ମୁମ୍ବାଇ, ୦୩/୦୩: ଆଫଗାନିସ୍ତାନ କ୍ରିକେଟ୍ ଦଳ ଆସନ୍ତା ଜୁନ ମାସରେ ଭାରତ ଗସ୍ତରେ ଆସିବ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଆଫଗାନିସ୍ତାନ ଦଳ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଆଇପିଏଲ୍ ଶେଷ ହେବାର ଠିକ୍ ୬ ଦିନ ପରେ ଏହି ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହେବ । ମେ’ ମାସ ୩୧ ତାରିଖରେ ଆଇପିଏଲ୍ ଶେଷ ହେବ ଓ ଜୁନ୍ ମାସ ୬ରୁ ୧୦ ତାରିଖ ମଧ୍ୟରେ ଖେଳାଯିବ ଏକମାତ୍ର ଟେଷ୍ଟ । ପଞ୍ଜାବର ମୁଲନପୁର ଗ୍ରାଉଣ୍ଡ୍ ଏହି ଟେଷ୍ଟ ଆୟୋଜନ କରିବ । ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରରେ ଏହି ଟେଷ୍ଟ ସାମିଲ ନାହିଁ ।

ଏହାପରେ ଉଭୟ ଦଳ ଦିନିକିଆ ସିରିଜ ଖେଳିବେ । ଜୁନ ୧୪ରେ ଧର୍ମଶାଳା, ୧୭ରେ ଲକ୍ଷ୍ନୌ ଓ ୨୦ ତାରିଖରେ ଚେନ୍ନାଇରେ ୩ଟି ଯାକ ଦିନିକିଆ ଖେଳାଯିବ । ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଏହି ସିରିଜ ଜରିଆରେ ଭାରତ ପ୍ରସ୍ତୁତି ଅଭିଯାନ ଆରମ୍ଭ କରିବ । ଆଫଗାନିସ୍ତାନ ଟେଷ୍ଟ ମାନ୍ୟତା ପାଇବା ପରେ ଭାରତ ବିପକ୍ଷରେ ପଦାର୍ପଣ କରିଥିଲା । ୨୦୧୮ରେ ଏହି ଟେଷ୍ଟ ଖେଳାଯାଇଥିଲା । ଭାରତ ଇନିଂସ ଓ ୨୬୨ ରନ୍ରେ ବିଜୟ ହାସଲ କରିଥିଲା ।

ଆଫଗାନିସ୍ତାନ ବିପକ୍ଷ ଏହି ସିରିଜ ଜରିଆରେ ଭାରତ ନୂଆ କ୍ରିକେଟ୍ ସିଜନ ଆରମ୍ଭ କରିବ । ମାତ୍ର ଭାରତ ଗସ୍ତରେ ଆସିବା ପୂର୍ବରୁ ଆଫଗାନିସ୍ତାନ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ଟି ଲେଖାଏଁ ଟି-ଟ୍ୱେଣ୍ଟି ଓ ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ବିପକ୍ଷ ସିରିଜ ଖେଳିବା ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଜୁଲାଇ ମାସ ୧ ରୁ ୧୯ ତାରିଖ ମଧ୍ୟରେ ଏହି ସିରିଜ ଖେଳାଯିବ ।

ଅଧିକ ପଢ଼ନ୍ତୁ :- ମୁମ୍ବାଇରେ ଟିମ୍ ଇଣ୍ଡିଆ; ୫ରେ ସେମିଫାଇନାଲ ଫାଇଟ୍, ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ୩-୨ ଇଂଲଣ୍ଡ