ଭୁବନେଶ୍ୱର/କଟକ,୦୩/୦୪: ପୁଣି ୧୦ ମାସ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିବ  ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଏଥର ଦିନିକିଆ  ନୁହେଁ, ଦର୍ଶକ ଦେଖିବେ ଟି-ଟ୍ୱେଣ୍ଟି । ଭାରତ ଓ ଦକ୍ଷିଣ  ଆଫ୍ରିକା ହେବେ ମୁହାଁମୁହିଁ । ଡିସେମ୍ବର ୯ ତାରିଖରେ  ଖେଳାଯିବ ଏହି ମ୍ୟାଚ୍‌ । ବିସିସିଆଇ ତା’ର ଘରୋଇ  ଅନ୍ତର୍ଜାତୀୟ ସୂଚୀ ଘୋଷଣା କରିବା ପରେ ଏ ବିଷୟ  ଆଜି ସ୍ପଷ୍ଟ ହୋଇଛି । 

 ଏ ଖବର ଜାଣିବା ପରେ ଓଡ଼ିଶାର  କ୍ରିକେଟ୍‌ପ୍ରେମୀ ଉତ୍ସାହିତ ହୋଇପଡ଼ିଛନ୍ତି । ପୁଣି  ବାରବାଟୀ ଷ୍ଟାଡିୟମରେ ଏକ ନୂଆ ଲଢ଼େଇ ଦେଖିବା  ନେଇ ଏବେଠାରୁ ଦିନ ଗଣିବା ଆରମ୍ଭ କରିଛନ୍ତି ।  ଗତ ମାସ ୨୨ ତାରିଖରେ ଏ ସଂପର୍କିତ ଏକ ରିପୋର୍ଟ  ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ମାତ୍ର  ବିସିସିଆଇ ପକ୍ଷରୁ ସୂଚୀ ଚୂଡ଼ାନ୍ତ ହୋଇ ନଥିବାରୁ  ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)  ପାଖରେ କିଛି ସୂଚନା ନଥିଲା । ଗତ ଫେବ୍ରୁଆରୀ  ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ  ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଶେଷ  ଥର କଟକରେ ୨୦୨୨ ଜୁନ ୧୨ ତାରିଖରେ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିଲେ ।  

ଅକ୍ଟୋବରରେ ଇଣ୍ଡିଜ  ଖେଳିବ ୨ ଟେଷ୍ଟ

ବିସିସିଆଇ ଘୋଷିତ କ୍ରୀଡ଼ାସୂଚୀ ଅନୁସାରେ,  ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ଭାରତ ଗସ୍ତରେ ଆସି  ଘରୋଇ ଦଳ ସହ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ପ୍ରଥମ  ଟେଷ୍ଟ ଅକ୍ଟୋବର ୨ରୁ ଅହମ୍ମଦାବାଦରେ ଏବଂ ଦ୍ୱିତୀୟ  ଟେଷ୍ଟ ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବ ।  

ଦ.ଆଫ୍ରିକା ଖେଳିବ ୨ ଟେଷ୍ଟ,  ୩ ଦିନିକିଆ ଓ ୫ ଟି-ଟ୍ୱେଣ୍ଟି 

ୱେଷ୍ଟଇଣ୍ଡିଜ ଦଳ ବାହୁଡ଼ି ଯିବା ପରେ ନଭେମ୍ବର  ମାସରେ ଦକ୍ଷିଣ ଆଫ୍ରିକା ଦଳ ଆସିବ । ଏହି ଗସ୍ତରେ  ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ। ଯେଉଁଥିରେ ରହିଛି  ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି । 

ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ ଦିଲ୍ଲୀରେ ଏବଂ ୨୨  ତାରିଖରୁ ଦ୍ୱିତୀୟ ଟେଷ୍ଟ ଗୌହାଟୀରେ ଆରମ୍ଭ ହେବ ।  ଏହାପରେ ୩୦ରୁ ଦିନିକିଆ ସିରିଜ୍‌ ଖେଳାଯିବ ।  ନଭେମ୍ବର ୩୦ରେ ପ୍ରଥମ ଦିନିକିଆ ରାଞ୍ଚିରେ,  ଡିସେମ୍ବର ୩ରେ ଦ୍ୱିତୀୟ ଦିନିକିଆ ରାୟପୁରରେ ଏବଂ  ୬ ତାରିଖରେ ଅନ୍ତିମ ମ୍ୟାଚ୍‌ ଭାଇଜାଗରେ ଖେଳାଯିବ ।  ଏହାପରେ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ୍‌ । 

ସିରିଜର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୯ ତାରିଖରେ  କଟକ, ଦ୍ୱିତୀୟ ମ୍ୟାଚ୍‌ ୧୧ରେ ନୂଆ ଚଣ୍ଡୀଗଡ଼,  ତୃତୀୟ ମ୍ୟାଚ୍‌ ୧୪ରେ ଧର୍ମଶାଳା, ଚତୁର୍ଥ ମ୍ୟାଚ୍‌  ୧୭ରେ ଲକ୍ଷେ୍ନø ଏବଂ ପଞ୍ଚମ ମ୍ୟାଚ୍‌ ୧୯ ତାରିଖରେ  ଅହମ୍ମଦାବାଦରେ ଖେଳାଯିବାର ସୂଚୀ ଚୂଡ଼ାନ୍ତ ହୋଇଛି ।