ନୂଆଦିଲ୍ଲୀ,୦୩/୦୩; ୱେଷ୍ଟ ଇଣ୍ଡିଜକୁ ୫ ୱିକେଟ୍‌ରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ଦଳ ଆସନ୍ତା ୫ ତାରିଖରେ ଇଂଲଣ୍ଡକୁ ଭେଟିବ । ଏଥିସହ ଉଭୟ ଦଳ ସେମି ଫାଇନାଲ୍‌ରେ କ୍ରମାଗତ ତୃତୀୟ ଥର ପାଇଁ ସାମ୍ନା ସାମ୍ନି ହେବେ । ୨୦୨୨ ଓ ୨୦୨୪ ବିଶ୍ୱକପ ସେମି ଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟି ସାରିଛନ୍ତି । ୨୦୨୨ ବିଶ୍ୱକପ୍ ସେମି ଫାଇନାଲ୍‌ରେ ଇଂଲଣ୍ଡ ଦଳ ୧୦ ୱିକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା ଓ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ସେହିପରି ୨୦୨୪ ବିଶ୍ୱକପ୍ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା । ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା ।

ଟି-ଟ୍ୱେଣ୍ଟି ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ୫ ଥର ଭେଟିଛନ୍ତି । ଏଥିରୁ ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ୨ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୦୭ ଟିଟ୍ୱେଣ୍ଟି ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାକୁ କ୍ରିକେଟ୍ ପ୍ରେମୀ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ଯୁବରାଜ ସିଂହ ୬ଟି ଛକା ମାରି ରେକର୍ଡ କରିଥିଲେ । ଉକ୍ତ ମ୍ୟାଚରେ ସେ ୧୨ଟି ବଲରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଯୁବରାଜଙ୍କ ଉଭୟ ଟି-ଟ୍ୱେଣ୍ଟି ବିଶ୍ୱକପ ରେକର୍ଡ ଏବେ ବି ଅତୁଟ ରହିଛି । ଭାରତ ଉକ୍ତ ମ୍ୟାଚକୁ ୧୮ ରନ୍‌ରେ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪/୨୧୮ ରନ କରିଥିଲା । ଜବାବରେ ଇଂଲଣ୍ଡ ୬ ୱିକେଟ୍ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । ୨୦୦୯ ଟି-ଟ୍ୱେଣ୍ଟି ବିଶ୍ୱକପର ଉଭୟ ଦଳ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିଥିଲେ । ଭାରତକୁ ୩ ରନ୍‌ରେ ହରାଇ ଇଂଲଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭/୧୫୩ ରନ କରିଥିଲା । ଜବାବରେ ଭାରତ ୫/୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ୨୦୧୨ ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ପୁନର୍ବାର ସାମ୍ନା ସାମ୍ନି ହୋଇଥିଲେ । ଭାରତ ୯୦ ରନ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪/୧୭୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗୌତମ ଗମ୍ଭୀର ୪୫, ବିରାଟ କୋହଲି ୪୦ ଓ ରୋହିତ ଶର୍ମା ଅପରାଜିତ ୫୫ ରନ କରିଥିଲେ । ଜବାବରେ ଇଂଲଣ୍ଡ ୧୪.୪ ଓଭରରେ ମାତ୍ର ୮୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଭାରତ ପକ୍ଷରୁ ହରଭଜନ ସିଂହ ୪ଟି ୱିକେଟ୍ ନେଇଥିଲେ ।

 ଭାରତର ଷଷ୍ଠ ସେମି ଫାଇନାଲ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଷଷ୍ଠ ଥର ପାଇଁ ସେମି ଫାଇନାଲ୍ ଖେଳିବାକୁ ଯାଉଛି । ୨୦୨୨ ଓ ୨୦୨୪ ବିଶ୍ୱକପ୍ ପୂର୍ବରୁ ଭାରତ ଆଉ ୩ଟି ସେମି ଫାଇନାଲ୍ ଖେଳି ସାରିଛି । ୨୦୦୭ ବିଶ୍ୱକପ୍ ସେମି ଫାଇନାଲରେ ଭାରତ ୧୫ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫/୧୮୮ ରନ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା । ଯୁବରାଜ ସିଂହ ଉକ୍ତ ମ୍ୟାଚରେ ୭୦ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

ଏହା ବି ପଢନ୍ତୁ...ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ଖେଳିବ ଭାରତ, ବିସିସିଆଇ ଦେଲା ବଡ଼ ସୂଚନା

୨୦୧୪ରେ ବାଂଲାଦେଶରେ ଆୟୋଜିତ ବିଶ୍ୱକପରେ ଭାରତ ସେମି ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇଥିଲା । ଉକ୍ତ ମ୍ୟାଚରେ ବିରାଟ କୋହଲି ୪୪ଟି ବଲ୍‌ରେ ଅପରାଜିତ ୭୨ ରନ୍‌ର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪/୧୭୨ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୯.୧ ଓଭରରେ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ୨୦୧୬ରେ ଭାରତ ବିଶ୍ୱକପ୍ ଆୟୋଜନ କରିଥିଲା ଓ ସେମି ଫାଇନାଲ୍‌ରେ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଥିଲା । ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୨ ରନ ସଂଗ୍ରହ କରିଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ ୧୯.୪ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।