ନୂଆଦିଲ୍ଲୀ,୨୦/୦୭; ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତକୁ ୨୭ ରନ୍ରେ ହରାଇ ଇଂଲଣ୍ଡ ୨-୧ରେ ସିରିଜ କବଜା କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୩୮୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୭ ୱିକେଟ୍ ହରାଇ ୩୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ମୋଟ୍ ୭୪୭ ରନ ସଂଗୃହୀତ ହୋଇଥିଲା । ୨ଜଣ ବ୍ୟାଟର ଶତକ ଓ ୪ଜଣ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଜାକବ୍ ବେଥେଲ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ଜୋ ରୁଟ୍ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ କରିଥିଲା । ଦୁଇ ଓପନର ଜାକବ ବେଥେଲ ଓ ବେନ ଡକେଟ୍ ପ୍ରଥମ ୱିକେଟ୍ରେ ୧୯୨ ରନ ସଂଗ୍ରହ କରିଥିଲେ । ୩୧ତମ ଓଭରରେ ବେଥେଲ ବ୍ୟକ୍ତିଗତ ୯୧ (୧୧ଚୌକା ଓ ୨ ଛକା) ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଡକେଟ୍ଙ୍କ ସହ ଜୋ ରୁଟ୍ ମିଶି ୧୦୧ ରନ୍ର ଭାଗିଦାରୀ ଗଢ଼ିଥିଲେ । ଡକେଟ ଚତୁର୍ଥ ଦିନିକିଆ ଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୨୯୩ରେ ପହଞ୍ଚି ଥିଲା । ପ୍ରିନ୍ସ ଯାଦବ ୪୪ତମ ଓଭରରେ ଡକେଟଙ୍କୁ ଆଉଟ୍ କରିଥିଲେ । ସେ ୧୪୧ (୧୮ଚୌକା, ୧ଛକା) ରନ କରିଥିଲେ । ଅପରାଜିତ ରୁଟ୍ଙ୍କ ସହ ଜୋସ ବଟଲର ମିଶି ୬୩ ରନ ଯୋଗ କରିବା ଫଳରେ ଦଳୀୟ ସ୍କୋର ୩୮୭ରେ ପହଞ୍ଚିଥିଲା । ରୁଟ୍ ୪୮ଟି ବଲ୍କୁ ୭୪ ଓ ବଟଲର ୧୩ଟି ବଲ୍କୁ ୪୧ (୪ଚୌକା, ୩ଛକା) ରନ କରି ଅପରଜିତ ରହିଥିଲେ ।
ଜବାବରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରାରମ୍ଭରୁ ଦର୍ଶନୀୟ ସଟ୍ମାନ ଖେଳି ଅର୍ଦ୍ଧଶତକ ଅର୍ଜନ କରିବା ସହ ୧୪୭ ରନ୍ର ଭାଗିଦାରୀ ଗଠନ କରିଥିଲେ । ୨୫ତମ ଓଭରରେ ଗିଲଙ୍କୁ ଆଉଟ୍ କରିଥିଲେ ଆଦିଲ ରସିଦ । ସେ ୧୦ଚୌକା ଓ ୧ ଛକା ବଳରେ ୭୭ ରନ ସଂଗ୍ରହ କରିଥିଲେ । ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଥିବା ରୋହିତଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲା ଇଂଲଣ୍ଡ । ସେ ଚୌକା ଓ ଛକା ବର୍ଷା କରି ୩୪ତମ ଦିନିକିଆ ଶତକ ଅର୍ଜନ କରିବା ସହ ସବୁ ସମାଲୋଚକଙ୍କୁ ଚୁପ୍ କରିଥିଲେ । ରୋହିତ ଓ କୋହଲି ଦ୍ୱିତୀୟ ୱିକେଟ୍ରେ ୧୧୩ ରନ ଯୋଗ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଦଳୀୟ ସ୍କୋର ୨୬୦ ବେଳେ ରୋହିତଙ୍କ ୱିକେଟ୍ର ପତନ ଘଟିଥିଲା । ୧୧୦ଟି ବଲ୍ର ସାମ୍ନା କରି ସେ ୧୭ ଚୌକା ଓ ୫ ଛକା ବଳରେ ୧୩୮ ରନ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ୬୯ ରନରେ ଭାରତ ମୋଟ୍ ୬ଟି ୱିକେଟ୍ (ରୋହିତଙ୍କ ମିଶାଇ) ହରାଇଥିଲା ।
କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଅନ୍ୟ ସବୁ ଫେଲ ମାରିଥିଲେ । ଇଶାନ କିଷନ ୧୪ ରନ କରିଥିବାବେଳେ ଶେୟାସ ଆୟର ଖାତା ଖୋଲି ପାରି ନଥିଲେ । କୋହଲି ୭୪ (୪ଚୌକା, ୩ଛକା) ରନ କରି ଆଉଟ୍ ହେବା ପରେ ପରାଜୟ ନିଶ୍ଚିତ ହୋଇଯାଇଥିଲା । ପରେ ପରେ କେଏଲ ରାହୁଲ ୧୨ ଓ ଅକ୍ଷର ପଟେଲ ୨ ରନ କରି ବିଦାୟ ନେଇଥିଲେ । ୩୨୯ରନରେ ଦଳ ୭ଟି ୱିକେଟ୍ ହରାଇ ସାରିଥିଲା । ଅନ୍ତିମ ଭାଗରେ ଅର୍ଶଦୀପ (୧୫) ଓ ଗରନୂର (୧୮) ଅଷ୍ଟମ ୱିକେଟ୍ରେ ୩୧ ରନ ଯୋଗ କରି ଦଳୀୟ ସ୍କୋରକୁ ୩୬୦ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ସାମ କୁରାନ ୪ଟି ୱିକେଟ୍ ନେଇଥିଲେ ।