁ ରୁଷରୁ ଭାରତ ପାଇଁ ସିପ୍ କରି ଦିଆଯାଇଥିଲା। ପାକିସ୍ତାନ ବିରୋଧରେ ମିସାଇଲ ପ୍ରତିରକ୍ଷା ଗ୍ରୀଡ୍କୁ ଆହୁରି ଅଭେଦ୍ୟ କରିବା ପାଇଁ ଏହି ନୂଆ ସିଷ୍ଟମକୁ ରାଜସ୍ଥାନ ସେକ୍ଟରରେ ମୁତୟନ କରାଯିବ।
‘ଅପରେସନ୍ ସିନ୍ଦୂର’ ବେଳେ ରୁଷ ଏସ୍-୪୦୦ ସିଷ୍ଟମ ନିଜର ମାରକ କ୍ଷମତାର ଜୋରଦାର ପ୍ରଦର୍ଶନ କରିଥିଲା। ଏହି ଅପରେସନ୍ ବେଳେ ପାକିସ୍ତାନ ବିରୋଧରେ ଭାରତ ୧୧ ଲମ୍ବା ଦୂରବର୍ତ୍ତୀ ଏସ୍-୪୦୦ ମିସାଇଲ ମାଡ଼ କରିଥିଲା। ଏହି ମିସାଇଲ ଶତ୍ରୁ ଦେଶର ଯୁଦ୍ଧ ବିମାନ, ଏୟାରବର୍ନ ଅର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ (ଏଡବ୍ଲ୍ୟୁଏସିଏସ୍) ଓ ପରିବହନ ବିମାନକୁ ଟାର୍ଗେଟ କରି ନଷ୍ଟ କରିଥିଲା।
ଏସ୍-୪୦୦ର ଲମ୍ବା ଦୂରର ରାଡାର ଓ ମାରକ କ୍ଷମତାର ଭୟ ଏତେ ଅଧିକ ଥିଲା ଯେ, ପାକିସ୍ତାନ ଏହା ବୁଝି ନେଇଥିଲା ଯେ, ସିନ୍ଧୁ ନଦୀର ପୂର୍ବରେ ତା’ର କୌଣସି ବିମାନ ପ୍ଲାଟଫର୍ମ ସୁରକ୍ଷିତ ନାହିଁ। ବାଧ୍ୟ ହୋଇ ପାକିସ୍ତାନକୁ ନିଜର ସବୁ ସକ୍ରିୟ ଯୁଦ୍ଧ ବିମାନକୁ ଭାରତୀୟ ମିସାଇଲ କବଳରୁ ରକ୍ଷା କରିବା ପାଇଁ କ୍ବେଟା ଓ ପେଶାଓ୍ବର ଏୟାରବେସକୁ ସିଫ୍ଟ କରିନେଇଥିଲା। ଯଦିଓ ପାକିସ୍ତାନ ପଞ୍ଜାବ ଓ ଗୁଜରାଟରେ ମୁତୟନ ଭାରତର ଦୁଇଟି ଏସ୍-୪୦୦ ସିଷ୍ଟମକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏଥିରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।
କେନ୍ଦ୍ରର ମୋଦି ସରକାର ନିଜର ବିମାନ ସୁରକ୍ଷାକୁ ଆହୁରି ବିସ୍ତାର କରି ୫ ଆହୁରି ଏସ୍-୪୦୦ ସିଷ୍ଟମ ଅଧିଗ୍ରହଣକୁ ମଞ୍ଜୁରୀ ଦେଇଛନ୍ତି। ଏହାର ରେଞ୍ଜ ୪୦୦ କିଲୋମିଟର ପର୍ଯ୍ୟନ୍ତ ହେବ। ଯଦିଓ ‘ଅପରେସନ୍ ସିନ୍ଦୁର’ ଏବେ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନି, ତେଣୁ ଭାରତ ଏହି ସମୟରେ ବ୍ୟବହାର କରାଯାଇଥିବା ମିସାଇଲର ଷ୍ଟକ୍ ପୂରଣ କରିବା ଓ ଷ୍ଟାଣ୍ଡ ଅଫ୍ ହତିଆରର ଏକ ମଜବୁତ ରିଜର୍ଭ ତିଆରି କରିବାର ନିଷ୍ପତ୍ତି ନେଇଛି। ଏଥିପାଇଁ ଭାତ ୨୮୦ କମ୍ ଓ ଲମ୍ବା ଦୂରଗାମୀ ଏସ-୪୦୦ ମିସାଇଲ କିଣିବ।