ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ସ୍ବଦେଶ ଫେରିଛନ୍ତି ଭାରତୀୟ ଟିମ୍‌ର ଖେଳାଳି । ଏହି ସିରିଜ୍‌ର ଶେଷ ତଥା ପଞ୍ଚମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ପ୍ରଦର୍ଶନକୁ ନେଇ ଚର୍ଚ୍ଚ ଥମିବାର ନାଁ ଧରୁନାହିଁ । ତେବେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଯୁବ ଟିମକୁ ନେଇ ବହୁ ଆଶଙ୍କା ରହିଥିଲା । ଯୁବ ଟିମ୍‌ର ନେତୃତ୍ବ ନେଉଥିବା ଶୁଭମନ ଗିଲ୍‌ଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ଯୁବ ବାହିନୀ ଇଂଲଣ୍ଡ ବିପକ୍ଷରେ କିଭଳି ପ୍ରଦର୍ଶନ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । 

ପ୍ରଥମ ତିନୋଟି ଟେଷ୍ଟରେ ୨-୧ ପଛରେ ରହିବା ସତ୍ତ୍ୱେ, ଦଳ ସାହସର ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ୨-୨ରେ ଡ୍ର କରି ସମାଲୋଚକମାନଙ୍କୁ ଭୁଲ ପ୍ରମାଣିତ କରିଛି । ପଞ୍ଚମ ଟେଷ୍ଟ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଶୁଭମନ ସେନା । ଇଂଲଣ୍ଡକୁ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଜିତିବା ପାଇଁ ମାତ୍ର ୩୫ ରନ ଆବଶ୍ୟକ ଥିଲା । ଭାରତକୁ ସିରିଜ ଡ୍ର କରିବା ପାଇଁ ଚାରି ୱିକେଟ ଆବଶ୍ୟକ ଥିଲା। ଭାରତୀୟ ପେସ୍ ଯୋଡି ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ ଚମତ୍କାର ବୋଲିଂ କରିଥିଲେ ଏବଂ ଭାରତ ଛଅ ରନରେ ବିଜୟୀ ହୋଇଥିଲା ।

କିନ୍ତୁ ଭାରତର ଏହି ଅବିଶ୍ବସନୀୟ ପ୍ରଦର୍ଶନକୁ ନେଇ ଦୁଃଖି ହୋଇଯାଇଛନ୍ତି  ପାକିସ୍ତାନର ପୂର୍ବତନ କ୍ରିକେଟର ଶବିର ଅହମ୍ମଦ ଖାନ । ସେ ଭାରତୀୟ ବୋଲରଙ୍କ ଉପରେ ବଲ ଟ୍ୟାମ୍ପରିଂର ଅଭିଯୋଗ ଆଣିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ‘ମୁଁ ଭାବୁଛି ଭାରତ ଭାସେଲିନ୍ ବ୍ୟବହାର କରିଥିଲା । ୮୦ରୁ ଅଧିକ ଓଭର ପରେ ମଧ୍ୟ ବଲ ନୂଆ ପରି ଚମକୁଥିଲା । ଅମ୍ପାୟାର ଏହି ବଲକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବା ଉଚିତ।’ ଏହି ଦାବିକୁ ସୋସିଆଲ ମିଡିଆ ୟୁଜର୍ସ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି । ସୂଚନାଯୋଗ୍ୟ, ବେଆଇନ୍‌ ବୋଲିଂ ଆକ୍ସନ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବ୍ୟାନ ହୋଇଥିଲେ ଶବିର ଅହମ୍ମଦ ଖାନ । 




ଜଣେ ୟୁଜର  ୨୦୧୦ରେ ଏକ ODI ସିରିଜ୍ ସମୟରେ ଶାହିଦ ଆଫ୍ରିଦିଙ୍କ ବଲ୍ କାମୁଡ଼ିବା ଘଟଣାକୁ ଉଜାଗର କରିଛନ୍ତି । ଅନ୍ୟପଟେ ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟ ବିଷୟରେ କଥା ହୋଇ ସଚିନ ତେନ୍ଦୁଲକର କହିଛନ୍ତି ଯେ, ସେ ମହମ୍ମଦ ସିରାଜଙ୍କ ମନୋଭାବକୁ ଭଲ ପାଆନ୍ତି । ଏହା ସହ ସେ କହିଛନ୍ତ, ସିରାଜଙ୍କୁ ଯେତିକି କ୍ରେଡିଟ୍‌ ମିଳିବା କଥା ମିଳିପାରି ନାହିଁ । ଓଭାଲ ଟେଷ୍ଟର ପଞ୍ଚମ ଦିନରେ, ସିରାଜ ୧୦୪ ରନ ଦେଇ ୫ଟି ୱିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ ।