ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ

Published By : Rasmita Pradhan | July 23, 2025 8:08 AM

ମାଞ୍ଚେଷ୍ଟର, ୨୩/୦୭ : ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ । ୨-୧ରେ ଆଗୁଆ ରହିଥିବା ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଆହତ ଜର୍ଜରିତ ଭାରତୀୟ ଦଳ ବର୍ତ୍ତମାନ ‘କର ବା ମର’ ପରିସ୍ଥିତିରେ ରହିଛି । ସିରିଜ ବଞ୍ଚାଇବାକୁ ହେଲେ ଏହି ମ୍ୟାଚ ଜିତିବା ଜରୁରି । ଅନ୍ତତଃ ପକ୍ଷେ ମ୍ୟାଚ୍‌ ଡ୍ର’ ରଖିବା ପାଇଁ ଭାରତ ସବୁ ଶକ୍ତି ଲଗାଇବାକୁ ଚେଷ୍ଟା କରିବ । ମାଞ୍ଚେଷ୍ଟରରେ ସବୁ ରେକର୍ଡ ଇଂଲଣ୍ଡ ପକ୍ଷରେ ରହିଛି । ଭାରତ ଏଠାରେ ୯ଟି ଟେଷ୍ଟ ଖେଳିଥିବା ବେଳେ ୪ଟି ମ୍ୟାଚ୍‌ ହାରିଛି ଓ ୫ଟି ମ୍ୟାଚ୍‌ ଡ୍ର’ ରଖିଛି । ତଥାପି ଗିଲ୍‌ ବାହିନୀ ଘରୋଇ ଦଳର ବିଜୟ ଧାରରେ ବ୍ରେକ୍‌ ଲଗାଇବା ପାଇଁ ପ୍ରସ୍ତୁତ । ପ୍ରଥମ ୩ଟି ଯାକ ଟେଷ୍ଟରେ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ମାତ୍ର କିଛି ଛୋଟ ମୋଟ୍‌ ତ୍ରୁଟି ଯୋଗୁଁ ୨ଟି ଟେଷ୍ଟ ପରାଜିତ ହୋଇଥିଲା । ଗତ ୯ ଦିନର ବିଶ୍ରାମ ମଧ୍ୟରେ ଭାରତୀୟ ଦଳ ସବୁ ତ୍ରୁଟି ସୁଧାରିବାକୁ ଗୁରୁତ୍ୱ ଦେଇଛି । ମାତ୍ର ଅନେକ ଖେଳାଳି ଆହତ ହେବା ଯୋଗୁଁ ଦଳ ପ୍ରଭାବିତ ହୋଇଛି । ରିଷଭ ପନ୍ତ ଫିଟ୍‌ ହୋଇ ୱିକେଟ୍‌ କିପିଙ୍ଗ୍‌ ଆରମ୍ଭ କରିଥିଲେ ହେଁ ନୀତିଶ କୁମାରେ ରେଡ୍ଡୀ, ଆକାଶ ଦୀପ, ଅର୍ଶଦୀପ ସିଂହ ଆହତ ହୋଇ ଦଳର ଚିନ୍ତା ବଢ଼ାଇଛନ୍ତି । ଏତେ ସବୁ ଖେଳାଳି ଆହତ ହେବା ଫଳରେ ଏକ ଶ୍ରେଷ୍ଠ ତଥା ସନ୍ତୁଳିତ ଏକାଦଶ ଗଠନ କରିବା କଷ୍ଟକର ହୋଇଛି । 

ପନ୍ତ କରିବେ କିପିଙ୍ଗ୍‌ 

ଲର୍ଡ୍ସରେ ଆହତ ହୋଇଥିବା ରିଷଭ ପନ୍ତ ଫିଟ୍‌ ହୋଇଥିବାରୁ ଭାରତୀୟ ଦଳ ଆଶ୍ୱସ୍ତ ହୋଇଛି । ସେ ଏହି ଟେଷ୍ଟରେ ୱିକେଟ୍‌ କିପିଙ୍ଗ୍‌ କରିବାକୁ ପ୍ରସ୍ତୁତ ଥିବା ଶୁଭମନ ଗିଲ ସ୍ପଷ୍ଟ କରିଛନ୍ତି । ଭାରତ ଏପର୍ଯ୍ୟନ୍ତ ଏକାଦଶ ଘୋଷଣା କରିନଥିଲେ ହେଁ ଆଜି ଏକାଧିକ ପରିବର୍ତ୍ତନ ହେବ । ନୀତିଶ କୁମାର ରେଡ୍ଡୀ ଆହତ ହୋଇ ସିରିଜରୁ ବାଦ ପଡ଼ିଛନ୍ତି । ସେହିପରି ଆହତ ଆକାଶ ଦୀପଙ୍କୁ ଚତୁର୍ଥ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି । ଭାରତ ନୀତିଶଙ୍କ ସ୍ଥାନରେ ଆଉ ଜଣେ ବ୍ୟାଟର ନେଇ ଖେଳିବାକୁ ଯୋଜନା କରିଛି । ଫଳରେ ସାଇ ସୁଦର୍ଶନ ଏକାଦଶକୁ ଫେରିବେ ଓ ୩ନଂ ସ୍ଥାନରେ ବ୍ୟାଟିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସ୍ଥାନରେ ଖେଳୁଥିବା କରୁଣ ନାଏର ୬ନଂ ସ୍ଥାନରେ ବ୍ୟାଟିଂ କରିବେ । ରବିନ୍ଦ୍ର ଜାଡ଼େଜା ୭ନଂ ସ୍ଥାନରେ ଓ ୱାସିଂଟନ ସୁନ୍ଦର ୮ନଂ ସ୍ଥାନରେ ଖେଳିବା ଆଶା କରାଯାଉଛି । ଆହତ ଆକାଶ ଦୀପଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜଙ୍କୁ ଖେଳାଯାଇପାରେ । ଅନ୍ୟ ପେସ୍‌ ବୋଲର ଭାବେ ପ୍ରସିଦ୍ଧ କ୍ରିଷ୍ଣା ଦଳରେ ରହିଛନ୍ତି । ସେ ମଧ୍ୟ ଏହି ସ୍ଥାନ ପାଇଁ ଦାବିଦାର ରହିଛନ୍ତି । କାମ୍ବୋଜ ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୭୯ଟି ୱିକେଟ୍‌ ନେଇ ସାରିଛନ୍ତି । ଗତ ଏ’ ସିରିଜରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉନ୍ନତ ରହିଥିଲା । ତେଣୁ ସେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନୀତିଶଙ୍କ ବଦଳରେ ଭାରତ ପିଚ୍‌କୁ ଦେଖି ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ ସର୍ଦୁଲ ଠାକୁରଙ୍କୁ ଖେଳାଇପାରେ । ଏହା ସମ୍ଭବ ହେଲେ ୱାସିଂଟନ ସୁନ୍ଦର ଏକାଦଶରୁ ବାଦ ପଡ଼ିବେ । 

ଭାରତର ଷ୍ଟୋକ୍ସ ଚିନ୍ତା 

ଏହି ମ୍ୟାଚ୍‌ରେ ବେନ ଷ୍ଟୋକ୍ସଙ୍କ ଉପରେ ନଜର ରହିବ । ସମ୍ପ୍ରତି ଚମତ୍କାର ଫର୍ମରେ ରହିଥିବା ଷ୍ଟୋକ୍ସ ମାଞ୍ଚେଷ୍ଟରରେ ୮ଟି ଟେଷ୍ଟ ଖେଳି ୫୨.୬୩ ହାରରେ ୫୭୯ ରନ ସଂଗ୍ରହ କରିଛନ୍ତି । ଏଠାରେ ସେ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଆହତ ସୋହେବ ବସିରଙ୍କ ସ୍ଥାନରେ ଖେଳିବାକୁ ଯାଉଥିବା ଭେଟେରାନ ଲାଏମ ଡାଓସନ ୮ ବର୍ଷ ପରେ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ତାଙ୍କ ପ୍ରତି ଭାରତ ସତର୍କ ରହିବା ଆବଶ୍ୟକ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୭୧ଟି ୱିକେଟ୍‌ ନେଇ ସାରିଥିବା ଡାଓସନ୍‌ ୨୦୨୧ ପରଠୁ କାଉଣ୍ଟିରେ ୧୨ଥର ୫ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି ଓ ବ୍ୟାଟିଂ କରି ୯ଟି ଶତକ ଅର୍ଜନ କରିଛନ୍ତି। 

ଟସ ଜିତିଲେ ଫିଲ୍ଡିଂ 

ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡ୍‌ର ପିଚ୍‌ ଇଂଲଣ୍ଡର ଅନ୍ୟ ସବୁ ପିଚ ପାରମ୍ପରିକ ଭାବେ ପେସ୍‌ ବୋଲରଙ୍କୁ ସହାୟତା କରିଆସିଛି । ଏହି ପିଚ୍‌ରୁ ଅତିରିକ୍ତ ବାଉନ୍ସ ମିଳିବା ନିଶ୍ଚିତ । ମାତ୍ର ବ୍ୟାଟିଂ ପାଇଁ ମଧ୍ୟ ପିଚ୍‌ ଅନୁକୂଳ । ଏଠାରେ ପେସ୍‌ ଓ ବାଉନ୍ସକୁ ଥରେ ପରଖି ନେଲେ ବଡ଼ ଇନିଂସ ବାହାରି ପାରିବ । ମାଞ୍ଚେଷ୍ଟରରେ ଗତ କିଛି ଦିନ ହେଲା ନିୟମିତ ଭାବେ ବର୍ଷା ହେଉଛି । ତେଣୁ ବୋଲରମାନେ ପିଚର ଭରପୁର ଫାଇଦା ଉଠାଇ ପାରିବେ । 

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍‌ କ୍ରଲି, ବେନ ଡକେଟ୍‌, ଓଲି ପୋପ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ବେନ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍‌, ଲାଏମ ଡାଓସନ, କ୍ରିସ ୱକ୍ସ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର । 

ସମ୍ଭାବ୍ୟ ଭାରତ ଏକାଦଶ: ଯଶସ୍ୱୀ ଜୈସ୍ୱାଲ୍‌, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍‌ (ଅଧିନାୟକ), ରିଷଭ ପନ୍ତ, କରୁଣ ନାଏର, ରବିନ୍ଦ୍ର ଜାଡ଼େଜା, ୱାସିଂଟନ ସୁନ୍ଦର/ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା/ଅଂଶୁଲ କାମ୍ବୋଜ, ମହମ୍ମଦ ସିରାଜ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.