ନୂଆଦିଲ୍ଲୀ ; ୧୨/୧ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି ଭାରତ । ଘରୋଇ ମାଟିରେ ୨୦୨୬ର ପ୍ରଥମ ମ୍ୟାଚ ବିଜୟୀ ହୋଇ ନିଜର ଅଭିଯାନ ଆରମ୍ଭ କରିଛି ଗିଲ୍ ବାହିନୀ । ପ୍ରଥମ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଥିବାବେଳେ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି । ମ୍ୟାଚ ସମୟରେ ଆହତ ହୋଇଥିବା ଓ୍ବାଶିଂଟନ ସୁନ୍ଦର ଆହତ ହୋଇଥିଲେ । ସେ ଏହି ସିରିଜରୁ ବାଦ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ଆୟୁଷ ବଦୋନୀଙ୍କୁ ସୁଯୋଗ ମିଳିଛି । କୁହାଯାଉଥିଲା କି, ରିଆନ ପରାଗଙ୍କୁ ଦଳରେ ସାମିଲ କରାଯାଇଥାନ୍ତା । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ୍ ପଠାନ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ପରାଗଙ୍କ ବଦଳରେ ବଦୋନୀଙ୍କୁ ସୁଯୋଗ ମିଳିବା ପଛର କାରଣ ସମ୍ପର୍କରେ ଆସନ୍ତୁ ଜାଣିବା...
କାହିଁକି ପରାଗଙ୍କୁ ମିଳିଲାନି ସୁଯୋଗ ?
ତେବେ କହି ରଖୁଛୁ କି, ପରାଗଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଭଲ ରହିଛି । ସେ ଗୋଟିଏ ଦିନିକିଆ ମ୍ୟାଚ ଖେଳିଥିବାବେଳେ ତିନୋଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ଟି-୨୦ରେ ୪ଟି ଓ୍ବକେଟ ନେଇଛନ୍ତି । ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଆଇପିଏଲରେ ଦେଖିବାକୁ ମିଳିଛି । ଏଣୁ ଜଣେ ଅଲରାଉଣ୍ଡର ଭାବେ ତାଙ୍କୁ ଦଳରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା । ମାତ୍ର ଏବେ ସେ ଅନଫିଟ୍ ଅଛନ୍ତି । ଯେଉଁ କାରଣରୁ ବିଜୟ ହଜାରେ ଟ୍ରଫିରେ ମଧ୍ୟ ସେ ନଜର ଆସିନାହାନ୍ତି । ତେବେ ଏହି କାରଣରୁ ଚୟନକର୍ତ୍ତା ତାଙ୍କ ବଦଳରେ ଆୟୂଷ ବଦୋନୀଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ।
ଆୟୁଷ ବଦୋନୀଙ୍କ ରେକର୍ଡ କେମିତି ?
ପରାଗଙ୍କ ଭଳି ଆୟୁଷ ବଦୋନୀ ମଧ୍ୟ ଜଣେ ଦକ୍ଷ ଅଲରାଉଣ୍ଡର । ସେ ମଧ୍ୟକ୍ରମରେ ବ୍ୟାଟିଂ କରିବାର ଦକ୍ଷତା ରଖିଛନ୍ତି । ବ୍ୟାଟିଂ ସହ ସେ ଜଣେ ଅଫ୍ ସ୍ପିନର । ପ୍ରଥମ ଶ୍ରେଣୀରେ ରେକର୍ଡ ଭଲ ରହିଛି । ୨୧ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୬୮୧ ରନ କରିଛନ୍ତି । ୫୭.୯୬ ହାରରେ ସେ ବ୍ୟାଟିଂ କରିଥିବାବେଳେ ଏଥିରେ ୪ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ରହିଛି । ଲିଷ୍ଟ-ଏ କ୍ରିକେଟରେ ମଧ୍ୟ ତାଙ୍କର ବ୍ୟାଟିଂ ଭଲ ରହିଛି । ରାହୁଲ ଏବଂ ଶ୍ରେୟସ ଏବେ ମଧ୍ୟକ୍ରମ ବ୍ୟାଟିଂ ଭାର ସମ୍ଭାଳୁଥିବାବେଳେ ବଦୋନୀ ସେମାନଙ୍କୁ ଭଲ ସହଯୋଗ କରିବେ ବୋଲି କୁହାଯାଉଛି । ତେବେ ତାଙ୍କୁ ଦଳରେ ଖେଳିବାକୁ ସୁଯୋଗ ମିଳୁଛି କି, ନାହିଁ ତାହା ଦେଖିବାକୁ ରହିଛି ।