ବ୍ରିସବେନ,୧୩/୧୨: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଗୁରୁବାର ଗାବା ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛି ।  ପୁନର୍ବାର ବିଜୟ ଧାରାକୁ ଫେରିବା ପାଇଁ ଭାରତୀୟ  ଦଳ ନାଲି ବଲ୍‌କୁ ଆପଣେଇ ନେଇଛି । ଷ୍ଟାର୍‌ ପେସ ବୋଲର ଯଶପ୍ରୀତ ବୁମରା ଅଭ୍ୟାସ ଶିବିରକୁ ଫେରି ସମ୍ପୂର୍ଣ୍ଣ ଫିଟ ଥିବା ପ୍ରମାଣିତ କରିଛନ୍ତି । ଏସବୁ ବାଦ ସମସ୍ତଙ୍କ ନଜର ରହିଛି ରୋହିତ ଶର୍ମାଙ୍କ ବ୍ୟାଟିଂ ସ୍ଥାନ ଉପରେ । ଆଡିଲେଡରେ ନିମ୍ନ ମଧ୍ୟ କ୍ରମ (୬ନଂ  ସ୍ଥାନ)ରେ ବ୍ୟାଟିଂ କରିଥିବା ରୋହିତ ଗାବାରେ  ଓପନ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । 

ଗୁରୁବାର ଗାବା ଗ୍ରାଉଣ୍ଡରେ ଭାରତୀୟ ଦଳର ଲମ୍ବା ଅଭ୍ୟାସ ଶିବିର ଚାଲିଥିଲା । ପ୍ରତ୍ୟେକ ଖେଳାଳି ଅଭ୍ୟାସକୁ ଓହ୍ଲାଇଥିଲେ । ସମସ୍ତଙ୍କ ନଜର ରହିଥିଲା ବୁମରା ଓ ରୋହିତଙ୍କ ଉପରେ ।  ଆଡିଲେଡ୍‌ରେ ବୁମରା ବାମ ଜଙ୍ଘରେ ଯନ୍ତ୍ରଣା  ଅନୁଭବ କରିଥିଲେ । ତେଣୁ ସେ ଆହତ ଥିବା  ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।  ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଭାରତୀୟ ଦଳ  ଆଡିଲେଡରେ ଗୋଟିଏ ଦିନ ଅଭ୍ୟାସ କରିଥିଲା ଓ  ବୁମରା ଉକ୍ତ ଶିବିରରେ ଯୋଗ ଦେଇ ନଥିଲେ ।  ଫଳରେ ତାଙ୍କ ଫିଟ୍‌ନେସକୁ ନେଇ ଚିନ୍ତା ବଢିଥିଲା ।  କିନ୍ତୁ ଆଜି ସେ ନେଟ୍ସରେ ଦୀର୍ଘ ସମୟ ଧରି ବୋଲିଂ  କରି ଆଲୋଚକଙ୍କୁ ଚୁପ୍‌ କରିଥିଲେ । ଉଭୟ ନୂଆ  ଓ ପୁରୁଣା ବଲ୍‌ରେ ବୁମରା ବୋଲିଂ କରିଥିଲେ । 

ଭାରତୀୟ ଦଳରେ ରହିଥିବା ସମସ୍ତ ପେସ  ବୋଲର ରୋହିତଙ୍କୁ ବୋଲିଂ କରୁଥିବା  ଦେଖିବାକୁ ମିଳିଥିଲା । ବୁମରା, ମହମ୍ମଦ ସିରାଜ ଓ ଆକାଶଦୀପ ନେଟ୍‌ସରେ ରୋହିତଙ୍କୁ ନୂଆ ବଲ୍‌ରେ  ବୋଲିଂ କରିଥିଲେ । ଗତ ଆଡ଼ିଲେଡ୍‌ ଟେଷ୍ଟ ପୂର୍ବରୁ  ରୋହିତ ପୁରୁଣା ପିଙ୍କ ବଲ୍‌ରେ ଅଭ୍ୟାସ କରୁଥିଲେ ।  ହେଲେ ଆଜି ନୂଆ ବଲ୍‌ରେ ବ୍ୟାଟିଂ କରି ଓପନିଂ  ସ୍ଥାନକୁ ଫେରୁଥିବାର ସଂକେତ ଦେଇଥିଲେ। ତାଙ୍କ  ସହ ଗୋଟିଏ ନେଟ୍‌ରେ ଯଶସ୍ୱୀ ଜୈସ୍ୱାଲ ମଧ୍ୟ ଅଭ୍ୟାସ  କରିଥିଲେ । ଉଭୟଙ୍କ ଏକତ୍ର ଅଭ୍ୟାସ ଭାରତୀୟ  ଦଳର ବ୍ୟାଟିଂ କ୍ରମକୁ ସ୍ପଷ୍ଟ କରିଦେଇଥିଲା । ରୋହିତ ଖେଳିଥିବା ଶେଷ ୧୨ଟି ଟେଷ୍ଟରେ  ମାତ୍ର ଥରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଓ ୮ ଥର  ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ତେଣୁ ଭାରତର  ଆଡିଲେଡ ଟେଷ୍ଟ ପରାଜୟ ପରଠୁ ରୋହିତଙ୍କୁ  ସମାଲୋଚନା କରାଯାଉଛି ।  

ଅଭ୍ୟାସ ଶିବିରରୁ ବୋଲିଂ ବିଭାଗରେ  ପରିବର୍ତ୍ତନ ହେବାର ସଂକେତ ମିଳିଥିଲା । ଦ୍ୱିତୀୟ  ଟେଷ୍ଟରେ ବିଫଳ ହୋଇଥିବା ହର୍ଷିତ ରାଣାଙ୍କ ସ୍ଥାନରେ ଆକାଶ ଦୀପ ତୃତୀୟ ଟେଷ୍ଟ ଖେଳିବାକୁ  ଯାଉଥିବା ଅଭ୍ୟାସରୁ ଏକ ପ୍ରକାର ସ୍ପଷ୍ଟ ହୋଇଥିଲା ।  ପ୍ରଥମତଃ ଗାବା ପିଚ୍‌ରେ ବଲ୍‌ ଅପେକ୍ଷାକୃତ ଅଧିକ  ସୁଇଂ ହେବ । ଦ୍ୱିତୀୟତଃ ଆକାଶ ଦୀପ ନିଜର  ଲାଇନ ଓ ଲେଙ୍ଗଥ୍‌କୁ ନେଇ ବେଶ ଶୃଙ୍ଖଳିତ ।  ଗାବା ପିଚ୍‌ରେ ସେ ସଫଳ ହେବା ନିଶ୍ଚିତ । ନଚେତ  ଶୃଙ୍ଖଳିତ ବୋଲିଂ କରି ରନ୍‌ ଗତରେ ଅଂକୁଶ  ଲଗାଇବାର କ୍ଷମତା ତାଙ୍କ ନିକଟରେ ରହିଛି । ଆଜି  ସେ ନୂଆ ବଲ୍‌ରେ ବୋଲିଂ ଅଭ୍ୟାସ କରିଥିଲେ ।