ଅହମ୍ମଦାବାଦ, ୭/୩ : ରବିବାର ଅହମ୍ମଦାବାଦରେ ଖେଳାଯିବ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି କିଓ୍ବି ଦଳ । ତୃତୀୟଥର ପାଇଁ ଟି-୨୦ ବିଶ୍ବକପ ଜିତିବା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଜାରି ରଖିଛି । ତେବେ ଭାରତରେ ଖେଳାଯାଉଥିବା ମ୍ୟାଚ ଘରୋଇ ଦଳକୁ ସହାୟକ ହେବ କି ? ଭାରତକୁ ସୁହାଇବା ଭଳି ପିଚରେ ମ୍ୟାଚ ଖେଳାଯିବ କି ? ଏଭଳି ପ୍ରଶ୍ନ ଉଠିଛି ।
ତେବେ ଅହମ୍ମଦାବାଦର ପିଚ୍ ମିଶ୍ରିତ ମାଟିରେ ପିଚ ପ୍ରସ୍ତୁତ କରିପାରନ୍ତି । କୁହାଯାଉଛି କି, ପିଚରେ କଳାମାଟି ଅପେକ୍ଷା ଲାଲ ମାଟି ଅଧିକ ବ୍ୟବହାର କରାଯିବ । ଯାହାକି ଅନ୍ୟ ପିଚରେ ଦେଖାଯାଇନଥାଏ । ତେବେ ଯଦି ଲାଲ ମାଟି ଅଧିକ ମିଶି ପିଚ ପ୍ରସ୍ତୁତ ହୁଏ ତାହେଲେ ଏହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ୨୦୨୩ ଦିନିକିଆ ବିଶ୍ବକପ ସମୟରେ ଭାରତ ଲଗାତାର ବିଜୟ ହୋଇ ଫାଇନାଲରେ ପହଞ୍ଚିଥିଲା ମାତ୍ର ଫାଇନାଲରେ ଅଷ୍ଟେ୍ରଲିଆଠାରୁ ହାରିଥିଲା । ଖେଳାଯାଇଥିବା ପିଚରେ କଳାମାଟି ଅଧିକ ଥିଲା । ଯାହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାରେ ଅସୁବିଧା ହେଉଥିଲା ।
ସେପଟେ ଚଳିତ ଟି-୨୦ ବିଶ୍ବକପରେ ଭାରତ ନିଜର ଦବଦବା ଜାରି ରଖିଛି । ମାତ୍ର ସୁପର-୮ରେ ଦକ୍ଷିଣଆଫ୍ରିକାଠାରୁ ହାରିଥିଲା । ୭୬ ରନରେ ହାରିବା ପରେ ସେମିରେ ପହଞ୍ଚିବା କଷ୍ଟକର ହେବ ବୋଲି କୁହାଯାଉଥିଲା । ତେବେ ଏହି ମ୍ୟାଚଟି କଳାମାଟି ପିଚରେ ଖେଳାଯାଇଥିଲା । ଯେଉଁଠାରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅକଳରେ ପଡ଼ିଥିଲେ । ଏଣୁ ଫାଇନାଲ ମ୍ୟାଚରେ କେଉଁ ପିଚ ବ୍ୟବହାର ହେବ ଏହାକୁ ନେଇ ଏବେ ଦ୍ବନ୍ଦ ରହିଛି । ତେବେ ଘରୋଇ ମାଟିରେ ଭାରତ ଚାମ୍ପିୟନ ନିଶ୍ଚିତ ହେବ ବୋଲି ଭାରତୀୟ ପ୍ରଂଶସକମାନେ ଆଶା ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପ : ଫାଇନାଲ ପରେ ଭାଗ ହେବ ୧୦୩ କୋଟି ଟଙ୍କା, ଜାଣନ୍ତୁ ଭାରତ ଭାଗରେ କେତେ ?