ନୂଆଦିଲ୍ଲୀ, ୯।୬: ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନକୁ ପୁଣି ଥରେ କଡ଼ା ଭାଷାରେ ସମାଲୋଚନା କରିଛି ଭାରତ । ନିଜ ସୀମା ଭିତରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ 'ଫିତନା ଅଲ୍-ହିନ୍ଦୁସ୍ତାନ' କହି ଭାରତ ବିରୋଧରେ ବିଷ ଉଗାଳୁଥିବା ପାକିସ୍ତାନର ଅସଲ ଚେହେରାକୁ ବିଶ୍ୱ ଦରବାରରେ ପଦାରେ ପକାଇଛନ୍ତି ଭାରତୀୟ କୂଟନୀତିଜ୍ଞ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ରେ ଆଫଗାନିସ୍ତାନ ସ୍ଥିତିକୁ ନେଇ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଏହି ତୀବ୍ର ପ୍ରହାର କରାଯାଇଛି ।

'ଫିତନା ଅଲ୍-ହିନ୍ଦୁସ୍ତାନ' ପଛର ଅସଲ ସତ: ଭାରତର ଜବାବ

ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ହରୀଶ ପର୍ବତନେନୀ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଘେରି କହିଛନ୍ତି ଯେ, ଇସଲାମାବାଦ ନିଜର ବିଫଳତାକୁ ଲୁଚାଇବା ପାଇଁ ଧାର୍ମିକ ଶବ୍ଦାବଳୀର ଆଢ଼ୁଆଳ ନେଉଛି । ପାକିସ୍ତାନ ସରକାର ନିଜର ସରକାରୀ ଏଜେନ୍ସିଗୁଡ଼ିକୁ ସୀମା ମଧ୍ୟରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀଙ୍କୁ 'ଫିତନା ଅଲ୍-ହିନ୍ଦୁସ୍ତାନ' କହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଭାରତ ସ୍ପଷ୍ଟ କରିଛି ଯେ, ଏହା କେବଳ ଧାର୍ମିକ ଶବ୍ଦ ପରିଧାନରେ ଆବୃତ ଏକ ସରକାରୀ ପ୍ରାୟୋଜିତ ଭ୍ରମାତ୍ମକ ତଥ୍ୟ ଓ ଦୁଷ୍କର୍ମର ଅପପ୍ରଚାର ଅଭିଯାନ । ସୂଚନାଯୋଗ୍ୟ ଯେ, ଗତବର୍ଷ ପାକିସ୍ତାନ ସରକାର ବାଲୁଚିସ୍ତାନରେ ସକ୍ରିୟ ଥିବା ବିଦ୍ରୋହୀ ଓ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆନୁଷ୍ଠାନିକ ଭାବେ 'ଫିତନା ଅଲ୍-ହିନ୍ଦୁସ୍ତାନ' ଘୋଷଣା କରିଥିଲେ ଏବଂ ବିନା କୌଣସି ପ୍ରମାଣରେ ଏହା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ । ଭାରତ ଏହି ମିଥ୍ୟା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ।

ରାଜଦୂତ ହରୀଶ ପର୍ବତନେନୀ ପାକିସ୍ତାନର ସାମରିକ ଓ ରାଜନୈତିକ ବ୍ୟବସ୍ଥାକୁ ତୀବ୍ର କଟାକ୍ଷ କରି କହିଛନ୍ତି । "ଏହା ପାକିସ୍ତାନର ସ୍ଥାପିତ ସତ୍ତା ଦ୍ୱାରା ପରିଚାଳିତ ଏକ ସଂଗଠିତ ଘୃଣାର ଫ୍ୟାକ୍ଟ୍ରି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିଜ ଦେଶର ନାଗରିକଙ୍କ ମନରେ ଭାରତ ପ୍ରତି ସବୁବେଳେ ଶତ୍ରୁତା ମନୋଭାବ ବଜାୟ ରଖିବା । ଏହାଦ୍ୱାରା ସେଠାକାର ଶାସକ ନିଜ ଗାଦି ସୁରକ୍ଷିତ ରଖିପାରିବେ, ଜାତୀୟ ସମ୍ବଳ ଉପରେ ନିୟନ୍ତ୍ରଣ ରଖିବେ ଏବଂ ଜନସାଧାରଣଙ୍କ ଦୃଷ୍ଟିକୁ ମୂଳ ରାଜନୈତିକ ଓ ଅର୍ଥନୈତିକ ସଙ୍କଟରୁ ଦୂରେଇ ରଖିପାରିବେ ।" ଏହି ପ୍ରସଙ୍ଗରେ ସେ ପାକିସ୍ତାନରେ ସେନା ଦ୍ୱାରା ହୋଇଥିବା ପରୋକ୍ଷ କ୍ଷମତା ଦଖଲକୁ ପ୍ରମାଣ ଭାବେ ଉପସ୍ଥାପନ କରିଛନ୍ତି ।

ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣକୁ କଡ଼ା ନିନ୍ଦା:

ଏହି ବୈଠକରେ ଭାରତ ଆଫଗାନିସ୍ତାନ ସୀମା ଭିତରେ ପାକିସ୍ତାନ ଦ୍ୱାରା କରାଯାଇଥିବା ସାମରିକ ଏୟାରଷ୍ଟ୍ରାଇକ ବା ବିମାନ ଆକ୍ରମଣକୁ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛି । ଭାରତୀୟ ଦୂତ କହିଛନ୍ତି ଯେ, କୌଣସି ନିରୀହ ସାଧାରଣ ନାଗରିକଙ୍କ ଗଣହତ୍ୟାକୁ ‘ସାମରିକ ଅଭିଯାନ’ର ରୂପ ଦେଇଦେଲେ ଅପରାଧୀର ଦୋଷ କମିଯାଏ ନାହିଁ । ସାଧାରଣ ନାଗରିକଙ୍କୁ ହତ୍ୟା କରିବା, ଶିଶୁମାନଙ୍କୁ ଅନାଥ କରିବା କଦାପି ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ପବିତ୍ର ରମଜାନ ମାସରେ ଆଫଗାନିସ୍ତାନ ଉପରେ ବର୍ବରୋଚିତ ବିମାନ ଆକ୍ରମଣ କରି ପୁଣି ଆନ୍ତର୍ଜାତୀୟ ନିୟମ ଓ ଇସଲାମିକ ଏକତାର ବଡ଼ ବଡ଼ କଥା କହିବା ପାକିସ୍ତାନର ଚରମ ମୁର୍ଖାମିକୁ ଦର୍ଶାଉଛି । ଶେଷରେ ଭାରତ ସ୍ପଷ୍ଟ ଚେତାବନୀ ଦେଇ କହିଛି ଯେ, ନିଜର ଆଭ୍ୟନ୍ତରୀଣ ବିଫଳତା, ଅରାଜକତା ଏବଂ ଆର୍ଥିକ ଦୁର୍ଦ୍ଦଶା ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ ଦୋଷାରୋପ କରିବା ପାକିସ୍ତାନର ଏକ ପୁରୁଣା ତଥା ବଦଭ୍ୟାସ । ମାତ୍ର ବିଶ୍ୱ ସମୁଦାୟକୁ ଭ୍ରମିତ କରିବା ପାଇଁ ପାକିସ୍ତାନ କରୁଥିବା ଏହି ସମସ୍ତ ଅପଚେଷ୍ଟା ସମ୍ପୂର୍ଣ୍ଣ ଭାବେ ବିଫଳ ହେବ ବୋଲି ଭାରତ ୟୁଏନଏସସି ମଞ୍ଚରେ ଦୃଢ଼ତାର ସହ ପ୍ରକାଶ କରିଛି ।

ଆହୁରି ପଢ଼ନ୍ତୁ... Visakhapatnam Steel Plant Accident: ବିଶାଖାପାଟଣାରେ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ଚାଲିଗଲା ୮ ଶ୍ରମିକଙ୍କ ଜୀବନ, ଅନେକ ଗୁରୁତର