ବେଙ୍ଗାଲୁରୁ,୧୫/୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଉଭୟ ଦଳ ଗତ କିଛି ଦିନ ହେଲା ଅଭ୍ୟାସ ଚଳାଇଛନ୍ତି । ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବା ପରେ ଗୌତମ ଗମ୍ଭୀର ଓ ସାଥୀ କୋଚ୍ ଦିନକ ତଳେ ଦଳ ସହ ଯୋଗ ଦେଇଛନ୍ତି । ବର୍ଷା ମଧ୍ୟ ଅଭ୍ୟାସରେ ବାଧକ ସାଜିଛି । ତଥାପି ଟେଷ୍ଟ ସିରିଜରେ ଦମ୍ଦାର ପ୍ରଦର୍ଶନ କରିବା ପାଇଁ ଦଳ ପ୍ରସ୍ତୁତ ଥିବା କୋଚ୍ ଗମ୍ଭୀର ସ୍ପଷ୍ଟ କରିଦେଇଛନ୍ତି ।
ଫୋକସ୍ରେ ପିଚ୍: ଗତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଭଳି ଏଥର ମଧ୍ୟ ପିଚ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ଗତ କିଛି ଦିନ ଧରି ବେଙ୍ଗାଲୁରୁରେ ବର୍ଷା ହେଉଥିବାରୁ ପିଚ୍କୁ ଅଧିକାଂଶ ସମୟ ପାଲ ଘୋଡ଼ାଇ ରଖାଯାଇଛି । ତେଣୁ ଟେଷ୍ଟ ପୂର୍ବରୁ ପିଚ୍ ଆବଶ୍ୟକ ପରିମାଣର ସୂର୍ଯ୍ୟାଲୋକ ପାଇ ନାହିଁ । ତଥାପି ସ୍ପିନରମାନେ ପିଚ୍ର ଭରପୁର ଫାଇଦା ଉଠାଇବେ ବୋଲି ଅନୁମାନ କରାଯାଉଛି ।
କାନପୁର(ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ) ଭଳି ଏଠାରେ ମଧ୍ୟ କଳା ମାଟିରେ ପିଚ୍ ପ୍ରସ୍ତୁତ କରାଯାଇଛି । ତେଣୁ ପିଚ୍ ସାମାନ୍ୟ ମନ୍ଥର ରହିବ ଓ ସ୍ପିନରମାନେ ବଲ୍କୁ ଅଧିକ ଟର୍ଣ୍ଣ କରାଇ ପାରିବେ । ମ୍ୟାଚ୍ ଆଗେଇବା ସହ ସ୍ପିନରଙ୍କ ଆଧିପତ୍ୟ ବୃଦ୍ଧି ପାଇବ । ବର୍ଷା ମଧ୍ୟ କିଛି ପ୍ରଭାବ ପକାଇ ପାରେ । ବେଙ୍ଗାଲୁରୁରେ ନିୟମିତ କିଛି କିଛି ସମୟ ବର୍ଷା ହେଉଥିବାରୁ ପିଚ୍କୁ ଘୋଡ଼ାଇ ରଖାଯାଇଛି । ସୋମବାର ସକାଳେ ମଧ୍ୟ ଝିପି ଝିପି ବର୍ଷା ହୋଇଥିଲା । ଅପରାହ୍ଣ ୧.୪୫ ମିନିଟ୍ରେ ପାଗ ଖୋଲିବା ପରେ ପିଚ୍ରୁ ପାଲ ହଟା ଯାଇଥିଲା । ଅଧିନାୟକ ରୋହିତ ଶର୍ମା, କୋଚ ଗମ୍ଭୀର, ରିଷଭ ପନ୍ତ ପ୍ରମୁଖ ପିଚ୍ ଅନୁଧ୍ୟାନ କରିଥିଲେ ଓ ଦୀର୍ଘ ସମୟ ଧରି କ୍ୟୁରେଟରଙ୍କ ସହ ଆଲୋଚନା କରିଥିଲେ ।

ପେସ୍ ବନାମ ସ୍ପିନ: ପ୍ରଥମ ଟେଷ୍ଟ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଚୟନ ପାଇଁ ଟିମ୍ ଡ୍ରେସିଂ ରୁମ୍ରେ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି । ବିଶେଷ କରି ବୋଲିଂ ବାହିନୀକୁ ନେଇ ମତ ପାର୍ଥକ୍ୟ ହୋଇପାରେ । କଳା ମାଟି ପିଚ୍ ସ୍ପିନରଙ୍କୁ ସୁହାଉଥିଲେ ହେଁ ସ୍ଥାନୀୟ ଜଳବାୟୁ ଓ କୋହଲା ପାଗ ପେସ୍ ବୋଲିଂ ବିଭାଗକୁ ସୁଦୃଢ କରିବା ପାଇଁ ବାଧ୍ୟ କରିବ । ବର୍ତ୍ତମାନ ପିଚ୍ରେ ରଖାଯାଇଥିବା ଘାସକୁ ଟସ୍ ପୂର୍ବରୁ କାଟି ଦିଆଯାଇପାରେ । ତଥାପି ମ୍ୟାଚ୍ର ପ୍ରଥମ ୩ଦିନ ଧରି ପାଗ କୋହଲା ରହିବ ଓ ଅପରାହ୍ଣ କିମ୍ବା ସଧ୍ୟାରେ ବର୍ଷା ହୋଇପାରେ । ତେଣୁ ପେସ୍ ବୋଲରମାନେ ମଧ୍ୟ ପିଚ୍ରେ ସଫଳ ହୋଇପାରିବେ ।
ବୁମରା, ସିରାଜ, ଆକାଶଦୀପ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସାଇକେଲ୍ରେ ଯଶପ୍ରୀତ ବୁମରା ୪୨ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି। ଏଥିରୁ ଭାରତରେ ୩୦ଟି ୱିକେଟ୍ ରହିଛି । ଶେଷ ଥର ପାଇଁ ୨୦୨୨ରେ ବୁମରା ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଏକ ଟେଷ୍ଟ ଖେଳିଥିଲେ ଓ ୮ଟି ୱିକେଟ୍ ନେଇଥିଲେ । ସିରାଜ ମଧ୍ୟ ଚଳିତ ସାଇକେଲ୍ରେ ୨୬ଟି ୱିକେଟ୍ ନେଇଛନ୍ତି । ଆକାଶଦୀପ ମାତ୍ର ୩ଟି ଟେଷ୍ଟ ଖେଳିଛନ୍ତି । ମାତ୍ର ତାଙ୍କ ବୋଲିଂ ଶୈଳୀ, ଲାଇନ୍ ଓ ଲେଙ୍ଗଥ୍କୁ ନେଇ ବେଶ ପ୍ରଶଂସା କରାଯାଉଛି । ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଆଇପିଏଲ୍ ମଧ୍ୟ ଖେଳୁଛନ୍ତି ।
ଅଶ୍ୱିନ, ଜାଡେଜା, ଅକ୍ଷର/କୁଲଦୀପ
ଭାରତ ଚଳିତ ସାଇକେଲ୍ରେ ଖେଳିଥିବା ୭ଟି ଟେଷ୍ଟରୁ ୫ଟିରେ ୩ ସ୍ପିନର ନେଇ ଖେଳିଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ୩ସ୍ପିନର ରଣନୀତି ଆପଣେଇପାରେ । ଏହା ସମ୍ଭବ ହେଲେ ତୃତୀୟ ସ୍ପିନରଙ୍କୁ ନେଇ କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଅନ୍ୟ ପଟରେ ଭାରତର ଷ୍ଟାର ସ୍ପିନର ଅଶ୍ୱିନ ଚଳିତ ସାଇକେଲ୍ରେ ୫୩ଟି ୱିକେଟ୍ ନେଇ ସାରିଛନ୍ତି । ସେହିପରି ଜାଡେଜା ୩୫, କୁଲଦୀପ ୪ଟି ଟେଷ୍ଟରୁ ୧୯ଟି ୱିକେଟ୍ ଓ ଅକ୍ଷର ୨ଟି ଟେଷ୍ଟରୁ ୫ଟି ୱିକେଟ୍ ନେଇଛନ୍ତି । ସ୍ପିନ୍ ବୋଲିଂ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଗତ ୬ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ମୋଟ୍ ୧୦୪ଟି ୱିକେଟ୍ ହରାଇଛି ଓ ଏଥିରୁ ସ୍ପିନରମାନେ ନେଇଛନ୍ତି ୬୭ଟି ୱିକେଟ୍ ।
ଟସ୍ ପୂର୍ବରୁ ଶେଷ ନିଷ୍ପତ୍ତି: ବୋଲିଂ ବିଭାଗକୁ ନେଇ ଚିନ୍ତା କରୁନଥିବା କୋଚ୍ ଗମ୍ଭୀର ସ୍ପଷ୍ଟ କରିଦେଇଛନ୍ତି । ମ୍ୟାଚ୍ ଜିତାଇବା ଭଳି ବୋଲିଂ ବିଭାଗ ରହିଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମ ନିକଟରେ ଦକ୍ଷ ବୋଲର ରହିଛନ୍ତି । ପ୍ରତ୍ୟେକ ବୋଲର ମ୍ୟାଚ୍ ଜିତାଇବାର କ୍ଷମତା ରଖିଛନ୍ତି । ତେଣୁ ଆସନ୍ତା କାଲି ପିଚ୍ ଦେଖିବା ପରେ ରୋହିତ ଓ ମୁଁ ବୋଲିଂ ବିଭାଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।