ନୂଆଦିଲ୍ଲୀ, ୧୫/୦୫: ଆସନ୍ତା ମାସରେ ଭାରତୀୟ ଦଳ ୫ମ୍ୟାଚ୍‌  ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ  ଇଂଲଣ୍ଡ ଯାତ୍ରା କରିବ । ଜୁନ ୨୦ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ  ହେବ । ଏହା ପୂର୍ବରୁ ଭାରତ ଏ’ ଦଳ  ଇଂଲଣ୍ଡ ଯାତ୍ରା କରି ୩ ମ୍ୟାଚ ବିଶିଷ୍ଟ  ଅନଫିସିଆଲ ଟେଷ୍ଟ ସିରିଜ ଖେଳିବାର  କାର୍ଯ୍ୟକ୍ରମ ରହିଛି । ମେ ୩୦ ତାରିଖରୁ  ଏ’ ସିରିଜ ଆରମ୍ଭ ହେବ । ସମୟ ଗଡ଼ି ଚାଲିଥିଲେ ହେଁ ବିସିସିଆଇ  ଚୟନ କମିଟି ଏପର୍ଯ୍ୟନ୍ତ ଦଳ ଘୋଷଣା  କରିପାରି ନାହିଁ । ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି  ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଥିବାରୁ କ୍ରିକେଟ୍‌ ପ୍ରେମୀ ଟେଷ୍ଟ ଦଳ ଘୋଷଣାକୁ ଉତ୍ସୁକତାର ସହ  ଅପେକ୍ଷା କରି ରହିଛନ୍ତି ।  

ଯାହା ଜଣା ପଡ଼ୁଛି, ଆସନ୍ତା ୨୩  କିମ୍ବା ୨୪ ତାରିଖରେ ଦଳ ଘୋଷଣା  କରାଯାଇପାରେ । ଭାରତ ଓ ପାକିସ୍ତାନ  ମଧ୍ୟରେ ଯୁଦ୍ଧ ଯୋଗୁଁ ଆଇପିଏଲ୍‌କୁ  ସାପ୍ତାହେ କାଳ ସ୍ଥଗିତ ରଖିବାକୁ  ପଡ଼ିଥିଲା । ଯାହା ଫଳରେ ଦଳ ଚୟନ  କରିବାରେ ମଧ୍ୟ ବିଳମ୍ବ ହୋଇଥିଲା ।  ଆସନ୍ତା ୧୭ ତାରିଖରୁ ଆଇପିଏଲ୍‌ର  ବାକି ଭାଗ ଆରମ୍ଭ ହେବ । ପ୍ଲେ- ଅଫ୍‌ ଦୌଡରୁ ବାଦ ପଡ଼ିସାରିଥିବା ଦଳଗୁଡ଼ିକ ମଧ୍ୟରୁ ଖେଳାଳିମାନଙ୍କୁ ନେଇ ଏ’ ଦଳ ଚୟନ କରାଯିବ।