ବିଶାଖାପାଟଣା: ମହିଳା ବିଶ୍ବକପରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିଛି । ଅଷ୍ଟ୍ରେଲିଆକୁ ୩୩୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଆଜି ବଶାଖାପାଟଣାର ଏସିଏ ଷ୍ଟାଡିୟମରେ ଆଲିସା ହିଲି ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରତୀକା ରାଓ୍ବଲ (୭୫) ଏବଂ ସ୍ମୃତି ମନ୍ଧାନା (୮୦) ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୧୫୫ ରନର ଭାଗୀଦାରି ହୋଇଥିଲା। ଏହି ଭାଗୀଦାରି ଆଧାରରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪୮.୫ ଓଭରରେ ୧୦  ୱିକେଟରେ ୩୩୦ ରନ କରିଛି। ଭ୍ରମଣକାରୀ ଦଳ ପକ୍ଷରୁ ଆନାବେଲ ସଦରଲାଣ୍ଡ ପାଞ୍ଚଟି ୱିକେଟ ନେଇଥିବା ବେଳେ ସୋଫି ମୋଲିନକ୍ସ ତିନୋଟି ୱିକେଟ ନେଇଛନ୍ତି । ସେପଟେ ମେଗାନ ସ୍କଟ ଏବଂ ଆଶଲେ ଗାର୍ଡନର ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି ।


ଆଜି ଇନିଂସର ୨୯ତମ ଓଭରରେ ଭାରତକୁ ୫ ପେନାଲ୍ଟି ରନ୍ ଦିଆଯାଇଛି । ଅଷ୍ଟ୍ରେଲୀୟ ଅଧିନାୟିକା ଏକ ବଡ଼ ଭୁଲ କରିଛନ୍ତି । ପ୍ରତୀକା ରାଓ୍ବଲ, ଆନାବେଲ ସଦରଲାଣ୍ଡଙ୍କ ଏକ ଧୀର ବଲରେ ଏକ ଶକ୍ତିଶାଳୀ ସ୍ଲଗ୍ ସ୍ୱିପ୍ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ । ବଲଟି ସିଧା ଷ୍ଟମ୍ପ ପଛରେ ଆଲିସା ହିଲିଙ୍କ ପାଖକୁ ଚାଲିଯାଇଥିଲା। ବଲଟି ପରେ ତଳେ ଥିବା ହିଲିଙ୍କ ହେଲମେଟରେ ବାଜି ଡିପ୍ ଫାଇନ୍ ଲେଗକୁ ଯାଇଥିଲା। ଅଷ୍ଟ୍ରେଲିଆର ବଲକୁ ଧରିବାରେ ବିଫଳତା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଫଳରେ ଭାରତକୁ ମିଳିଥିଲା ୫ ରନ୍‌ । 

MCC ରୁଲ୍ ବୁକ୍‌ର ନିୟମ 28.3.2 ଅନୁଯାୟୀ, ଯଦି ବଲ ପଡ଼ିଆରେ ଥିବା ଫିଲ୍ଡିଂ ଦଳର ହେଲମେଟରେ ବାଜେ, ତେବେ ଅମ୍ପାୟାର ବ୍ୟାଟିଂ ଦଳକୁ ୫ ପେନାଲ୍ଟି ରନ୍ ଦେବେ। ନିୟମରେ ଏହା ମଧ୍ୟ କୁହାଯାଇଛି, ‘ବଲ ହେଲମେଟରେ ବାଜିବା ପୂର୍ବରୁ ବ୍ୟାଟର କରିଥିବା ରନ ହିସାବ କରାଯିବ ।  ଯଦି ବଲ୍ ବାଜିବା ସମୟରେ ବ୍ୟାଟର ପରଷ୍ପରକୁ ପାସ୍ କରିଥାନ୍ତି, ତେବେ ସେହି ରନ ମଧ୍ୟ ଯୋଡାଯିବ।’  ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ରେ, ବଲ୍ ସେମାନଙ୍କ ହେଲମେଟରେ ବାଜିବା ପୂର୍ବରୁ ବ୍ୟାଟର ପରଷ୍ପରକୁ ପାସ୍ କରିପାରି ନଥିଲେ। ତେଣୁ ବ୍ୟାଟିଂ ଦଳକୁ କୌଣସି ଅତିରିକ୍ତ ରନ ମିଳି ପାରିନଥିଲା। ତେଣୁ ନିୟମ ଅନୁସାରେ, ବ୍ୟାଟିଂ କରୁଥିବା ଦଳ (ଭାରତ)କୁ ୫ ପେନାଲ୍ଟି ରନ୍‌ ମିଳିଥିଲା । 
 
ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ମୃତି ମନ୍ଧାନା ୮୦ ରନ୍‌ କରିବା ସହ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ODIରେ ୫୦୦୦ ରନ ପୂରଣ କରିଛନ୍ତି ।  ଏପରି କରିବାରେ ବିଶ୍ୱର ପଞ୍ଚମ ଏବଂ ଭାରତର ଦ୍ୱିତୀୟ ବ୍ୟାଟର ହୋଇଛନ୍ତି ସ୍ମୃତି ମନ୍ଧାନା । ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଦିନିକିଆ କ୍ରିକେଟରେ ୫୦୦୦ ରନ ପୂରଣ କରିଥିଲେ।