ବର୍ଷ ୨୦୨୬ ଭାରତ ପାଇଁ କେବଳ ଏକ ବର୍ଷ ନୁହେଁ, ବରଂ ସବୁ କ୍ଷେତ୍ରରେ ନିଜ ଶକ୍ତି ଦୁନିଆକୁ ଦେଖାଇବାର ଏକ ସୁଯୋଗ । ଉଭୟ ଆଞ୍ଚଳିକ ଏବଂ ବାହ୍ୟ ଚ୍ୟାଲେଞ୍ଜ ଭିତରେ ବୈଶ୍ୱିକ ଚିତ୍ରପଟ୍ଟରେ ଏକ ଉଦୀୟମାନ ରାଷ୍ଟ୍ର ଭାବେ ନିଜ ପତିଆରା ସୃଷ୍ଟି କରିପାରିଥିବା ଭାରତ ନୂଆବର୍ଷରେ ଅଧିକ ଦେଶୀ ଏବଂ ଆତ୍ମନିର୍ଭର ହେବାକୁ ଯାତ୍ରା ତୀବ୍ର କରିବ । ମହାବଳୀ ଅସ୍ତ୍ରରେ ଅଧିକ ସଶକ୍ତ ହେବ ସେନା । ଶତ୍ରୁକୁ ନାଲିଆଖି ଦେଖାଇ ସେମାନଙ୍କୁ ସୀମା ଭିତରେ ରହିବାକୁ ଏବଂ ଯୁଦ୍ଧ ସ୍ଥିତିର ମୁକାବିଲା କରିବାକୁ ହେବ ଆଗୁଆ ପ୍ରସ୍ତୁତି । ସଂଘର୍ଷ, ଅଶାନ୍ତ ସୀମାରେ ଶାନ୍ତି ଲାଗି ଗଠନ ହେବ ନୂଆ ରଣନୀତି । ଇତିହାସ ରଚିବ ମେଡ୍‌ ଇନ୍‌ ଇଣ୍ଡିଆ କ୍ରାନ୍ତି । କୂଟନୈତିକ ଚ୍ୟାଲେଞ୍ଜକୁ କୂଟନୀତି ଦ୍ୱାରା ହିଁ ପ୍ରତିହତ କରିବାକୁ ନିଆଯିବ ନୂଆ ପଦକ୍ଷେପ । ବ୍ରିକ୍ସ, କ୍ୱାଡ୍‌ ଭଳି ସମ୍ମିଳନୀ ଆୟୋଜନ ଲାଗି ନୂଆବର୍ଷରେ ଭାରତ ପ୍ରସ୍ତୁତ କରିବ ବୈଶ୍ୱିକ ମଞ୍ଚ । ସଂଘର୍ଷ, ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଭିତରେ ୨୦୨୬ର ଏହି ପ୍ରସ୍ତୁତି ଆଗାମୀ ଦଶନ୍ଧିଗୁଡ଼ିକ ପର୍ଯ୍ୟନ୍ତ ଭାରତର ଶାନ୍ତି ଓ ସୁରକ୍ଷାର ଗ୍ୟାରେଣ୍ଟି ସାଜିବ ।

ବଢ଼ିବ ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା
ବୈଦିକ ପଞ୍ଚାଙ୍ଗ ଏବଂ ଗ୍ରହଗୁଡ଼ିକର ଗଣନା କରି ଜ୍ୟୋତିଷମାନେ କହିଛନ୍ତି, ୨୦୨୬ରେ ରାଜା ଗୁରୁ ଓ ମନ୍ତ୍ରୀ ମଙ୍ଗଳ ରହିବେ । ଏଭଳି ସ୍ଥିତିରେ ୨୦୨୬ ଧର୍ମ ସହ ଜଡ଼ିତ ଲୋକମାନେ ଯଜ୍ଞ, ପୂଜା-ପାଠ ସହ ଧର୍ମ ପ୍ରଚାରରେ ମନୋନିବେଶ କରିବେ । ଏ ବର୍ଷ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଅଧିକ ହେବ । ତେବେ ମନ୍ତ୍ରୀ ମଙ୍ଗଳ ରହିବା କାରଣରୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ସାମାଜିକ ତଥା ରାଜନୈତିକ ବାତାବରଣ ଅଧିକ ଅଶାନ୍ତ ରହିବ । ସ୍ଥିତି ବିବାଦପୂର୍ଣ୍ଣ ରହିପାରେ । ଅନେକ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ବଢ଼ିବ । ଦେଶଗୁଡ଼ିକ ମଧ୍ୟରେ ବିଦ୍ରୋହର ମାନସିକତା ଅଧିକ ହେବ । ଦେଶ-ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଲୋକଙ୍କ ଭିତରେ କ୍ରୋଧ ଅଧିକ ରହିବ ଏବଂ ଉତ୍ତେଜନା ବଢ଼ିବ । ଭାରତ-ଚୀନ୍‌, ଆମେରିକା-ରୁଷ, ରୁଷୟୁକ୍ରେନ, ଆମେରିକା-ଇରାନ ଆଦି ବିରୋଧୀ ଦେଶଗୁଡ଼ିକ ମଧ୍ୟରେ ଶାନ୍ତି ବଜାୟ ପାଇଁ ସମୟ ସମୟରେ ଆଲୋଚନା ହେବା ଆଶା କରାଯାଉଛି । ଏହାବ୍ୟତୀତ ୨୦୨୬ରେ ସାମ୍ପ୍ରଦାୟିକ ବିବାଦ, ସାଇବର ଠକେଇ ମାମଲା ଉପରମୁହାଁ ହେବ । ଅଗ୍ନିକାଣ୍ଡ ଘଟଣା ଅଧିକ ହେବା ଆଶଙ୍କା କରାଯାଉଛି । ନୂଆବର୍ଷର ୪ ମାସ ମକର, କୁମ୍ଭ ଏବଂ ମୀନ ରାଶିରେ ଚତୁର୍ଗ୍ରହୀ ଓ ପଞ୍ଚର୍ଗ୍ରହୀ ଯୋଗ ସୃଷ୍ଟି ହେବ । ଯାହା ଭାରତର ରାଜନୈତିକ ଓ କୂଟନୈତିକ ବାତାବରଣକୁ ଅତ୍ୟଧିକ ଅଶାନ୍ତ ଏବଂ ବିବାଦପୂର୍ଣ୍ଣ କରିପାରେ । ଏହି ସମୟରେ ଭାରତ- ପାକିସ୍ତାନ, ଆମେରିକା-ଚୀନ୍‌, ଇରାନ-ଇସ୍ରାଏଲ, ରୁଷୟୁକ୍ରେନ୍‌ ଆଦି ଦେଶଗୁଡ଼ିକ ମଧ୍ୟରେ ଶାନ୍ତି ବାର୍ତ୍ତା ମଧ୍ୟରେ ବି ମୁହାଁମୁହିଁ ସଂଘର୍ଷ ଏବଂ ଯୁଦ୍ଧ ସ୍ଥିତି ଦେଖାଦେଇପାରେ । ୨୦୨୬ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣି ଆସିପାରେ । ବିଶେଷ ଭାବେ ବିଦେଶ ନୀତି ମାମଲାରେ ସରକାରଙ୍କୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେବେ ଏହି କାରଣରୁ ଭାରତକୁ ନିଜ ନୀତିଗୁଡ଼ିକରେ ପରିବର୍ତ୍ତନ କରିବାକୁ ପଡ଼ିବ । ବିଶ୍ୱରେ ସଶସ୍ତ୍ର ଯୁଦ୍ଧ ସହିତ ଆର୍ଥିକ ଯୁଦ୍ଧ ବି ହୋଇପାରେ । ଅର୍ଥାତ ଅନେକ ଦେଶ ପରସ୍ପର ଉପରେ ଶୁଳ୍କ ବଢ଼ାଇ ପାରନ୍ତି । ବ୍ୟବସାୟକୁ ନେଇ କିଛି ନୂଆ ନୀତି ଗ୍ରହଣ କରାଯାଇପାରେ । ବିଶ୍ୱରେ ଭାରତର ଛବି ଆତ୍ମବିଶ୍ୱାସୀ ଆତ୍ମନିର୍ଭର ରାଷ୍ଟ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି ।

ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ମୋଦିଙ୍କ ଭବିଷ୍ୟତ ଉଜ୍ଜଳ
୨୦୨୬ ଭାରତ ପାଇଁ କିଭଳି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ସଫଳ ହେବେ । ତାହା ନେଇ ପ୍ରସିଦ୍ଧ ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ କେଦାର ଶର୍ମା ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, ୨୦୨୬ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା କ୍ଷଣି (ଜାନୁଆରୀ ୧୪ ପରେ) ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ରହିବ । ବିଶ୍ୱନେତା ଭାବେ ସେ ସ୍ଥାପିତ ହୋଇସାରିଛନ୍ତି । ନୂଆ ବର୍ଷରେ ସେ ଆହୁରି ଲୋକପ୍ରିୟ ହେବେ । ସେହିଭଳି ବ୍ୟବସାୟ, ଉଦ୍ୟୋଗ, ବାଣିଜ୍ୟ ଏବଂ ରପ୍ତାନି କ୍ଷେତ୍ରରେ ଭାରତ ଉଚ୍ଚ ସୋପାନରେ ଉପନୀତ ହେବ । ବିକଶିତ ରାଷ୍ଟ୍ର ହେବାକୁ ଦ୍ରୁତ ଗତିରେ ଧାଇଁବ ଭାରତ । ଦିନ ଆସିବ ଦେଶ ସୁପରପାୱାର ହେବ । ୨୦୨୫ରେ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ୨୦୨୬ରେ ସେଭଳି କୌଣସି ଘଟଣା ଘଟିପାରେ କି ବୋଲି ପ୍ରଶ୍ନର ଉତ୍ତରରେ ଜ୍ୟୋତିଷ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ଗ୍ରହ ଚଳନ ସ୍ୱାଭାବିକ ରହିବା ହେତୁ ସେଭଳି କୌଣସି ବଡ଼ ଆକ୍ରମଣ ଘଟିବା ଦେଖାଯାଉ ନାହିଁ । ଭାରତ ପାଇଁ ମୋଟାମୋଟି ଭାବେ ଶୁଭଙ୍କର ରହିବ ୨୦୨୬ । ଅନ୍ୟପକ୍ଷରେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କାହାର ପ୍ରଦର୍ଶନ କିଭଳି ରହିବା ନେଇ ପ୍ରଶ୍ନର ଉତ୍ତରରେ ଶର୍ମା କହିଛନ୍ତି, ଏନ୍‌ଡିଏର ପ୍ରଦର୍ଶନ ପୂର୍ବାପେକ୍ଷା ଅଧିକ ଭଲ ରହିବ । କାହା ସରକାର ଗଠନ ହେବ, ତାହା ଏବେଠାରୁ କୁହାଯାଇ ପାରିବ ନାହିଁ । କିନ୍ତୁ ବିଜେପି ଓ ଏନ୍‌ଡିଏ ଅପେକ୍ଷାକୃତ ପ୍ରଭାବୀ ସାବ୍ୟସ୍ତ ହେବେ । ଅନେକ ରାଜ୍ୟରେ ନିଜ ସଫଳତାକୁ ଦୋହରାଇବ ଦଳ ।

ପ୍ରଭାବୀ ହେବେ ରାହୁଲ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଜନୈତିକ ଯାତ୍ରା କିଛି ବର୍ଷ ହେଲା ଉତ୍‌ଥାନ ପତନ ଦେଇ ଗତି କରିଛି । ୨୦୨୬ ତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବା ନେଇ ଜ୍ୟୋତିଷମାନେ ଅନୁମାନ କରୁଛନ୍ତି । ନୂଆବର୍ଷରେ ରାହୁଲ ଆହୁରି ଅଧିକ ଅଭିଜ୍ଞ ହୋଇ ବଡ଼ ନିଷ୍ପତ୍ତି ନେବେ । ତାଙ୍କ ବ୍ୟକ୍ତିତ୍ୱରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ନୂଆ ଦୃଷ୍ଟିକୋଣ, ନୂଆ ଶକ୍ତି ଏବଂ ଏକ ସ୍ୱତନ୍ତ୍ର ରାଜନୈତିକ ରଣନୀତି ସହ ସେ ଆଗକୁ ବଢ଼ିବେ । ଜ୍ୟୋତିଷାଚାର୍ଯ୍ୟ ସଞ୍ଜିତ କୁମାର ମିଶ୍ର କହିଛନ୍ତି, ଶନି ଚଳନ ଯୋଗୁ ୨୦୨୬ରେ ରାହୁଲ ଅଧିକ ଗମ୍ଭୀର, ବ୍ୟବହାରିକ ଏବଂ ଫୋକସ୍‌ଡ ରହିବେ । ତାଙ୍କ ବ୍ୟବହାର ଅଧିକ ଶାନ୍ତ ଏବଂ ନିର୍ଣ୍ଣାୟକ ସାଜିବ । ଏ ବର୍ଷ ସେ ତରବରିଆ ଭାବେ ନୁହେଁ, ବରଂ ଭାବିଚିନ୍ତି ବଡ଼ ନିଷ୍ପତ୍ତି ନେବା ସମ୍ଭାବନା ଅଛି । ଏହାଛଡ଼ା ରାହୁଲ ଏ ବର୍ଷ ଜନତାଙ୍କ ନିକଟତର ହେବେ । ତାଙ୍କର ଯାତ୍ରା , ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଗ୍ରାଉଣ୍ଡ-କନେକ୍ଟ ଅଧିକ ପ୍ରଭାବୀ ହେବ । ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କ ଉପସ୍ଥିତି ଆହୁରି ବଢ଼ିବ । କିଛି ଗୋଷ୍ଠୀ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ରାଜନୈତିକ ଚର୍ଚ୍ଚାରେ ସାମିଲ ହେବା ସମ୍ଭାବନା ଅଛି । ୨୦୨୬ ଦଳୀୟ ସଂଗଠନରେ ଅଧିକ ଶକ୍ତି ଓ ନିର୍ଣ୍ଣାୟକ ଭୂମିକା ଦେଇପାରେ । ଅନେକ ନୂଆ ଚେହେରା ତାଙ୍କର ନିକଟବର୍ତ୍ତୀ ହେବେ । ବଡ଼ ପ୍ରସଙ୍ଗରେ ତାଙ୍କର ମତାମତକୁ ସର୍ବାଧିକ ପ୍ରାଥମିକତା ମିଳିବ । ପୂର୍ବାପେକ୍ଷା ଦଳ ମଧ୍ୟରେ ତାଙ୍କର ପ୍ରଭାବ ଅଧିକ ସ୍ଥିର ଓ ସ୍ପଷ୍ଟ ଦେଖିବାକୁ ମିଳିବ । ୨୦୨୬ରେ ରାହୁଲଙ୍କ ବିରୋଧରେ ରାଜନୈତିକ ହମଲା ଓ ବୟାନବାଜି ବଢ଼ିବ । ସେ ପ୍ରଭାବୀ ଢଙ୍ଗରେ ଏ ସବୁର ଜବାବ ଦେବେ । ତାଙ୍କ ବୟାନ ଅଧିକ ସ୍ପଷ୍ଟ ଓ ପ୍ରତ୍ୟକ୍ଷ ସାଜିବ । ୨୦୨୬ ବଡ଼ ନିର୍ବାଚନର ବର୍ଷ ନୁହେଁ । କିନ୍ତୁ ଏହା ପ୍ରସ୍ତୁତିର ବର୍ଷ ନିଶ୍ଚିତ ହେବ । ଗଣମାଧ୍ୟମରେ ରାହୁଲଙ୍କ ଉପସ୍ଥିତି ବୃଦ୍ଧି ପାଇବ । ତାଙ୍କ ବୟାନ, ସାକ୍ଷାତକାର ଏବଂ ସୋସିଆଲ ମିଡିଆରେ ସକ୍ରିୟତା ପୂର୍ବାପେକ୍ଷା ଅଧିକ ଚର୍ଚ୍ଚାର ବିଷୟ ସାଜିବ । ଜନତାଙ୍କ ମଧ୍ୟରେ ତାଙ୍କର ଭରସା ଓ ସ୍ୱୀକାର୍ଯ୍ୟ ବୃଦ୍ଧି ପାଇବ ।

ବଳୁଆ ହେବ ସେନା ମିଳିବ ୫ ମହାବଳୀ ଅସ୍ତ୍ର 
ବିଦାୟ ନେଇଛି ୨୦୨୫ । ପାଦ ଥାପିଛି ୨୦୨୬ । ବିଦାୟୀ ବର୍ଷ ଭାରତୀୟ ସେନା ପାଇଁ ସଫଳତାର ବର୍ଷ ଥିଲା । ଅପରେସନ ସିନ୍ଦୂରରେ ସେନାର ଶକ୍ତି ଦେଖିଥିଲା ବିଶ୍ୱ । ୨୦୨୬ରେ ସେନା ଆହୁରି ବଳୁଆ ହେବାକୁ ଯାଉଛି । ଭାରତ ଏବେ ଆଉ କେବଳ ଯୁଦ୍ଧାସ୍ତ୍ର କ୍ରୟକାରୀ ଦେଶ ହୋଇ ରହିନାହିଁ । ବରଂ ଅସ୍ତ୍ରଶସ୍ତ୍ର ନିର୍ମାଣ କରି ବିଶ୍ୱର ମହାଶକ୍ତି ବନିବାକୁ ଯାଉଛି । ନୂଆବର୍ଷରେ ଦେଶ ଅନେକ ବଡ଼ ତଥା ମେକ୍‌ ଇନ୍‌ ଇଣ୍ଡିଆ ପ୍ରକଳ୍ପକୁ ବାସ୍ତବ ରୂପ ଦେବ । ବାୟୁସେନାକୁ ତେଜସ୍‌ ଏମ୍‌କେ-୧ଏ ରୂପରେ ନୂଆ ‘ଦେଶୀ ଯୋଦ୍ଧା’ ମିଳିବ । ସେହିଭଳି ନୌସେନାରେ ଆଇଏନ୍‌ଏସ୍‌- ଅରିଦମନ ସାମିଲ ହେବା ଦ୍ୱାରା ଭାରତର ପରମାଣୁ ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ଏଥିସହ ଭାରତରେ ନିର୍ମିତ ପ୍ରଥମ ସି-୨୯୫ ପରିବହନକାରୀ ବିମାନ ଆକାଶରେ ଉଡ଼ାଣ ଭରିବ ଏବଂ ପ୍ରୋଜେକ୍ଟ ୧୭ଏରେ ନିର୍ମିତ ଅତ୍ୟାଧୁନିକ ଷ୍ଟିଲ୍‌ଦ ବୁଡ଼ାଜାହାଜ ସମୁଦ୍ରରେ ନୂଆ ପ୍ରହରୀ ସାଜିବ । ଆକାଶରେ ଭାରତକୁ ସୁରକ୍ଷା ଯୋଗାଇବାକୁ ‘ଆକାଶ-ଏନ୍‌ଜି’ ଭଳି ମିସାଇଲ ବି ମୁତୟନ କରାଯିବ । ଏ ସବୁ ଅସ୍ତ୍ରଶସ୍ତ୍ର ଭାରତକୁ କେବଳ ଆଞ୍ଚଳିକ ନୁହେଁ, ବରଂ ବୈଶ୍ୱିକ ସ୍ତରରେ ଏକ ମଜଭୁତ ସୈନ୍ୟ ଶକ୍ତି ରୂପରେ ସ୍ଥାପିତ କରିବ । ୨୦୨୬ରେ ଭାରତୀୟ ସେନାକୁ ଏହିଭଳି ଅନେକ ନୂଆ ଘାତକ ଅସ୍ତ୍ରଶସ୍ତ୍ର ମିଳିବାକୁ ଯାଉଛି । ନୂଆବର୍ଷରେ ଭାରତର ସୁରକ୍ଷା ପ୍ରାଚୀର ଆହୁରି ଅଭେଦ୍ୟ ହେବ ।

ତେଜସ୍‌ ଏମ୍‌କେ-୧ଏ: ବାୟୁସେନାର ନୂଆ ଦେଶୀ ମେରୁଦଣ୍ଡ 
ଭାରତୀୟ ବାୟୁସେନା ପାଇଁ ୨୦୨୬ ଖୁସିର ପସରା ଧରି ଆସିବ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌) କହିଛି କି ୨୦୨୬ ମାର୍ଚ୍ଚ ସୁଦ୍ଧା ବାୟୁସେନାକୁ ଅନ୍ୟୂନ ୬ଟି ତେଜସ୍‌ ଏମ୍‌କେ-୧ଏ ଯୁଦ୍ଧ ବିମାନ ମିଳିଯିବ । ପୂର୍ବର ତେଜସ୍‌ ତୁଳନାରେ ଏହା ଅଧିକ ଘାତକ ଏବଂ ସ୍ମାର୍ଟ । ଏଥିରେ ବିକଶିତ ରାଡାର ଓ ଇଲେକ୍ଟ୍ରୋନିକ ୱାର ସିଷ୍ଟମ୍‌ ଖଞ୍ଜାଯାଇଛି । ଯାହାଦ୍ୱାରା ଶତ୍ରୁ ପକ୍ଷ ବିମାନକୁ ଦୂରରୁ ଚିହ୍ନଟ କରି ଏହା ମାଡ଼ କରିପାରିବ । ଆମେରିକୀୟ କମ୍ପାନି ଜିଇ ଏରୋସ୍ପେସ ତରଫରୁ ଇଞ୍ଜିନ ଯୋଗାଣରେ ଯେଉଁ ବିଳମ୍ବ ହେଉଥିଲା, ତାହା ଏବେ ସମାଧାନ ହେବା ଆଶା ଦେଖାଦେଇଛି ।

ଆଇଏନ୍‌ଏସ୍‌-ଅରିଦମନ: ସମୁଦ୍ରରେ ପରମାଣୁ ଗ୍ୟାରେଣ୍ଟି 
ନୌସେନା ନିମନ୍ତେ ୨୦୨୬ର ସବୁଠୁ ବଡ଼ ଖବର ହେଉଛି ଆଇଏନ୍‌ଏସ୍‌-ଅରିଦମନ ସାମିଲ ହେବା । ଏହା ଭାରତର ତୃତୀୟ ସ୍ୱଦେଶୀ ପରମାଣୁ ପରିଚାଳିତ ବାଲିଷ୍ଟିକ ମିସାଇଲ ବୁଡ଼ାଜାହାଜ (ଏସଏଓବିଏନ) । ଏହି ବୁଡ଼ାଜାହାଜ ଶତ୍ରୁର ନଜରରୁ ମାସ ମାସ ପର୍ଯ୍ୟନ୍ତ ପାଣି ଭିତରେ ରହିପାରିବ ଏବଂ ଏହିଠାରୁ ହିଁ ପରମାଣୁ ମିସାଇଲ ମାଡ଼ କରିପାରିବ । ସେତିକି ନୁହେଁ, ଏହା ଭାରତର ପରମାଣୁ କ୍ଷମତାକୁ ମଜଭୁତ କରିବ । ଯଦି କୌଣସି ଦେଶ ଆମ ଉପରେ ପରମାଣୁ ଆକ୍ରମଣ କରେ, ଭାରତ ସମୁଦ୍ର ଭିତରୁ ସେହି ଦେଶକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇପାରିବ । ଅରିଦମନ ନିଜ ସହ ଲମ୍ବା ଦୂରଗାମୀ ମିସାଇଲ ନେଇପାରିବ, ଯାହା ହଜାର ହଜାର କିଲୋମିଟର ଦୂରରେ ଥିବା ଶତ୍ରୁକୁ ବରବାଦ କରିଦେବ ।

ପ୍ରୋଜେକ୍ଟ ୧୭ଏ: ସମୁଦ୍ରର ଅଦୃଶ୍ୟ ରକ୍ଷକ 
ନୌସେନାକୁ ୨୦୨୬ରେ ନୀଳଗିରି ଶ୍ରେଣୀର ୪ଟି ନୂଆ ଷ୍ଟିଲ୍‌ଦ ଫ୍ରିଗେଟ୍‌ ମିଳିବାକୁ ଯାଉଛି । ଯେଉଁଥିରେ ତାରାଗିରି, ମହେନ୍ଦ୍ରଗିରି, ଡୁନାଗିରି ଏବଂ ବିନ୍ଧ୍ୟଗିରି ଅନ୍ତର୍ଭୁକ୍ତ । ଏହିସବୁ ଜାହାଜର ଡିଜାଇନ୍‌ ଏଭଳି ଭାବେ ହୋଇଛି ଯେ ଏହା ଶତ୍ରୁର ରାଡାରକୁ ଚକ୍‌ମା ଦେଇପାରିବ । ଏହି ଜାହାଜରେ ବ୍ରହ୍ମୋସ ମିସାଇଲ, ବାରାକ୍‌-୮ ଏୟାର ଡିଫେନ୍ସ ଏବଂ ଟରପିଡ଼ୋ ଖଞ୍ଜାଯିବ । ୨୦୨୬ ଅଗଷ୍ଟସେପ୍ଟେମ୍ବର ସୁଦ୍ଧା ଏହା ନୌସେନାରେ ସାମିଲ ହୋଇ ଭାରତର ସମୁଦ୍ର ସୁରକ୍ଷାକୁ ଅଭେଦ୍ୟ ବନାଇବ ।

ସି-୨୯୫: ମେଡ୍‌ ଇନ୍‌ ଇଣ୍ଡିଆ କ୍ରାନ୍ତି 
ଭାରତର ପ୍ରତିରକ୍ଷା ଇତିହାସରେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି (ଟାଟା ଓ ଏୟାରବସ୍‌) ଦ୍ୱାରା ନିର୍ମିତ ଯୁଦ୍ଧ ବିମାନ ୨୦୨୬ରେ ଉଡ଼ାଣ ଭରିବ । ଭଦୋଦରାରେ ସ୍ଥାପିତ ପ୍ଲାଣ୍ଟରୁ ୨୦୨୬ ସେପ୍ଟେମ୍ଵରରେ ପ୍ରଥମ ସ୍ୱଦେଶୀ ସି୨୯୫ ବିମାନ ବାହାରକୁ ଆସିବ । ଏହି ବିମାନ ବାୟୁସେନାର ପୁରୁଣା ହୋଇଥିବା ଆଭରୋ ବିମାନଗୁଡ଼ିକର ସ୍ଥାନ ନେବ । ଏହା ଖାଲଢିପ ତଥା ଛୋଟ ରନ୍‌ୱେରେ ମଧ୍ୟ ସହଜରେ ଅବତରଣ କରିପାରିବ । ଲଦାଖ ଭଳି ଅଞ୍ଚଳରେ ଏହା ସେନା ପାଇଁ ବରଦାନ ସାଜିବ ।

ଆକାଶ-ଏନ୍‌ଜି: ଆକାଶର ନୂଆ ପ୍ରହରୀ
ଡିଆର୍‌ଡିଓ ନିକଟରେ ଆକାଶଏନ୍‌ଜି (ପରବର୍ତ୍ତୀ ପିଢ଼ି) ମିସାଇଲର ପରୀକ୍ଷଣ ଶେଷ କରିଛି । ଏହି ମିସାଇଲ ଶତ୍ରୁର ଦ୍ରୁତ ଗତିଶୀଳ ଯୁଦ୍ଧ ବିମାନ ଓ ଡ୍ରୋନ୍‌ଗୁଡ଼ିକୁ ଖୁବ୍‌ ସ୍ୱଳ୍ପ ସମୟରେ ଟାର୍ଗେଟ୍‌ ବନାଇ ପାରିବ । ଏହାର ପରୀକ୍ଷାମୂଳକ ବ୍ୟବହାର ଶେଷ ହୋଇଛି । ୨୦୨୬ରେ ଏହା ବାୟୁସେନାରେ ସାମିଲ ହୋଇପାରେ । ଏହାଦ୍ୱାରା ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହୋଇଯିବ । 

ଅଶାନ୍ତ ରହିବ ସୀମା 
ଗ୍ରହ ଚଳନକୁ ଗଣନା କରି କିଛି ଜ୍ୟୋତିଷ କହିଛନ୍ତି, ୨୦୨୬ ବର୍ଷ ଭାରତ ପାଇଁ କିଛି ମାମଲାରେ କିଛିଟା ସମସ୍ୟାବହୁଳ ହୋଇପାରେ । ୨୦୨୬ ଭାରତର ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ । କିଛି ରାଜ୍ୟ ବିଶେଷକରି ପଞ୍ଜାବ, କାଶ୍ମୀର ଏବଂ ପୂର୍ବୋତ୍ତର ରାଜ୍ୟରେ ବିରୋଧ କିମ୍ବା ବଡ଼ ସଙ୍କଟ ମୁଣ୍ଡ ଟେକିପାରେ । କୌଣସି ଆନ୍ଦୋଳନ ହେବାର ଆଶଙ୍କା ରହିଛି । ଏହାବ୍ୟତୀତ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା ରହିଛି । ସୀମାରେ ଅଶାନ୍ତି ବଢ଼ିପାରେ । ଯୁଦ୍ଧ କିମ୍ବା ଯୁଦ୍ଧ ସ୍ଥିତି ଦେଖାଦେଇପାରେ । ବଡ଼ ଦୁର୍ଘଟଣାରେ ଏକସଙ୍ଗେ ହଜାର ହଜାର ଲୋକଙ୍କ ମୃତ୍ୟୁ ଆଶଙ୍କା ରହିଛି । ଏହାବ୍ୟତୀତ ପ୍ରଦୂଷଣ ଏବଂ ବିପର୍ଯ୍ୟୟ ୨୦୨୬ରେ ଭାରତ ପାଇଁ ବଡ଼ ସମସ୍ୟା ଛିଡ଼ା କରିପାରେ । ଜୁଲାଇ ଓ ଅଗଷ୍ଟ ବିପର୍ଯ୍ୟୟ ମାମଲାରେ ସର୍ବାଧିକ ପ୍ରଭାବୀ ହୋଇପାରେ । ଏହି ସମୟରେ ଭୂକମ୍ପ, ବନ୍ୟା ଏବଂ ଜଳ ପ୍ରଳୟର ସାମ୍ନା କରିବାକୁ ପଡ଼ିପାରେ ।

କୂଟନୈତିକ ଚ୍ୟାଲେଞ୍ଜ୍‌ 
୨୦୨୫ ଭାରତ ପାଇଁ ଚ୍ୟାଲେଞ୍ଜ୍‌ର ବର୍ଷ ଥିଲା । ଏହି ବର୍ଷ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ସାମ୍ନାରେ ଅନେକ ଆହ୍ୱାନ ଛିଡ଼ା ହୋଇଥିଲା । ପଡ଼ୋଶୀ ବାଂଲାଦେଶ ଏବଂ ନେପାଳରେ ମଧ୍ୟ ସ୍ଥିତି ବିଗିଡ଼ିଥିଲା । କିନ୍ତୁ ସବୁ ଆହ୍ୱାନର ମୁକାବିଲା କରି ଭାରତ ନିଜ ହାତମୁଠା ଟାଣ କରିଥିଲା । ୨୦୨୬ ମଧ୍ୟ ଭାରତ ପାଇଁ ଅନେକ ଆହ୍ୱାନ ଆଣି ଆସିପାରେ । ୨୦୨୫ରେ ଆମେରିକାର କଠୋର ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଥିଲେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭାରତ ଗସ୍ତ ଆମେରିକା ପାଇଁ ଧକ୍କା ସଦୃଶ ହୋଇଥିଲା । ଏଥିପାଇଁ ଟ୍ରମ୍ପ୍‌ଙ୍କୁ ତାଙ୍କ ଦେଶରେ ସମାଲୋଚିତ ହେବାକୁ ପଡ଼ିଥିଲା । ୨୦୨୬ରେ ଦୁଇଦେଶ ମଧ୍ୟରେ ନୂଆ ବାଣିଜ୍ୟ ଚୁକ୍ତି ହେବା ସମ୍ଭାବନା ରହିଛି । ଟ୍ରମ୍ପ୍‌ଙ୍କ ସହ କିଭଳି ଆଲୋଚନା କରି ମୋଦି ଏହାକୁ ବାସ୍ତବ ରୂପ ଦେବେ ତାହା ଉପରେ ସମସ୍ତଙ୍କ ନଜର । ଏହାଛଡ଼ା ଭାରତ ୟୁରୋପୀୟ ସଂଘ (ଇୟୁ) ସହ ନିଜ ସମ୍ପର୍କକୁ ମଜଭୁତ କରିବାକୁ ଯାଉଛି । ଭାରତ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ସମାରୋହ ଲାଗି ଇୟୁର ନେତା ଉର୍ସୁଲା ଭନ୍‌ ଡେର ଲିୟେନ ଏବଂ ଆଣ୍ଟୋନିଓ କୋଷ୍ଟାଙ୍କୁ ଆମନ୍ତ୍ରଣ କରିଛି । ଜାନୁଆରୀ ପ୍ରାରମ୍ଭରେ ଜର୍ମାନ୍‌ ଚାନ୍‌ସେଲର ଫ୍ରେଡରିକ୍‌ ମର୍ଜ ଭାରତ ଗସ୍ତରେ ଆସିବେ । ପୂର୍ବରୁ ହିଁ ବ୍ରିଟେନ୍‌ ସହ ଭାରତ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ କରିସାରିଛି । ଏବେ ୟୁରୋପୀୟ ସଂଘ ସହ ଚୁକ୍ତି ନେଇ ଆଲୋଚନା ଚାଲିଛି । 

ପଡ଼ୋଶୀ ଉପରେ ନଜର 
ପହଲଗାମ୍‌ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଯାଇଛି । ଏହାକୁ ନେଇ ଭାରତ ପୂର୍ବାପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିଛି । ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ପାକିସ୍ତାନକୁ କଡ଼ା ଜବାବ ଦିଆଯିବ । ଏଭଳି ସ୍ଥିତିରେ ଆମେରିକାର ଏକ ଥିଙ୍କ୍‌ଟ୍ୟାଙ୍କ୍‌ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ପୂର୍ବାନୁମାନ କରିଛି । ସେପଟେ ଦୁଇ ପଡ଼ୋଶୀ ଦେଶ ନେପାଳ ଓ ବାଂଲାଦେଶରେ ନିର୍ବାଚନ ହେବାକୁ ଯାଉଛି । ବାଂଲାଦେଶ ସହ ସମ୍ପର୍କ ଖରାପ ହୋଇଛି । ସେଠାରେ ଅହରହ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି । ୨୦୨୬ରେ ବାଂଲାଦେଶରେ ନୂଆ ସରକାର ଆସିବା ପରେ ସ୍ଥିତି କିଭଳି ରହିବ, ତାହା ଉପରେ ନଜର ରହିଛି ।

ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଓ କ୍ୱାଡ ଶିଖର ସମ୍ମିଳନୀ 
ଭାରତ ନୂଆ ବର୍ଷ ୨୦୨୬ରେ ବ୍ରିକ୍ସ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି । ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ସାମିଲ ହେବା ଆଶା କରାଯାଉଛି । ଏଥିସହ ଭାରତ କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରିପାରେ । ଦୁଇଟି ପ୍ରମୁଖ ଶିଖର ସମ୍ମିଳନୀ ଭାରତର ରଣନୀତିକ ସ୍ୱାୟତ୍ତତା ଏବଂ ଆୟୋଜନ କ୍ଷମତାର ପରୀକ୍ଷା ହେବ । 

ଏଆଇ ଇମ୍ପାକ୍ଟ ସମିଟ 
୨୦୨୩ରେ ଜି-୨୦ ଶିଖର ସମ୍ମିଳନୀ ଭଳି ଭାରତ ୨୦୨୬ ଫେବ୍ରୁଆରୀରେ ‘ଏଆଇ ଇମ୍ପାକ୍ଟ ସମିଟ’ ଆୟୋଜନ ଲାଗି ପ୍ରସ୍ତୁତି ଚଳାଇଛି । ଏଥିରେ ବିଶ୍ୱଯାକର ନେତା ଓ ପ୍ରଯୁକ୍ତି ବିଶାରଦମାନେ ସାମିଲ ହେବେ । ଏଆଇ ଇମ୍ପାକ୍ଟର ଏହା ଦ୍ୱିତୀୟ ସମ୍ମିଳନୀ । ପ୍ରଥମ ସମ୍ମିଳନୀ ଫ୍ରାନ୍ସର ପ୍ୟାରିସରେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା । ଏହା ଭାରତ ପାଇଁ ପ୍ରଯୁକ୍ତି ଓ ହାଇଟେକ୍‌ର ନୂଆ ସୀମାରେ ନିଜ ସାମର୍ଥ୍ୟ ଦେଖାଇବାର ସୁଯୋଗ । ଏଆଇର ଗଣତାନ୍ତ୍ରିକୀକରଣ ଏବଂ ଏଆଇ ବିଭାଜନ ହ୍ରାସ ଲାଗି ସେତୁ ପ୍ରସ୍ତୁତି ଉପରେ ଭାରତ ଏହି ସମ୍ମିଳନୀରେ ଗୁରୁତ୍ୱ ଦେବ । କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟାପକ ଉପଲବ୍ଧତା ଏବଂ ଅନ୍ତର୍ଭୁକ୍ତୀକରଣ ବୈଶ୍ୱିକ ବିକାଶକୁ ସମର୍ଥନ କରୁଥିବା ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ବିସ୍ତାର କରାଯିବା ଉପରେ ଏହି ସମ୍ମିଳନୀରେ ଫୋକସ୍‌ କରାଯିବ। 

ଚୀନ୍‌-ଆମେରିକା ଉପରେ ଆଖି 
ଆମେରିକା ଓ ଚୀନ୍‌ ମଧ୍ୟରେ କିଭଳି ସମ୍ପର୍କ ରହୁଛି, ତାହା ଉପରେ ଭାରତ ସବୁବେଳେ ନଜର ରଖିଥାଏ । ୨୦୨୬ରେ ମଧ୍ୟ ତୀକ୍ଷ୍‌ଣ ନଜର ରଖିବ ଭାରତ । ବିଶ୍ୱରେ ଦବ୍‌ଦବା ପାଇଁ ଆମେରିକା ଓ ଚୀନ୍‌ ବିଭିନ୍ନ ବିବାଦରେ ପଶୁଛନ୍ତି । ଉଭୟ ଦେଶ ଏଥିଲାଗି ଭାରତର ସାଥ୍‌ ଚାହୁଁଛନ୍ତି । ସେମିକଣ୍ଡକ୍ଟରର ଭବିଷ୍ୟତକୁ ନେଇ ମଧ୍ୟ କିଛି ବଡ଼ ଘଟଣା ଘଟିବା ସମ୍ଭାବନା ରହିଛି । ଭାରତ ଏହି ଦୌଡ଼ରେ ନୂଆ ଭାବେ ପ୍ରବେଶ କରିଛି । ସେହିପରି ଏହି ଦୁଇ ଚତୁର ଦେଶଠାରୁ ସମଦୂରତ୍ୱ ରଖି ଏବଂ ସମ୍ପର୍କରେ ସନ୍ତୁଳନ ଆଣି ନିଜ ସ୍ୱାର୍ଥ ସାଧନ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । କାରଣ ଚୀନ୍‌ ସହ ଭଲ ସମ୍ପର୍କ ସେତେ ସହଜ ନ ଥିବାବେଳେ ଆମେରିକା ସହ ବି ଭାରତ ବନ୍ଧୁତା ବିଗାଡ଼ିବାର ମୂଲ୍ୟ ଭରଣା କରିପାରିବା କଷ୍ଟକର ହୋଇପାରେ ।