ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆର୍ମେନିଆକୁ ମହାଶକ୍ତିଶାଳି ପିନାକା ରକେଟ ସିଷ୍ଟମ ପଠାଇଲା ଭାରତ; ଚିନ୍ତାରେ ଅଜରବୈଜାନ

Published By : Bijay Swain | November 23, 2024 11:49 PM

Image courtesy:- vajiram&ravi

ନୂଆଦିଲ୍ଲୀ:- ଭାରତ ଆନ୍ତର୍ଜାତୀୟ ବଜାରରେ ପୁଣି ଦେଖାଇଛି ନିଜର ପାରିବାପଣିଆ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଅନ୍ୟଦେଶ ଗୁଡିକ ସହ ମୋଟ ବାଇଶି ହଜାର କୋଟିରୁ ଅଧିକ ଟଙ୍କାର ଯୁଦ୍ଧାସ୍ତ୍ର ରପ୍ତାନି କରିଛି ଭାରତ । ଯାହା ଭାରତୀୟ ଯୁଦ୍ଧାସ୍ତ୍ରର ଗୁଣବତ୍ତାକୁ ସୁନିଶ୍ଚିତ କରିବା ସହ ଭାରତର ପାରିବାପଣିଆ କୁ ଜଣାଇଥାଏ । 

ପିନାକା ମଲ୍ଟି-ବ୍ୟାରେଲ ରକେଟ ଲଞ୍ଚର ସିଷ୍ଟମ(ଏମଆରବିଏଲ)ର ପ୍ରଥମ ବ୍ୟାଚ ଏହି ମାସ ଆରମ୍ଭରେ ଆର୍ମେନିଆକୁ ରପ୍ତାନି କରାଯାଇଛି । ଏହା ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁସାରେ ହୋଇଛି ବୋଲି ଇଣ୍ଡିଆନ ଡିଫେନ୍ସ ରିସର୍ଚ୍ଚ ୱିଙ୍ଗ ଶନିବାର କହିଛି । ଏହା ଭାରତ ପାଇଁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ନିମନ୍ତେ ଏକ ମାଇଲଖୁଣ୍ଟ ବୋଲି ଗ୍ରହଣ କରାଯାଉଛି । ଭାରତର ପ୍ରତିରକ୍ଷା ସହଭାଗିତାରେ ଏହା ଏକ ନୂଆ ଅଧ୍ୟାୟ ଭାବେ ଯୋଡି ହୋଇଛି ଯାହା ବୈଶ୍ବିକ ବଜାରରେ ଭାରତର ବଢୁଥିବା ଶକ୍ତିକୁ ଦର୍ଶାଉଛି । 

ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ବହୁ ପୂର୍ବରୁ ବିବାଦ ଲାଗି ରହିଛି । ଅଜରବୈଜାନ ପାକିସ୍ତାନର ମିତ୍ରଦେଶ ହୋଇଥିବାରୁ ଏହି ଦେଶକୁ ପାକିସ୍ତାନରୁ ଯୁଦ୍ଧାସ୍ତ୍ରର ସାହାଯ୍ୟ ମିଳୁଛି । ଏଥି ନିମନ୍ତେ ପଶ୍ଚିମ ଏସିଆରେ ଅବସ୍ଥିତ ଥିବା ଏହି ଛୋଟ ଦେଶ ଆର୍ମେନିଆ ଭାରତ ସହ ବନ୍ଧୁତା କରିବା ସହ ଭାରତଠାରୁ ପିନାକା ମଲ୍ଟି-ବ୍ୟାରେଲ ରକେଟ ଲଞ୍ଚର ସିଷ୍ଟମ ଗ୍ରହଣ କରିଛି । ଯାହା ଆର୍ମେନିଆକୁ ଅଜରବୈଜାନ ସହ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଅନେକ ପରିମାଣରେ ସାହାଯ୍ୟ କରିବ । 

ପିନାକା ଏମଆରବିଏଲ ଭାରତର ସ୍ବଦେଶୀ ଜ୍ଞାନ କୈଶଳରେ ନିର୍ମିତ ଏକ ରକେଟ ଆର୍ଟିଲରି ସିଷ୍ଟମ । ଏହି ରକେଟ ସିଷ୍ଟମକୁ ସଙ୍ଗେସଙ୍ଗେ ନିୟୋଜିତ କରିବା ସହ ସଠିକ ଆକ୍ରମଣ କ୍ଷମତା ପାଇଁ ଏହାର ଡିଜାଇନ କରାଯାଇଛି । ଭାରତୀୟ ସେନାର ଅନେକ ଅପରେସନ ସମୟରେ ଏହି ରକେଟ ସିଷ୍ଟମ ନିଜର ପ୍ରଭାବକୁ ପ୍ରମାଣିତ କରି ଦେଖାଇଛି । ପିନାକା ରକେଟ ସିଷ୍ଟମ ଆର୍ମେନିଆର ପ୍ରତିରକ୍ଷା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଶତ୍ରୁ ପକ୍ଷର ଅବସ୍ତିତି, ଯୋଗାଣ ଶୃଙ୍ଖଳାକୁ ଚକମା ଦେବାର କ୍ଷମତା ମଧ୍ୟ ରଖିଛି । 

ଭାରତ ପ୍ରଥମରୁ ଆର୍ମେନିଆକୁ ଯୁଦ୍ଧାସ୍ତ୍ର ରପ୍ତାନି ଜାରି ରଖିଛି । ଆର୍ମେନିଆ ଭାରତଠାରୁ ପିନାକା ଏମଆରବିଏଲ, ଆକାଶ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ହାଓଇଟଜର, ଆଣ୍ଟି ଟ୍ୟାଙ୍କ ରକେଟ ଓ ଆଣ୍ଟି ଡ୍ରୋନ ଉପକରଣ ଓ ଗୋଳା-ବାରୁଦ ଆଦି କ୍ରୟ କରିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆର୍ମେନିଆ ଭାରତଠାରୁ ମୋଟ ୬୦୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର କ୍ରୟ କରିଛି । ଆର୍ମେନିଆ ୨୦୨୨ରେ ଭାରତ ଠାରୁ ୭୨୦ ମିଲିୟନ ଡଲାର ବ୍ୟୟରେ ୧୫ଟି ଆକାଶ ମିଶାଇଲ ପ୍ରଣାଳୀ କ୍ରୟ କରିଥିଲା । ଏହା ପରଠୁ ଉଭୟ ଦେଶ ମଧ୍ୟରେ ବିଭିନ୍ନ  ପ୍ରତିରକ୍ଷା ଚୁକ୍ତି ହୋଇ ଆସୁଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.